ଆକାଶ ଛୁଆଁ ପରିବା ଦର : ଟଙ୍କିକିଆ ଚାଉଳକୁ ପିଆଜ ୮୦, ଆଳୁ ୪୦

ଭୁବନେଶ୍ବର : ଏବେ ପରିବା ଦର ଆକାଶ ଛୁଆଁ। ବିଗତ ମାସେ ଧରି ଏହି ଦର ବୃଦ୍ଧି ପାଇବା ଗ୍ରାହକଙ୍କ ପକେଟ କାଟୁଛି। ଦିନକ ପରେ କାର୍ତ୍ତିକ ଆରମ୍ଭ। ଆମିଷ ଚାହିଦା କମିବ; ବଢ଼ିବ ପରିବା ଝୁଡ଼ିରେ ଚାପ। ଅପରପକ୍ଷରେ ପବିତ୍ର କାର୍ତ୍ତିକରେ ହବିଷ୍ୟାଳି ବ୍ରତ କରିବେ। ପରିବା ଦର ବୃଦ୍ଧି ଯୋଗୁଁ ସମସ୍ତେ ଚିନ୍ତିତ ହୋଇ ପଡ଼ିଛନ୍ତି। ଅତ୍ୟାବଶ୍ୟକ ସାମଗ୍ରୀରୁ ଆଳୁ, ପିଆଜ ବାଦ ପଡ଼ିବାପରେ ଗୋଟିଏ ପଟେ ଉଭୟଙ୍କ ଦର ବେଲଗାମ ହୋଇଥିବା ବେଳେ ଅନ୍ୟପଟେ ସବୁଜ ପନିପରିବା ମୂଲ୍ୟ ବୃଦ୍ଧି ଖାଉଟିଙ୍କୁ ହତାଶ କରିଛି। ସରକାର ଗରିବଙ୍କୁ ୧ ଟଙ୍କାରେ ଚାଉଳ, ଗହମ ଯୋଗାଉଥିବା ବେଳେ ତା ପାଇଁ ୮୦ ଟଙ୍କାର ପିଆଜ ପଖାଳ କଂସା ଉପରେ ମାଡ଼ ପକାଇଛି। ବର୍ତ୍ତମାନ କଖାରୁ ଓ ଅମୃତଭଣ୍ଡାଙ୍କୁ ଛାଡ଼ିଦେଲେ ବଜାରରେ କୌଣସି ପରିବା ଦର କେଜି ପିଛା ୫୦ ଟଙ୍କାରୁ କମ୍‌ରେ ନାହିଁ। ଗୋଟିଏ ପଟେ ଖୁଚୁରା ବେପାରୀ କହୁଛନ୍ତି ହୋଲସେଲ ବଜାରରେ ଦାମ ବୃଦ୍ଧି ଯୋଗୁଁ ସେମାନେ ନିରୂପାୟ। ତେଣେ ହୋଲସେଲ ବ୍ୟବସାୟୀ କହୁଛନ୍ତି ନିକଟରେ ବର୍ଷା ବନ୍ୟାରେ ପରିବା ଚାଷ ନଷ୍ଟ ହୋଇଯାଇଛି। ଆମଦାନୀ କମ ରହୁଛି। ସ୍ଥାନୀୟ ଅଞ୍ଚଳର ପରିବା ବାହାରିବାକୁ ଆହୁରି ମାସେ, ଦେଢ଼ମାସ ଅପେକ୍ଷା କରିବାକୁ ପଡ଼ିବ । ତେଣୁ ପରିବା ଦର ବାଡ଼ିମୂଳେ ଉଚ୍ଚା ରହିଛି।

ଅନ୍ୟପକ୍ଷରେ ଖାଉଟିଙ୍କ ଅଭିଯୋଗ ହେଉଛି ଯେ ପରିବା ଦର ଉପରେ ସରକାରଙ୍କ ଯୋଗାଣ ବିଭାଗର ଲଗାମ ନାହିଁ । ତେଣୁ ବେପାରୀମାନେ ଖାଉଟିଙ୍କୁ ଶୋଷଣ କରୁଛନ୍ତି । ତେବେ ଶୁକ୍ରବାର ଆମିଷ ବାର ବି ପରିବା ବଜାର ଦର ଉଚ୍ଚା ରହିଛି। ପିଆଜ କିଲୋ ୮୦ ଟଙ୍କା, ଆଳୁ କିଲୋପ୍ରତି ୩୫ରୁ ୪୦, ବାଇଗଣ କଳା ୪୦ରୁ ୫୦, ଧଳା ଲମ୍ବା ୫୦ରୁ ୬୦, ଗୋଲ ୬୦ରୁ ୭୦ ଟଙ୍କା ରହିଥିଲା । କଲରା (ଛୋଟ) ୬୦, ଲମ୍ବା ୫୦, ବିନ୍ସ (ପେନସିଲ) ୮୦, ରାଇକିଆ ୧୦୦, ମାଟିଆଳୁ କିଲୋ ୫୦, ସାରୁ ୪୦, କଖାରୁ ଗୋଟା କିଲୋ ୨୦ ଏବଂ କଟା ୩୦, ଅମୃତଭଣ୍ଡା କିଲୋ ୨୫, ଲାଉ ୩୦, ଭେଣ୍ଡି ୬୦, ଫୁଲକୋବି ଗୋଟା ୪୦ରୁ ୫୦, ବନ୍ଧାକୋବି କିଲୋ ୫୦, ଝୁଡ଼ଙ୍ଗ ୬୦, ଶାଗ କୋଶଳା ବିଡ଼ା ୧୦, କଞ୍ଚାଲଙ୍କା କିଲୋ ୧୫୦, ଗାଜର, ବିଟ କିଲୋ ୪୦, କ୍ୟାପ୍ସିକମ୍ (ସିମିଳା ଲଙ୍କା) ୧୪୦ରୁ ୧୫୦ ଟଙ୍କା ରହିଛି । ଫଳରେ ଖଟିଖିଆ, ଗରିବ ଓ ମଧ୍ୟବିତ୍ତଙ୍କ ହାଣ୍ଡିଶାଳରେ ମହଙ୍ଗାମାଡ଼ ପଡ଼ିଛି ।

Comments are closed.