ମାସ୍କର ମୂଲ୍ୟ ୭୩ ହଜାର ଟଙ୍କା !

ସେଲିବ୍ରିଟିମାନେ ମାସ୍କ ପିନ୍ଧିବାକୁ ଷ୍ଟାଇଲ୍‌ରେ ରୂପାନ୍ତର କଲେଣି। ହଲିଉଡ ଓ ବଲିଉଡ କଳାକାରଙ୍କ ମତରେ ମାସ୍କ ପିନ୍ଧିବା ହେଉଛି ‘ନିଉ ନର୍ମାଲ’। ନାମୀ ବ୍ରାଣ୍ଡର ପୋଷାକ କମ୍ପାନୀ ବିଭିନ୍ନ ଡିଜାଇନରେ ମାସ୍କ ବଜାରରେ ଉପଲବ୍ଧ କରାଉଛି। ବିଶ୍ବସ୍ତରରେ ପରିଚିତ ଦାମୀ ବ୍ୟାଗ୍ କମ୍ପାନୀ ‘ଲୁଇ ଭିଟୋଁ’ର ମହଙ୍ଗା ମାସ୍କକୁ ନେଇ ଏବେ ଜୋର୍‌ ଚର୍ଚ୍ଚା ଚାଲିଛି। ଫେସ୍‌ ସିଲ୍ଡ ଥିବା ଏ ମାସ୍କର ମୂଲ୍ୟ ୭୩ହଜାର ଧାର୍ଯ୍ୟ ହୋଇଥିବାବେଳେ ଅକ୍ଟୋବରରେ ଏହାର ବିକ୍ରି ଆରମ୍ଭ ହେବ। ପ୍ଲାଷ୍ଟିକ୍ ଓ ସୁନା ଧାତୁରେ ତିଆରି ଲୁଇ ଭିଟୋଁର ଫେସ୍ ସିଲ୍ଡର ଦରକୁ ନେଇ ସୋସିଆଲ ସାଇଟ୍‌ରେ ଲୋକଙ୍କ ମତ ପ୍ରକାଶ ପାଇଛି। କରୋନା ମହାମାରୀ ସମୟରେ ଏଇ ଦାମୀ ମାସ୍କର ଆବଶ୍ୟକତା ନାହିଁ ବୋଲି କେତେକ ବର୍ଗର ଲୋକଙ୍କ ଯୁକ୍ତି। ଜୀବନ ବଞ୍ଚାଇବା ପାଇଁ ପ୍ରତିଯୋଗିତା ଚାଲିଥିବା ସମୟରେ ଫେଶନ୍ ପ୍ରତି କିଏ ବା ଆଗ୍ରହୀ ହେବେ, ଏକଥା ମଧ୍ୟ ଲୋକେ ଉଲ୍ଲେଖ କରିଛନ୍ତି। ଲୁଇ ଭିଟୋଁର ନିୟମିତ ଗ୍ରାହକମାନେ କିନ୍ତୁ ଏଇ ଖବରରେ ଖୁବ୍ ଖୁସି। ନାମୀ ବ୍ରାଣ୍ଡର ବ୍ୟାଗ୍ ସହ ଫେସ୍‌ ସିଲ୍ଡ ମଧ୍ୟ ଏବେ ମ୍ୟାଚିଂ କରି ପିନ୍ଧିବେ ବୋଲି ଧନିକ ବର୍ଗର ମହିଳାମାନେ ଯୁକ୍ତି ବାଢ଼ିଛନ୍ତି।

Comments are closed.