ବରଯାତ୍ରୀଙ୍କୁ କରୋନା: କ୍ବାରେଣ୍ଟାଇନ ଖର୍ଚ ୬.୨୬ ଲକ୍ଷ ଟଙ୍କା ଦାଖଲ ପାଇଁ ବରପିତାଙ୍କୁ ନୋଟିସ

୧୫ ବରଯାତ୍ରୀ କରୋନା ସଂକ୍ରମିତ, ବରର ଜେଜେବାପା ମୃତ, ସଙ୍ଗରୋଧରେ ଗଲେ ୧୨୭ ବରଯାତ୍ରୀ

ଜୟପୁର: ଜାକଜମକରେ ପୁଅ ବାହାଘର କରିବା ଆଉ ଏହାପରେ କରୋନା ସଂକ୍ରମଣ ବ୍ୟାପିବା ବରପିତାଙ୍କୁ ମହଙ୍ଗା ପଡ଼ିଛି । ବାହା ଭୋଜି ପରେ ବରଯାତ୍ରୀ କରୋନା ସଂକ୍ରମିତ ଠାବ ହେବା ପରେ ସେମାନଙ୍କୁ ସଙ୍ଗରୋଧ ରଖାଯାଇଛି । ସେମାନଙ୍କ ସଙ୍ଗରୋଧ ଖର୍ଚ ବାବଦରେ ୬.୨୬ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ନିର୍ଦେଶ ଦିଆଯାଇଛି । କେବଳ ସେତିକି ନୁହେଁ, ଭୋଜିରେ ଯୋଗ ଦେଇଥିବା ଲୋକଙ୍କ ମଧ୍ୟରୁ ଯେତେ ଲୋକ ସଙ୍ଗରୋଧରେ ରହିବେ ସେମାନଙ୍କର ସମସ୍ତ ଖର୍ଚ ବରପିତାଙ୍କୁ ବହନ କରିବାକୁ ପଡ଼ିବ ବୋଲି ପ୍ରଶାସନ ନିର୍ଦେଶ ଦେଇଛି ।  ରାଜସ୍ଥାନର ଭିଲୱାଡ଼ା ଅଞ୍ଚଳରେ ଘଟିଥିବା ଏହି ଘଟଣା ସାରା ଅଞ୍ଚଳରେ ଚର୍ଚାର ବିଷୟ ହୋଇଛି । ୩ ଦିନ ମଧ୍ୟରେ ସମସ୍ତ ଅର୍ଥ ପଇଠ କରିବାକୁ ପ୍ରଶାସନ ନିର୍ଦେଶ ଦେଇଛି ।

ଅନଲକ୍ ୧.୦ ସମୟରେ ବାହାଘର ଉପରେ କଟକଣା ରହିଛି । କୌଣସି ବାହାଘରରେ ସର୍ବାଧିକ ୫୦ ଜଣ ଲୋକ ଉପସ୍ଥିତ ରହିପାରିବା ପାଇଁ କେନ୍ଦ୍ର ସରକାର ନିୟମ କରିଛନ୍ତି । ମାତ୍ର ପୁଅ ବାହାଘର ନିମନ୍ତେ ଜଣେ ବ୍ୟକ୍ତି ଗତ ୧୬ ତାରିଖରେ ଶତାଧିକ ବ୍ୟକ୍ତିଙ୍କୁ ବରଯାତ୍ରୀ ରୂପେ ସାଥୀରେ ନେଇଥିଲେ ଓ ଭୋଜିଭାତରେ ଅଢ଼େଇଶହ ଲୋକଙ୍କୁ ନିମନ୍ତ୍ରଣ କରିଥିଲେ । ମାତ୍ର ବରଯାତ୍ରୀ ହୋଇ ଯାଇଥିବା ଶତାଧିକ ଲୋକଙ୍କ ମଧ୍ୟରୁ ୧୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ମାମଲା ପଦାକୁ ଆସିଥିଲା । ୧୯ ତାରିଖରେ ଜଣେ ବ୍ୟକ୍ତିଙ୍କୁ ଜ୍ବର, କାଶ ଆଦି ହେବା ପରେ ତାଙ୍କର କରୋନା ପରୀକ୍ଷା କରାଯାଇଥିଲା। ତାଙ୍କର ସ୍ବାବ ପରୀକ୍ଷା ପରେ ସେ କରୋନା ସଂକ୍ରମଣର ଶିକାର ହୋଇଥିବା ସୂଚନା ମିଳିଥିଲା ।  ଏହାପରେ   ବିବାହ କରିବାକୁ ଯାଇଥିବା ବର, ତାଙ୍କର ଜେଜେବାପା, ଦାଦା, ପିଉସୀ କରୋନା ସଂକ୍ରମଣର ଶିକାର ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ବରର ଜେଜେବାପା ମୃତ୍ୟୁବରଣ କରିଛନ୍ତି । ଅବଶ୍ୟ ସେ ଶ୍ବାସ ଓ ଅନ୍ୟାନ୍ୟ ରୋଗରେ ମଧ୍ୟ ପୀଡ଼ିତ ଥିଲେ।

ଏହାପରେ ବରଯାତ୍ରୀରେ ସାମିଲ ହୋଇଥିବା ସମସ୍ତ ୧୨୭ ଜଣଙ୍କୁ ସଙ୍ଗରୋଧରେ ରଖାଯାଇଛି । ପ୍ରଥମ ପର୍ଯ୍ୟାୟରେ ଏଥିପାଇଁ ପ୍ରଶାସନ ତାଙ୍କୁ ୬.୨୬ ଲକ୍ଷ ଟଙ୍କା ଜୋରିମାନା କରିଛି । ସଙ୍ଗରୋଧରେ ରହିଥିବା ଏହି ବ୍ୟକ୍ତିମାନଙ୍କ ସମସ୍ତ ଖର୍ଚ ସମ୍ପୃକ୍ତ ବ୍ୟକ୍ତିଙ୍କଠାରୁ ଆଦାୟ କରିବାକୁ ବିଭାଗୀୟ ଅଧିକାରୀଙ୍କୁ  ଭିଲୱାରା ଜିଲାପାଳ ନିର୍ଦେଶ ଦେଇଛନ୍ତି ।

Comments are closed.