ବିଶ୍ବ ମାନ୍ୟତା ଶୀର୍ଷରେ ମେରି କମ୍‌

0

ନୂଆଦିଲ୍ଲୀ : ଭାରତୀୟ ମହିଳା ବକ୍ସର ତଥା ୬ଥର ବିଶ୍ବ ଚମ୍ପିଆନ୍ ଏମ୍‌ସି ମେରି କମ୍‌ ଅନ୍ତର୍ଜାତୀୟ ବକ୍ସିଂ ଆସୋସିଏସନ୍‌ ତରଫରୁ ପ୍ରକାଶିତ ବିଶ୍ବ ମାନ୍ୟତାର ୪୮ କେଜି ବିଭାଗରେ ୧ ନମ୍ବର ସ୍ଥାନରେ ରହିଛନ୍ତି। ମଣିପୁରର ବକ୍ସର ମେରି କମ୍‌ ଗତ ନଭେମ୍ବରରେ ଦିଲ୍ଲୀରେ ଆୟୋଜିତ ବକ୍ସିଂ ବିଶ୍ବ ଚମ୍ପିଆନସିପ୍‌ର ୪୮ କେଜି ବିଭାଗରେ ଚମ୍ପିଆନ୍ ହୋଇଥିଲେ।
ପ୍ରକାଶିତ ମାନ୍ୟତା ଅନୁଯାୟୀ ମେରି କମ୍ ମୋଟ୍ ୧୭୦୦ ପଏଣ୍ଟ ହାସଲ କରି ଶୀର୍ଷ ସ୍ଥାନରେ ରହିଛନ୍ତି। ତେବେ ୩୬ ବର୍ଷୀୟ ମେରି କମ୍‌ଙ୍କୁ ୨୦୨୦ ଅଲିମ୍ପିକ୍‌ରେ ୫୧ କେଜି ବିଭାଗରେ ଲଢ଼ିବାକୁ ହେବ। କାରଣ ଅଲିମ୍ପିକ୍‌ରେ ୪୮ କେଜି ବିଭାଗରେ ବକ୍ସିଂ ଏପର୍ଯ୍ୟନ୍ତ ସାମିଲ କରାଯାଇ ନାହିଁ। ସୂଚନାଯୋଗ୍ୟ; ଅଲିମ୍ପିକ୍‌ସରେ ପଦକ ଜିତିବାରେ ମେରି କମ୍‌ ହେଉଛନ୍ତି ପ୍ରଥମ ଭାରତୀୟ ମହିଳା ବକ୍ସର।
୩ ସନ୍ତାନର ଜନନୀ ମେରି କମ୍‌ ଗତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ଏହାବାଦ୍‌ ସେ ପୋଲାଣ୍ଡରେ ଆୟୋଜିତ ଏକ ଟୁର୍ଣ୍ଣାମେଣ୍ଟରେ ସେ ସ୍ବର୍ଣ୍ଣ ପଦକ ଜିତିଥିବା ବେଳେ ବୁଲ୍‌ଗେରିଆରେ ଆୟୋଜିତ ସମ୍ମାନଜନକ ଷ୍ଟାନ୍‌ଜା ସ୍ମାରକୀ ବକ୍ସିଂ ଟୁର୍ଣ୍ଣାମେଣ୍ଟରେ ରୌପ୍ୟ ପଦକ ଜିତିଥିଲେ। ଅନ୍ୟପକ୍ଷରେ ୫୧ କେଜି ବିଭାଗରେ ଭାରତୀୟ ବକ୍ସର ପିଙ୍କି ଜାନ୍‌ଗ୍ରା ମାନ୍ୟତାର ୮ମ ସ୍ଥାନରେ ରହିଛନ୍ତି। ୫୪ କେଜି ବିଭାଗରେ ଏସୀୟ କ୍ରୀଡ଼ାରେ ରୌପ୍ୟ ପଦକ ଜିତିଥିବା ମନୀଷା ମାଉନ୍‌ ୮ମ ସ୍ଥାନରେ ଅଛନ୍ତି। ୫୭ କେଜି ବିଭାଗରେ ସୋନିଆ ଲାଥେର୍‌ ଦ୍ବିତୀୟ ସ୍ଥାନରେ ରହିଥିବା ବେଳେ ୬୪ କେଜି ବିଭାଗରେ ସିମରନ୍‌ଜିତ କୌର୍‌ ଚତୁର୍ଥ ସ୍ଥାନରେ ରହିଛନ୍ତି। ସିମ୍ରନ୍‌ଜିତ ବିଶ୍ବ ଚମ୍ପିଆନସିପ୍‌ରେ ବ୍ରୋଞ୍ଜ୍‌ ପଦକ ଜିତିଥିବା ବେଳେ କିଛିଦିନ ତଳେ ଜାତୀୟ ଚମ୍ପିଆନ୍ ହୋଇଥିଲେ। ପୂର୍ବତନ ବିଶ୍ବ ଚମ୍ପିଆନ୍‌ ଏଲ୍‌ ସରିତା ଦେବୀ ମାନ୍ୟତାର ୧୬ନଂରେ ରହିଛନ୍ତି। ୬୯ କେଜି ବିଭାଗରେ ଇଣ୍ଡିଆନ୍ ଓପନ୍‌ରେ ସ୍ବର୍ଣ୍ଣ ପଦକ ଓ ବିଶ୍ବ ଚମ୍ପିଆନସିପ୍‌ରେ ବ୍ରୋଞ୍ଜ୍‌ ପଦକ ଜିତିଥିବା ଲୋଭଲିନା ବୋର୍ଗୋହାଇନ୍‌ ୫ମ ସ୍ଥାନରେ ରହିଛନ୍ତି।

Leave A Reply