କରୋନା ମାଡ଼କୁ ବଳିଗଲା ମହଙ୍ଗା ମାଡ଼ : ଖାଁ ଖାଁ ଦଶହରା ବଜାର, କାହା ମୁହଁରେ ହସ ନାହିଁ

ତେଜରାତିଠାରୁ ପରିବା ସବୁ ମହଙ୍ଗା

ଭୁବନେଶ୍ବର : ଦେଶରେ ବଢ଼ିଚାଲିଛି କରୋନା ସଂକ୍ରମଣ । କରୋନାକୁ ନେଇ ଲୋକେ ଯେତିକି ବ୍ୟତିବ୍ୟସ୍ତ ନୁହଁନ୍ତି ଏବେ ମହଙ୍ଗା ବଜାରକୁ ନେଇ ତାଠାରୁ ଢ଼େର ଅଧିକ ଚିନ୍ତିତ । ଅନ୍‌ଲକ୍‌ ପରବର୍ତ୍ତୀ ସମୟରେ ସବୁକିଛି ‌କୋହଳ କରାଯାଇଥିଲେ ବି ସୁଧୁରିନି ବଜାର ସ୍ଥିତି । ଚାହିଦାରେ ହ୍ରାସ ବ୍ୟବସାୟ କାରବାରକୁ ଅଧିକ ମାନ୍ଦା କରିଦେଇଛି । ହୁ ହୁ ହୋଇ ବଢ଼ିଚାଲିଛି ପନିପରିବା ଆଉ ତେଜରାତି ସାମଗ୍ରୀ ଦର । ଅଣାୟତ୍ତ ହୋଇଯାଇଛି ବଜାର ସ୍ଥିତି । ଏଭଳି ସମୟରେ ବଜାର ଦର ମହଙ୍ଗା ହେବା ଖାଉଟିଙ୍କ ଉପରେ ବେଡି ଉପରେ କୋରଡା ମାଡ ସଦୃଶ । ରାଜ୍ୟର ହାଟ ବଜାରଗୁଡିକରେ ଆଳୁ ଓ ପିଆଜ ସହ ତେଜରାତି ସାମଗ୍ରୀ ଦର ନାହିଁ ନ ଥିବା ବଢ଼ିବାରେ ଲାଗିଛି । ବଜାରରେ ବର୍ତ୍ତମାନ ଖାଇବାତେଲ, ଡାଲି, ମଟର ଏବଂ ଚା ଦର ବଢିଥିବାବେଳେ ପିଆଜ ଓ ଟମାଟୋ ଯୋଗାଣ କମୁଛି , ଯାହା ଖୁଚୁରା ବଜାରକୁ ଅଧିକ ମହଙ୍ଗା କରିଦେଇଛି ।

ଆଜି ମା’ଙ୍କ ଷଷ୍ଠୀ ପୂଜା । ହେଲେ ଦଶହରା ପାଇଁ ଚଳଚଞ୍ଚଳ ହେବାକୁ ଥିବା ରାଜ୍ୟର ବଜାର ଆଉ ହାଟଗୁଡିକରେ ଦେଖିବାକୁ ମିଳୁନି ଗ୍ରାହକଙ୍କ ଭିଡ । ଅନ୍‌ଲକ୍‌ ପରବର୍ତ୍ତୀ ସମୟରେ କୋଭିଡ୍‌ କଟକଣା କୋହଳ ହେବା ପରେ ବଜାର ସ୍ଥିତି ସୁଧୁରିବା ନେଇ ଯାହା ଆଶା କରାଯାଉଥିଲା ସେମିତି କିଛି ହୋଇନାହିଁ । ଲକ୍‌ଡାଉନ୍‌ରେ ବିଭିନ୍ନ କମ୍ପାନୀ ଓ ବ୍ୟବସାୟିକ ପ୍ରତିଷ୍ଠାନ କାରବାର ନ ଥିବାରୁ କର୍ମଚାରୀ ଛଟେଇ କରିଥିଲେ । ଏବେ ତାହାର ପ୍ରଭାବ ବଜାର ଉପରେ ପଡିଛି । ସମ୍ପ୍ରତି ବଜାର‌େ‌ର ମହଙ୍ଗା ମାଡ ଖାଉଟିଙ୍କୁ ଅଧିକ ଅତିଷ୍ଠ କରିଦେଇଛି । ବଜାରରେ ବର୍ତ୍ତମାନ ଖାଇବାତେଲ, ଡାଲି, ଚିନି ଓ ମଟର ଦର ବଢିଥିବାବେଳେ ପନିପରିବା ଆକାଶଛୁଆଁ ଦର ଖାଉଟିଙ୍କୁ ବାଧୁଛି । ବିଗତ ଦୁଇ ମାସରେ ବଜାରରେ ଆଳୁ କିଲୋ ୨୫ ଟଙ୍କାରୁ ୩୫ ଟଙ୍କାକୁ ବୃଦ୍ଧି ଘଟିଛି ।

