ପୋଷ୍ଟାଲ ସାଜିବ ମାଧ୍ୟମ; ପୋର୍ଟାଲରେ ପଡ଼ିବ ହାତଗଣ୍ଠି

ଆଇନ ବିଭାଗ ଆଣିଲା ସ୍ବତନ୍ତ୍ର ବିବାହ ନିୟମ-୨୦୨୦

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ପକ୍ଷରୁ ବିବାହ ପ୍ରମାଣପତ୍ରରେ କିଭଳି ବୈଷୟିକ ଜ୍ଞାନକୌଶଳ ବ୍ୟବହାର କରାଯାଇ ସୁରୁଖୁରୁରେ ବିବାହ ସମ୍ପନ୍ନ ହୋଇପାରିବ ସେନେଇ ନୂଆ ତରିକା ଆପଣାଯାଇଛି। ଏଣିକି ପୋଷ୍ଟାଲ ସାଜିବ ମାଧ୍ୟମ ଏବଂ ଇ-ପୋର୍ଟାଲରେ ପଡିବ ହାତଗଣ୍ଠି । ତେବେ ଡିଜିଟାଲ ଯୁଗରେ ଏହି ଅତ୍ୟାଧୁନିକ ପ୍ରକ୍ରିୟାରେ ବିବାହ ପାଇଁ ବରକନ୍ୟା ପକ୍ଷଙ୍କୁ କିଛି ଅର୍ଥ ରାଜକୋଷକୁ ଦେବାକୁ ପଡ଼ିବ। ଏହିଭଳି ଏକ ବିଜ୍ଞପ୍ତି ଆଇନ ବିଭାଗ ପକ୍ଷରୁ ଶୁକ୍ରବାର ଜାରି କରାଯାଇଛି।
ଆଇନ ବିଭାଗ ପ୍ରମୁଖ ଶାସନ ସଚିବ ଶଶିକାନ୍ତ ମିଶ୍ର ଜାରି କରିଥିବା ବିଜ୍ଞପ୍ତି ଅନୁଯାୟୀ ରାଜ୍ୟ ସରକାରଙ୍କ ବିବାହ ଆଇନ-୧୯୫୪ ଏବଂ ୧୯୫୫କୁ ୨୦୨୦ରେ ସଂଶୋଧିତ କରାଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ବିବାହ ଆଇନ-୨୦୨୦ ଅନୁଯାୟୀ ଏଣିକି ଆଉ କାଗଜପତ୍ର ଫର୍ମ ବ୍ୟବହାର ନକରି ଅନଲାଇନ ପୋର୍ଟାଲରେ ଉପଲବ୍ଧ ଇ-ଫର୍ମ ଜରିଆରେ ବର କିମ୍ବା କନ୍ୟା ପ୍ରଥମେ ବିବାହ ପାଇଁ ଆବେଦନ କରିବେ। ଲୋକେ କାର୍ଯ୍ୟାଳୟକୁ ନ ଦୌଡ଼ି ଘରେ ବସି ୱେବ୍ ପୋର୍ଟାଲ ଜରିଆରେ ଆବେଦନ କରିବେ। ଆବେଦନ ପାଇବା ପରେ ବିବାହ ଅଧିକାରୀ ଉଭୟ ପକ୍ଷଙ୍କୁ ନୋଟିସ ଦେବେ। ସଂପୃକ୍ତ ବରକନ୍ୟାଙ୍କ ନିକଟକୁ ରେଜିଷ୍ଟ୍ରି ଜରିଆରେ ନୋଟିସ ପଠାଯିବ। ଉଭୟେ ଚାହିଁଲେ ଉପସ୍ଥିତ ରହି ପାରିବେ ନଚେତ୍ ଅନଲାଇନ ପୋର୍ଟାଲ ଜରିଆରେ ତାଙ୍କର ମତାମତ ଦେବେ। ଏଥିପାଇଁ ଉଭୟ ପକ୍ଷଙ୍କୁ ଇ-ଚାଲାଣ କାଟିବାକୁ ପଡ଼ିବ। ଯାହାକି ଟ୍ରେଜେରି ଜରିଆରେ ପଇଠ ହେବା ଦରକାର। ଆବେଦନପତ୍ର ସିଦ୍ଧ ହେବା ପରେ ଉଭୟପକ୍ଷଙ୍କ ମୋବାଇଲକୁ ବାର୍ତ୍ତା ଜରିଆରେ ଲଗ୍ଇନ୍ ଆଇଡି ଓ ପାସ୍ ୱାର୍ଡ ପ୍ରଦାନ କରାଯିବ। ୩୦ଦିନ ମଧ୍ୟରେ ଉଭୟପକ୍ଷ ଇ-ଚାଲାଣ ସହିତ ଫର୍ମର ଅନ୍ୟାନ୍ୟ ଆବଶ୍ୟକ କାଗଜପତ୍ର ଯୋଡି ଦେବାକୁ ହେବ। ଆବେଦନ ଫର୍ମ ପାଇଁ ୧୦୦ଟଙ୍କା ରଖାଯାଇଥିବାବେଳେ ପ୍ରତ୍ୟେକ ଥର ନୋଟିସ ପାଇଁ ୧୦୦ଟଙ୍କା ରହିଛି। ଯଦି କେହି ବିବାହକୁ ବିରୋଧ କରିବ ତେବେ ସେ କ୍ଷେତ୍ରରେ ମଧ୍ୟ ଅତିରିକ୍ତ ୧୦୦ଟଙ୍କା ଦେବାକୁ ପଡ଼ିବ। ଅଭିଯୋଗକୁ ତଦନ୍ତ ଲାଗି ୫୦୦ଟଙ୍କା ପଇଠ କରିବାକୁ ପଡ଼ିବ। ଅଭିଯୋଗ ଫଇସଲାର ପ୍ରତ୍ୟେକ ତାରିଖରେ ୧୨୫ ଟଙ୍କା ଅଭିଯୋଗକାରୀଙ୍କୁ ଦେବାକୁ ପଡ଼ିବ। ବିବାହ ପ୍ରମାଣପତ୍ରର ସାର୍ଟିଫିକେଟ ନକଲ ପାଇଁ ୧୦୦ଟଙ୍କା ଦେବାକୁ ନୂତନ ଆଇନରେ ରହିଥିବା ବେଳେ ୫୦୦ଟଙ୍କା ରହିଛି ବାହାରେ ଥିବା ବରକନ୍ୟାଙ୍କ ବିବାହ ପାଇଁ। ଏହାବାଦ୍ ବର୍ଷକୁ ୫୦ ଟଙ୍କା ଲେଖାଏଁ ବିବାହ ପ୍ରମାଣପତ୍ର ଖୋଜିବା ପାଇଁ ଲାଗିବ ବୋଲି ବିଭାଗ ପକ୍ଷରୁ ଧାର୍ଯ୍ୟ କରାଯାଇଛି। ତେବେ ବିବାହ କରାଉଥିବା ଅଧିକାରୀଙ୍କୁ ଏଥିଲାଗି କୌଣସି ଗସ୍ତଖର୍ଚ୍ଚ ସରକାରଙ୍କ ପକ୍ଷରୁ ଦିଆଯିବ ନାହିଁ। ବିବାହ କରୁଥିବା ଅଧିକାରୀ ଉଭୟପକ୍ଷଙ୍କ କାକଜପତ୍ର ଯାଞ୍ଚ କରିବା ପରେ ଯଦି ପରିତୃପ୍ତ ହେବେ ତେବେ ବିବାହ କରିବା ସହିତ ବିବାହ ପ୍ରମାଣପତ୍ର ମାଗଣାରେ ଯୋଗାଇ ଦେବାକୁ ଶ୍ରୀ ମିଶ୍ର ଦର୍ଶାଇଛନ୍ତି।

Comments are closed.