ମାସ୍କ କିଣା ରାଜନୀତି: ରାଜ୍ୟପାଳଙ୍କୁ ଭେଟିଲା କଂଗ୍ରେସ; ବିଜେଡ଼ି କହିଲା-ପ୍ରମାଣ ଥିଲେ କୋର୍ଟ ଯାଅ

ମାସ୍କ କିଣାର ନିରପେକ୍ଷ ତଦନ୍ତ ଦାବି କଲା ବିଜେପି

ଭୁବନେଶ୍ବର: କରୋନାକାଳରେ ରାଜ୍ୟରେ ମାସ୍କ କିଣା ଦୁର୍ନୀତି ପ୍ରସଙ୍ଗ ଏବେ ଜୋର ଧରିଛି । ସରକାରଙ୍କୁ ବିରୋଧୀ କଂଗ୍ରେସ ଓ ବିଜେପି ଘେରିଥିବାବେଳେ ବିଜେଡ଼ି ମଧ୍ୟ ଏହାର ଜବାବ ରଖିଛି । ଆଜି ପିସିସି ସଭାପତି ଓ କାର୍ଯ୍ୟକାରୀ ସଭାପତି ରାଜ୍ୟପାଳଙ୍କୁ ଭେଟି ଏହାର ବିଧିବଦ୍ଧ ତଦନ୍ତ ଦାବି କରିଥିବାବେଳେ ବିଜେଡ଼ି ମୁଖପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ ଏହାର ଜବାବ ରଖିଛନ୍ତି । ପ୍ରମାଣ ଥିଲେ କୋର୍ଟ ଯାଅ ବୋଲି ଓଲଟି କଂଗ୍ରେସକୁ ଆହ୍ବାନ ଦେଇଛନ୍ତି ।

ମାସ୍କ କିଣିବାରେ ମହାଦୁର୍ନୀତି ହୋଇଥିବା ଅଭିଯୋଗ କରିଛି କଂଗ୍ରେସ । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝି  ରାଜ୍ୟପାଳଙ୍କୁ ସ୍ମାରକପତ୍ର ଦେବା ପରେ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି | ମହାମାରୀ ବେଳେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗରେ ହୋଇଥିବା ମହାଦୁର୍ନୀତିର ନିରପେକ୍ଷ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଦାବି କରିଛି ଦଳ | ବିିଭିନ୍ନ ଜିଲାରେ ଦଳ ପକ୍ଷରୁ ଏଥିନେଇ  ଜିଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି ।   ଆଗାମୀ ଦିନରେ ବ୍ଲକ୍ ଓ ଗ୍ରାମପଞ୍ଚାୟତସ୍ତରକୁ ଯିବ କଂଗ୍ରେସ । ଦୁର୍ନୀତିକୁ କୌଣସି ମତେ ପ୍ରଶ୍ରୟ ଦିଆଯିବ ନାହିଁ | ଆମେ ପ୍ରଥମରୁ ଟ୍ରେନ ଟିକେଟ ଦେବାକୁ କହିଥିଲୁ | ଏଥିପାଇଁ ସରକାର ଆମକୁ ଅନୁମତି ଦେଲେନାହିଁ ବୋଲି ନିରଞ୍ଜନ ଅଭିଯୋଗ କରିଛନ୍ତି । କଂଗ୍ରେସ କର୍ମୀ ଅସୁବିଧାରେ ଥିଲେ ମଧ୍ୟ ନିଜର ସାଧ୍ୟ ମତେ ଶ୍ରମିକ ଓ ଗରିବ ଲୋକଙ୍କୁ ମାଗଣାରେ ମାସ୍କ, ଶୁଖିଲା ଖାଦ୍ୟ, ରନ୍ଧାଖାଦ୍ୟ ବଣ୍ଟନ କରିଛନ୍ତି | ଲୋକଙ୍କୁ ସାହାଯ୍ୟ କରିବା ପାଇଁ କଂଗ୍ରେସ ପ୍ରାଣପଣେ ଚେଷ୍ଟା କରିଛି | କୋରୋନା ଯୋଦ୍ଧାଙ୍କ ପାଇଁ ବନ୍ଦେ ଉତ୍କଳ ଜନନୀ ଗାଇଲେ, ହେଲେ ସେମାନଙ୍କୁ ଦିଆଯାଇଥିବା କିଟକୁ ଆଇସିଏମଆର ନିର୍ଦ୍ଦେଶ ନମାନି ବିନା ଟେଷ୍ଟରେ ଦିଆଗଲା | ଏହା କ’ଣ କରୋନା ଯୋଦ୍ଧାଙ୍କୁ ସମ୍ମାନ ବୋଲି ସରକାରଙ୍କୁ ପ୍ରଶ୍ନ କରିଛି ଦଳ | କରୋନା ସମୟରେ ସରକାର ଯାହା ନିଦ୍ଦେଶନାମା ଜାରି କରିଛନ୍ତି, ତାହାକୁ ଆମେ ପାଳନ କରିଥିବା ନେଇ ଦଳ ପକ୍ଷରୁ ଜଣାଇ ଦିଆଯାଇଛି |

