ପୌରାଞ୍ଚଳ ସେବା ପାଇଁ ନିଯୁକ୍ତ ହେବେ ପୌରାଞ୍ଚଳ ପ୍ରଶାସନିକ ଅଧିକାରୀ

ଭୁବନେଶ୍ୱର: ରାଜ୍ୟରେ ସମସ୍ତ ପୌରାଞ୍ଚଳରେ ସାଧାରଣ ଲୋକଙ୍କୁ କିଭଳି ସୁଶାସନ ମିଳିବ ସେନେଇ ନଗର ଉନ୍ନୟନ ବିଭାଗ ପକ୍ଷରୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଦୀର୍ଘଦିନ ଧରି ବିଚାର ବିମର୍ଶ ଓ ସରକାରଙ୍କ ଅନୁମୋଦନ ପରେ ବିଭାଗ ପକ୍ଷରୁ ମ୍ୟୁନିସିପାଲ ଆଡମିନଷ୍ଟ୍ରେସନ ସର୍ଭିସ (ଏମଏଏସ) ପଦ ସୃଷ୍ଟି କରାଯାଇଛି ବୋଲି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି। ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ସବୁ ପୌରାଞ୍ଚଳବାସୀଙ୍କୁ ସରକାରଙ୍କ ବିଭିନ୍ନ ଯୋଜନାର କିଭଳି ସୁଫଳ ମିଳିବ ସେନେଇ ବିଭାଗ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ରାଜ୍ୟର ୩୦ଟି ଯାକ ଜିଲାରେ ଜଣେ ଲେଖାଏଁ ଏମଏଏସ ନିଯୁକ୍ତ କରାଯିବ। ତେବେ ଏନେଇ ବିଭାଗ ପକ୍ଷରୁ ପ୍ରଥମ ପର୍ୟ୍ୟାୟରେ ୨୮ଟି ପଦରେ ଏମଏଏସ ନିଯୁକ୍ତି ଦିଆଯିବ। ପ୍ରଶାସନିକ ସେବାରେ ଯେଭଳି ଆଇଏଏସ, ଆଇଏଫଏସ, ଓଏଏସ, ଓପିଏସ ସେବା ରହିଛି ଠିକ୍ ସେହିପରି ପୌରାଞ୍ଚଳ ଲାଗି ଏମଏଏସ ପଦ ସୃଷ୍ଟି କରାଯାଇଛି।

ସେହିପରି ସହରାଞ୍ଚଳକୁ ସୌନ୍ଦର୍ୟ୍ୟକରଣ କରିବା ପାଇଁ ବିଭାଗ ପକ୍ଷରୁ ସହ ଟାଉନ ପ୍ଲାନର (ଏଟିପି) ନିଯୁକ୍ତ କରାଯିବ। ଏଟିପିମାନେ ସହରାଞ୍ଚଳରେ ଯେତେ ସବୁ ବିକାଶମୁଖୀ ଯୋଜନା କରାଯିବ ତା’ର ନକ୍ସା ପ୍ରସ୍ତୁତ କରିବେ। ଚଳିତମାସ ସୁଦ୍ଧା ବିଭାଗ ପକ୍ଷରୁ ୧୨ଜଣ ଏଟିପିଙ୍କୁ ନିଯୁକ୍ତି କରାଯିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ମନ୍ତ୍ରୀ ଜେନା ସୂଚନା ଦେଇଛନ୍ତି।

Comments are closed.