୧୫ ବର୍ଷ ପରେ ମଙ୍ଗଳ ଗ୍ରହ ହେଲା ପୃଥିବୀର ସବୁଠାରୁ ନିକଟତର, ଖାଲି ଆଖିରେ ଏହାକୁ ଦେଖି ପାରିବେ

0

ଭୁବନେଶ୍ୱର : ମହାକାଶରେ ବିରଳ ମହାଜାଗତିକ ଘଟଣା। ଦୀର୍ଘ ୧୫ ବର୍ଷରେ ମଙ୍ଗଳ ଗ୍ରହ ପୁଣି ପୃଥିବୀର ନିକଟତର ହୋଇଛି। ଏହାଫଳରେ ମଙ୍ଗଳ ଗ୍ରହ ଦୁଇଗୁଣ ଉଜ୍ଜ୍ୱଳ ଦେଖାଯାଉଛି। ଆକାଶ ମେଘମୁକ୍ତ ରହିଲେ ମଙ୍ଗଳ ଗ୍ରହକୁ ଅଗଷ୍ଟ ମାସ ସାରା ଖାଲି ଆଖିରେ ଦେଖିହେବ। ସନ୍ଧ୍ୟାରେ ପୂର୍ବ ଆକାଶରେ ଉଦୟ ହୋଇ ମଧ୍ୟାହ୍ନ ବେଳେକୁ ମୁଣ୍ଡ ଉପରେ ରହିବ ଓ ଭୋର ବେଳକୁ ପଶ୍ଚିମରେ ଅସ୍ତ ହୋଇଯିବ। ଏହା ବୃହସ୍ପତି ଗ୍ରହଠାରୁ ଉଜ୍ଜ୍ୱଳ ଦେଖାଯିବ। ମେଘମୁକ୍ତ ଦିବସରେ ଅଗଷ୍ଟ ମାସରେ ଦର୍ଶକ କିଭଳି ଦେଖିପାରିବେ ସେଥିପାଇଁ ପଠାଣି ସାମନ୍ତ ପ୍ଲାନେଟୋରିୟମ୍‍ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ ଏବଂ ଦର୍ଶକ ଦୂରବୀକ୍ଷଣ ଯନ୍ତ୍ର ସାହାଯ୍ୟରେ ମଙ୍ଗଳ ଗ୍ରହ ଦେଖିପାରିବେ ବୋଲି ପଠାଣି ସମାନ୍ତ ପ୍ଲାନେଟାରିୟମ୍‍ ଉପନିର୍ଦେଶକ ଡ.ଶୁଭେନ୍ଦୁ ପଟ୍ଟନାୟକ ସୂଚନା ଦେଇଛନ୍ତି। ମଙ୍ଗଳ ଗ୍ରହଟି ଚନ୍ଦ୍ର ଭଳି ଦେଖାଯିବ କିମ୍ବା ଆକାଶରେ ଦୁଇଟି ଚନ୍ଦ୍ର ଦେଖାଯିବ ବୋଲି ସାମାଜିକ ଗଣମାଧ୍ୟମରେ ବିଭ୍ରାନ୍ତିକର ତଥ୍ୟ ପ୍ରକାଶ ପାଇଛି, ଯାହା ଠିକ୍‍ ନୁହେଁ। ଆକାଶରେ ମଙ୍ଗଳ ଗ୍ରହ ଏକ ବଡ଼ ଲାଲ୍‍ ରଙ୍ଗର ତାରା ଭଳି ଦେଖାଯିବ। ଏଥିନେଇ ଅଗଷ୍ଟ ୧୫ ସୁଦ୍ଧା ଏକ କର୍ମଶାଳା ଆୟୋଜନ କରାଯିବ ଯେଉଁଥିରେ ଦର୍ଶକ ମଙ୍ଗଳ ଗ୍ରହ ସଂକ୍ରାନ୍ତରେ ସମସ୍ତ ତଥ୍ୟ ପାଇପାରିବେ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ଆମ ସୌର ଜଗତର ଚତୁର୍ଥ ଗ୍ରହ ‘ମଙ୍ଗଳ’ ସୂର୍ଯ୍ୟଠାରୁ ୨୨.୮ କୋଟି କିଲୋମିଟର ଦୂରରେ ରହି ଏହାକୁ ପ୍ରଦକ୍ଷିଣ କରୁଛି। ଖାଲି ଆଖିରେ ଏହା ଏକ ଛୋଟ ଲାଲ୍‍ ରଙ୍ଗର ତାରା ଭଳି ଦେଖାଯାଏ। ପ୍ରାୟ ଦୁଇବର୍ଷରେ ଥରେ ଏହା ପୃଥିବୀର ନିକଟତର ହେଉଥିଲେ ମଧ୍ୟ ପ୍ରତ୍ୟେକଥର ସେମାନଙ୍କ ଦୂରତା ସମାନ ନଥାଏ। ମଙ୍ଗଳବାର ମଙ୍ଗଳଗ୍ରହ ପୃଥିବୀର ଖୁବ୍‍ ନିକଟତର ହୋଇଥିଲା, କିନ୍ତୁ ଆକାଶ ମେଘାଚ୍ଛନ୍ନ ରହିଥିବାରୁ ଓଡ଼ିଶାରେ ତାହା ଦୃଶ୍ୟମାନ ହୋଇନାହିଁ। ୨୦୩୫ ଓ ୨୨୨୭ରେ ମଙ୍ଗଳ ଗ୍ରହ ପୃଥିବୀର ଅତି ନିକଟତର ହେବ ବୋଲି ଅନୁମାନ କରାଯାଇଛି।
ମଙ୍ଗଳ ଗ୍ରହ ବିଷୟରେ ଅଧିକ ତଥ୍ୟ ଜାରିବା ପାଇଁ ପୂର୍ବରୁ ଅନେକ ମହାକାଶ ଯାନ ପ୍ରେରଣ କରାଯାଇଛି। ସେଠାରେ କିଭଳି ବସତି ସ୍ଥାପନ କରିହେବ ସେଥିନେଇ ବୈଜ୍ଞାନିକମାନେ ଗବେଷଣା ଚଳାଇଛନ୍ତି।

Leave A Reply