ମାତ୍ର କଂଗ୍ରେସ ଅଭିଯୋଗର ଜବାବ ରଖିଛି ବିଜେଡ଼ି । ଦଳର ମୁଖପାତ୍ର ତଥା ସାଂସଦ ସସ୍ମିତ ପାତ୍ର ଦଳୀୟ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ଅଭିଯୋଗକୁ ମିଛ କହିଛନ୍ତି । ଯଦି ଦଳ ପାଖରେ ପ୍ରମାଣ ଅଛି ତେବେ ସେ ଅଦାଲତକୁ ଯିବା ଉଚିତ୍ ବୋଲି ଆହ୍ବାନ ଦେଇଛନ୍ତି । ସେ କହିଛନ୍ତି ଯେ  ଲୋକଙ୍କ ଜୀବନ ବଞ୍ଚାଇବା ସରକାରଙ୍କ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ |  କେନ୍ଦ୍ର ସରକାରଙ୍କ ଗାଇଡ଼ଲାଇନ ଅନୁସାରେ ମାସ୍କ କିଣାଯାଇଛି | ଅନ୍ୟ ରାଜ୍ୟ ଓଡିଶା ଠାରୁ ଅଧିକ ଦାମରେ କିଣିଛନ୍ତି | କଂଗ୍ରେସ ସଜ ମାଛରେ ପୋକ ପକାଇବା ଭଳି କାମ କରୁଛି | ନବୀନ ସରକାର କୋରୋନା ମୁକାବିଲା କରୁଥିବା ବେଳେ କଂଗ୍ରେସ କ’ଣ କରୁଥିଲା ବୋଲି ପ୍ରଶ୍ନ ଉଠାଇଛନ୍ତି ସସ୍ମିତ ପାତ୍ର ।  କୋରୋନା ଯୋଦ୍ଧାଙ୍କ ମନୋବଳ ବଢାଇବାକୁ ସରକାର କାମ କରୁଥିବା ବେଳେ କଂଗ୍ରେସ ଦଳ ଏପରି ମିଥ୍ୟା ଅଭିଯୋଗ ଆଣିବା ଅନୁଚିତ ବୋଲି ସେ କହିଛନ୍ତି । କୋଭିଡ଼ ମୁକାବିଲା ଓ ହସ୍ପିଟାଲ ପ୍ରତିଷ୍ଠା କ୍ଷେତ୍ରରେ ଦେଶରେ ଓଡ଼ିଶା ଆଗରେ ରହିଛି । ଓଡ଼ିଶାରେ କରୋନା ମୃତ୍ୟୁହାର କମ୍ ରହିଛି । ମାସ୍କ ଦୁର୍ନୀତି ନେଇ ଆଲୋଚନା ହେଉଛି । ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ସହ ମାସ୍କର ଅଭାବ ଦେଖାଦେଇଥିଲା । କିନ୍ତୁ ମାସ୍କର ଚାହିଦା ବଢ଼ିବାରୁ ଅଧିକ ଦରରେ କିଣିବାକୁ ପଡ଼ିଲା  । ମାର୍ଚ୍ଚ ୨୧ରେ କେନ୍ଦ୍ର ସରକାର ୧୦ଟଙ୍କାରେ ମାସ୍କ କିଣିବାକୁ କହିଥିଲେ । ଉତ୍ପାଦନ ଖର୍ଚ୍ଚ ବଢ଼ିଥିବାରୁ ମାର୍ଚ୍ଚ ୨୪ରେ ଏହି ଦର ୧୬ ଟଙ୍କା କରିିଥିଲେ । ଅନ୍ୟ ରାଜ୍ୟଗୁଡ଼ିକ ୧୬ରୁ ୨୦ଟଙ୍କା ଦରରେ ମାସ୍କ କିଣିଛନ୍ତି । ରାଜ୍ୟ ସରକାର ମାସ୍କ ପାଇଁ ୧୬ଟଙ୍କାରୁ ପଇସାଟିଏ ଅଧିକ ଦେଇନାହାନ୍ତି । କଂଗ୍ରେସ ଦଳ ଲୋକଙ୍କ ମନରେ ଦୁର୍ନୀତିର ସଂଶୟ ସୃଷ୍ଟି କରୁଛି ବୋଲି ସସ୍ମିତ କହିଛନ୍ତି ।

 

ଅନ୍ୟପଟେ ମାସ୍କ କିଣା ଦୁର୍ନୀତି ପ୍ରସଙ୍ଗରେ ମଧ୍ୟ ସରକାରଙ୍କୁ ନିଶାଣ କରିଛି ବିଜେପି ।  ଦଳର ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ  କହିଛନ୍ତି ଏ ଭ୍ରଷ୍ଟାଚାର ଭିନ୍ନ ପରିସ୍ଥିତିରେ ହୋଇଛି | ଏହାକୁ ଗ୍ରହଣ କରାଯାଇପାରିବ ନାହିଁ | ଏହାର ନିରପେକ୍ଷ ତଦନ୍ତ କରିବା ଆବଶ୍ୟକ | ଏ ଘଟଣାରେ ଯେଉଁମାନେ ସମ୍ପୃକ୍ତ ସେମାନଙ୍କୁ ପଦାକୁ ଆଣିବା ଆବଶ୍ୟକ | ଯେଉଁ କମ୍ପାନୀରୁ ମାସ୍କ କିଣା ଯାଇଛି ସେ କମ୍ପାନୀର କୌଣସି ମାସ୍କର ଦାମ ୧୦ ଟଙ୍କାରୁ ଅଧିକା ହେବନାହିଁ । ଇଣ୍ଡିଆ ମାର୍ଟରେ ଏହାର ବିଜ୍ଞାପନ ଦିଆଯାଉଛି । ହେଲେ ଓଡ଼ିଶା ସରକାର ୧୬ ଟଙ୍କାରେ ମାସ୍କ କିଣିଛନ୍ତି ।  ରାଜ୍ୟ ସରକାର ରାଜକୋଷ ଲୁଟ୍ କରିଛନ୍ତି । ଏହା ବିରୋଧରେ ଦଳ ସଂଗ୍ରାମ କରିବ ବୋଲି ସେ କହିଛନ୍ତି ।

Comments are closed.