ବକ୍ସିଂ: ଜରିନ୍‌ଙ୍କୁ ହରାଇଲେ ମ୍ୟାରି କମ୍‌

ନୂଆଦିଲ୍ଲୀ : ୨୦୨୦ ଟୋକିଓ ଅଲିମ୍ପିକ୍‌ସର ବକ୍ସିଂ ବିଭାଗରେ ଯୋଗ୍ୟତା ହାସଲ ପାଇଁ ଆସନ୍ତା ଫେବୃଆରୀ ୩ରୁ ୧୪ ପର୍ଯ୍ୟନ୍ତ ଚୀନ୍‌ରେ ଖେଳାଯିବା ଯୋଗ୍ୟତା ଅର୍ଜନ ପର୍ଯ୍ୟାୟ ପ୍ରତିଯୋଗିତା। ଏହି ବକ୍ସିଂ ପ୍ରତିଯୋଗିତାରେ ମହିଳା ୫୧ କେଜି ବିଭାଗରେ ଭାରତକୁ ମ୍ୟାରି କମ୍ ପ୍ରତିନିଧିତ୍ବ କରିବେ ବୋଲି ସ୍ପଷ୍ଟ ହୋଇଯାଇଛି।
ଭାରତୀୟ ଦଳରେ ସ୍ଥାନ ପାଇବାକୁ ଅନୁଷ୍ଠିତ ବକ୍ସିଂ ପ୍ରତିଯୋଗିତାର ଫାଇନାଲରେ ମ୍ୟାରି କମ୍‌ ପ୍ରତିପକ୍ଷ ଖେଳାଳି ନିଖତ୍‌ ଜରିନ୍‌ଙ୍କୁ ୯-୧ ନିଷ୍ପତ୍ତିରେ ପରାସ୍ତ କରିଛନ୍ତି। ଏହି ମ୍ୟାଚ୍‌ରେ ୬ଥର ବିଶ୍ବ ଚମ୍ପିଅାନ୍‌ ହୋଇଥିବା ମ୍ୟାରି କମ୍‌ ମୂଳରୁ ଆକ୍ରମଣାତ୍ମକ ପ୍ରଦର୍ଶନ କରି ସହଜ ବିଜୟ ହାସଲ କରିଥିଲେ। ସୂଚନାଥାଉକି ଅଲିମ୍ପିକ୍‌ସ ଯୋଗ୍ୟତା ଅର୍ଜନ ପର୍ଯ୍ୟାୟ ପ୍ରତିଯୋଗିତା ନିମନ୍ତେ ମ୍ୟାରି କମ୍‌ଙ୍କୁ ସିଧାସଳଖ ଭାରତୀୟ ଦଳରେ ସ୍ଥାନ ଦେବାକୁ ବକ୍ସିଂ ମହାସଂଘ ଯୋଜନା କରିଥିଲା। ତେବେ ଏହାକୁ ବିରୋଧ କରିଥିଲେ ନିଖତ୍‌ ଜରିନ୍‌। ମ୍ୟାରି କମ୍‌ଙ୍କ ସହ ମ୍ୟାଚ୍‌ ପାଇଁ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ କିରେନ୍‌ ରିଜିଜୁଙ୍କୁ ପତ୍ର ଲେଖିଥିଲେ ଜରିନ୍‌। ଏହାପରେ ବକ୍ସିଂ ମହାସଂଘ ତରଫରୁ ବକ୍ସିଂ ମ୍ୟାଚ୍‌ର ଆୟୋଜନ କରାଯାଇଥିଲା।
ମ୍ୟାରି କମ୍‌ ଓ ନିଖତ ଜରିନ୍‌ଙ୍କ ମଧ୍ୟରେ ଖେଳା ଯାଇଥିବା ମ୍ୟାଚ୍‌ ବେଶ୍‌ ଉତ୍ତେଜନାପୂର୍ଣ୍ଣ ରହିଥିଲା। ଉଭୟ ବକ୍ସର ରିଙ୍ଗ ଭିତରେ ଓ ବାହାରେ ପରସ୍ପର ପ୍ରତି କଟୁ ମନ୍ତବ୍ୟ ଦେଇଥିଲେ। ଏପରିକି ମ୍ୟାଚ୍‌ ସରିବା ପରେ ଦୁଇ ବକ୍ସର ପରସ୍ପର ସହ ହାତ ମିଳାଇ ନ ଥିଲେ। ନିଖତ୍‌ ପ୍ରତିନିଧିତ୍ବ କରୁଥିବା ତେଲେଙ୍ଗାନା ରାଜ୍ୟ ବକ୍ସିଂ ମହାସଂଘର କେତେକ ପଦାଧିକାରୀ ମ୍ୟାରି କମ୍‌ଙ୍କୁ ଅନ୍ୟାୟ ଭାବେ ବିଜେତା ଘୋଷଣା କରା ଯାଇଥିବା ଅଭିଯୋଗ ଆଣି ପାଟିତୁଣ୍ଡ କରିଥିଲେ। ତେବେ ଭାରତୀୟ ବକ୍ସିଂ ମହାସଂଘର ସଭାପତି ଅଜୟ ସିଂହଙ୍କ ହସ୍ତକ୍ଷେପ ପରେ ପରିସ୍ଥିତି ଶାନ୍ତ ପଡିଥିଲା। ନିଜ ପ୍ରତିକ୍ରିୟାରେ ମ୍ୟାରି କମ୍‌ କହିଥିଲେ ଅଲିମ୍ପିକ୍‌ସ ଯୋଗ୍ୟତା ଅର୍ଜନ ପର୍ଯ୍ୟାୟ ନିମନ୍ତେ ଭାରତୀୟ ଦଳରେ ସ୍ଥାନ ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିବାରୁ ସେ ବେଶ୍‌ ଖୁସି ଅଛନ୍ତି। ଯାହା ଘଟିଗଲା ତାହା ଅତୀତ ତେଣୁ ତାହାକୁ ଭୁଲି ଭବିଷ୍ୟତ ଉପରେ ତାଙ୍କର ନଜର ରହିଛି। ଚୀନ୍‌ରେ ଖେଳାଯିବାକୁ ଥିବା ପ୍ରତିଯୋଗିତା ନିମନ୍ତେ ୫୧ କେଜି ବିଭାଗରେ ମ୍ୟାରି କମ୍‌, ୫୭ କେଜି ବିଭାଗରେ ସାକ୍ଷୀ ଚୌଧୁରୀ, ୬୦ କେଜି ବିଭାଗରେ ସିମରନ୍‌ଜିତ୍‌ କୌର, ୬୯ ବିଭାଗରେ ଲଭ୍‌ଲିନା ବୋଗୋହାନ୍‌ ଓ ୭୫ କେଜି ବିଭାଗରେ ପୂଜା ରାଣୀ ଭାରତୀୟ ଦଳରେ ସ୍ଥାନ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି।

Comments are closed.