ତେବେ ସବୁଠାରୁ ଆଶ୍ଚର୍ୟ୍ୟକର କଥା ହେଉଛି ଏହି ତିନି ମାସ ମଧ୍ୟରେ ପିଆଜ କିଲୋ ପିଛା ୨୦ ଟଙ୍କାରୁ ଏବେ ୮୦ ଟଙ୍କାରେ ପହଞ୍ଚିଛି । ତେବେ ଏହି ସମୟ ମଧ୍ୟରେ ବଜାରରେ ଟମାଟୋ କିଲୋ ୬୦ ଟଙ୍କାରେ ପହଞ୍ଚିଛି । ବଜାରରେ ତେଲ, ଡାଲି ଏବଂ ଅଟା ସବୁର ମୂଲ୍ୟରେ ମାସକ ମଧ୍ୟରେ କିଲୋ ପିଛା ୧୦ ଟଙ୍କା ବୃଦ୍ଧି ଘଟିଛି । ବଜାର ଦର ଉପରେ ପ୍ରତିକ୍ରିୟା ପ୍ରକାଶ କରି ଓଡ଼ିଶା ରାଜ୍ୟ ବ୍ୟବସାୟୀ ମହାସଂଘର ସାଧାରଣ ସମ୍ପାଦକ ସୁଧାକର ପଣ୍ଡା କହିଛନ୍ତି ଯେ,, ବଜାରରେ ତେଜରାତି ସାମଗ୍ରୀ ଦର ପୂର୍ବାପେକ୍ଷା ଢେର ବଢ଼ିଯାଇଛି । ମଟର ଦର ବହୁ ଗୁଣ ବୃଦ୍ଧି ହୋଇଛି । କରୋନା ମହାମାରୀ ସମୟ (ଏପ୍ରିଲରୁ ଅକ୍ଟୋବର) ମଧ୍ୟରେ ଖୁଚୁରା ବଜାରରେ ଖାଇବା ତେଲ ମୂଲ୍ୟ ଲିଟର ପିଛା ୯୦ରୁ ୧୩୫ ଟଙ୍କା, ହରଡ ଡାଲି ୯୦ରୁ ୧୨୦ ଟଙ୍କା ଏବଂ ମୁଗ ଡାଲି ୯୦ରୁ ୧୧୦ ଟଙ୍କାକୁ ବୃଦ୍ଧି ଘଟିଛି । ତେବେ ଏହି ସମୟରେ ମଟର କିଲୋ ପିଛା ସର୍ବାଧିକ ୫୫ ଟଙ୍କାରୁ ୮୫ ଟଙ୍କାକୁ ବୃଦ୍ଧି ହୋଇଛି ।

ଏ ସମ୍ପର୍କରେ ଗୃହିଣୀ ସୁଷମା ନାୟକ କହିଛନ୍ତି ଯେ, ବର୍ତ୍ତମାନ ବଜାରରେ ପନିପରିବାଠାରୁ ତେଜରାତି ସାମଗ୍ରୀ ଦର ଯାହା ଏଥରେ ଘର ଚଳାଇବା ‌ବେଶ କଷ୍ଟକର । ଡାଲି,ତେଲ, ଆଳୁ ଓ ପିଆଜ ଦର ବଢ଼ିବା ଘରର ମାସିକ ବଜେଟ୍‌ ବଢ଼ାଇ ଦେଉଛି । ଗୋଟିଏ ସାଧାରଣ ପରିବାରକୁ ଏହା ନିଶ୍ଚିତ ଭାବେ ବାଧିବ । ପ୍ରସଙ୍ଗ ଉପରେ ମତ ରଖି ପୁଷ୍ପରଞ୍ଜନ ମଙ୍ଗରାଜ କହିଛନ୍ତି ଯେ, ଗୋ‌ଟିଏ ପଟେ କରୋନା ମାଡରେ ଲୋକେ ରୋଜଗାର ହରାଇଛନ୍ତି । ଅନ୍ୟପଟେ ଖାଉଟି ସାମଗ୍ରୀ ଦର ବଢ଼ିଚାଲିଛି । ଏଭଳି ସମୟରେ ଲୋକେ କେମିତି ଚଳିବେ ସରକାର ତାହାର ବ୍ୟବସ୍ଥା କରନ୍ତୁ । ବର୍ତ୍ତମାନ ସମୟ‌ରେ ‌ଲୋକଙ୍କୁ ରୋଜଗାର ଦରକାର ମହଙ୍ଗା ମାଡ ନୁହେଁ ।

ବଜାର ଦର ବୃଦ୍ଧିକୁ ନେଇ କେବଳ ଖାଉଟି ଅସନ୍ତୁଷ୍ଟ ତାହା ନୁହେଁ ବ୍ୟବସାୟୀ କମ୍‌ ଚିନ୍ତିତ ନୁହଁନ୍ତି । ଏ ସମ୍ପର୍କରେ ଚନ୍ଦ୍ରଶେଖରପୁର ଅଞ୍ଚଳର ବ୍ୟବସାୟୀ ସୁଶାନ୍ତ କୁମାର ଦାସ କୁହନ୍ତି, ଦର ଏଭଳି ବଢ଼ୁଛି ଆମେ କମ୍‌ ମାଲ ଆଣିବାକୁ ବାଧ୍ୟ ହେଉଛି । କାରଣ ବେପାର ନାହିଁ । ଆଳୁ ହେଉକି ପିଆଜ, ତେଲ ହେଉକି ଡାଲି ସବୁ ଦର ଉଚ୍ଚ ଥିବାରୁ ଲୋକେ ଖର୍ଚ୍ଚ କମାଇ ଦେଲେଣି । ବଜାରରେ ଚାହିଦା କମ୍‌ ଥିବାରୁ ଆମର ବେପାର ଏବେ ନାହିଁ କହିଲେ ଚଳିବ । ତେଣୁ ଦଶହରା ସମୟରେ ହେଉଥିବା ଏହି ମହଙ୍ଗା ଖାଉଟିଙ୍କ ମୁହଁରୁ ହସ ଛଡାଇ ନେଇଛି ।

Comments are closed.