୫୦ ଟପିଲା ଆଳୁ, ଖାଉଟି ଅତିଷ୍ଠ

ଯୋଗାଣ ବିଭାଗର ନିଘା ନାହିଁ

ଭୁବନେଶ୍ୱର : ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରୁ ଆଳୁ, ପିଆଜକୁ ବାଦ ଦିଆଯିବା ପରେ ଏହା ଉପରେ ରାଜ୍ୟ ସରକାରଙ୍କର ଆଉ ନିୟନ୍ତ୍ରଣ ରହୁନି। ପିଆଜର ଅତ୍ୟଧିକ ମୂଲ୍ୟବୃଦ୍ଧି ଯୋଗୁଁ ମାସାଧିକ କାଳ ଖାଉଟି ହନ୍ତସନ୍ତ ହେବାପରେ ଦାମ୍‌ ଟିକେ ଖସୁଥିବାବେଳେ ଏବେ ଆଳୁର ମହଙ୍ଗା ମାଡ଼ରେ ଖାଉଟି ଅତିଷ୍ଠ ହେଲେଣି। ଗତ ୨ ମାସ ମଧ୍ୟରେ ଆଳୁ, ପିଆଜ ଦର ଦୁଇଗୁଣା ବୃଦ୍ଧି ହୋଇଛି । ବର୍ତ୍ତମାନ ପିଆଜ ଦରରେ ସାମାନ୍ୟ ହ୍ରାସ ହୋଇଥିଲେ ହେଁ ଆଳୁ ଦର କମିବାର ନାଁ ଧରୁନି। ଲଗାତର ଦର ବୃଦ୍ଧି ଖାଉଟିଙ୍କୁ ଖୁବ୍ ବାଧୁଛି । ଅନ୍ୟପଟେ ସରକାରଙ୍କ ଦୂରଦୃଷ୍ଟି ଏବଂ ଆନ୍ତରିକତାର ଅଭାବ ଏଥିପାଇଁ ଦାୟୀ ବୋଲି ଅଭିଯୋଗ କରିଛି ରାଜ୍ୟ ବ୍ୟବସାୟୀ ମହାସଂଘ।
୨ ମାସ ତଳେ ଆଳୁ କେଜି ୧୫ରୁ ୨୦ ଟଙ୍କା ରହିଥିଲା ା ବର୍ତ୍ତମାନ ତାହା ୫୦ ଟଙ୍କା ଟପିଲାଣି। ସେହିପରି ଜୁଲାଇ ଏବଂ ଅଗଷ୍ଟରେ ପିଆଜ କିଲୋ ଦାମ ୨୫ରୁ ୩୦ ଥିଲା। ସେପ୍ଟେମ୍ବର ଏବଂ ଅକ୍ଟୋବରରେ ହଠାତ ୮୦ ଟଙ୍କାରେ ପହଞ୍ଚିଥିଲା। ବର୍ତ୍ତମାନ ଆମଦାନୀ ସ୍ବାଭାବିକ ହେବା ଏବଂ ନୂଆ ଆନ୍ଧ୍ର ପିଆଜ ଆସିବା ପରେ ପିଆଜ କିଲୋ ୫୫ରୁ ୬୦ ଟଙ୍କା ଟଙ୍କାକୁ ଖସିଛି। ସେହିପରି ଧର୍ମମାସ କାର୍ତ୍ତିକରେ ଅଧିକାଂଶ ଘରେ ଆମିଷ ପଶୁନଥିବାରୁ ପରିବା ଦର ବି ଖସୁନାହିଁ। ଅଧିକାଂଶ ପରିବା ଦର କିଲୋ ୩୦ରୁ ୪୦ ଟଙ୍କା ମଧ୍ୟରେ ରହିଛି । ଯାହାକୁ ନେଇ ଏବେ ଖାଉଟି ଚିନ୍ତାରେ ଅଛନ୍ତି। ରାଜ୍ୟରେ ବର୍ଷକୁ ୧୪ ଲକ୍ଷ ଟନ୍ ଆଳୁ ଆବଶ୍ୟକ ହେଉଥିବା ବେଳେ ରାଜ୍ୟରେ ଉତ୍ପାଦନ ହେଉଛି କେବଳ ୭୦ରୁ ୮୦ ହଜାର ଟନ୍ । ବଳକା ୧୩ ଲକ୍ଷ ଟନ୍ ଆଳୁ ପାଇଁ ଉତ୍ତର ପ୍ରଦେଶ ଏବଂ ପଶ୍ଚିମ ବଙ୍ଗ ଉପରେ ରାଜ୍ୟ ଉପରେ ର୍ନିଭର କରିବାକୁ ପଡୁଛି । ତେବେ ବର୍ତ୍ତମାନ ପାଗ ଉତ୍ତମ ଥିବା ଏବଂ ଆମଦାନୀ ସ୍ବାଭାବିକ ରହିଥିଲେ ବି ଆଳୁଦର କମୁନାହିଁ। ଅପରପକ୍ଷରେ ପଶ୍ଚିମ ବଙ୍ଗ ଏବଂ ଉତ୍ତର ପ୍ରଦେଶରେ ଆଳୁଦର ଉଚ୍ଚା ଥିବାରୁ ରାଜ୍ୟରେ ଆଳୁଦର ବଢ଼ିଥିବା ବ୍ୟବସାୟୀ ମହାସଂଘ ସାଧାରଣ ସମ୍ପାଦକ ସୁଧାକର ପଣ୍ଡା ଏବଂ ଆଇଗିଣିଆ କୁବେରପୁରୀ ବ୍ୟବସାୟୀ ସଂଘ ସମ୍ପାଦକ ଶକ୍ତିପ୍ରସାଦ ମିଶ୍ର କହିଛନ୍ତି। ଆଜି ଆଳୁ ପାଇକାରୀ ମୂଲ୍ୟ କୁଇଣ୍ଟାଲ ପିଛା ୩୮୦୦ରୁ ୩୯୦୦ ଟଙ୍କା ରହିଥିଲା।
ସେହପରି ଖାଇବା ତେଲ ଉପରେ ୧୫ ପ୍ରତିଶତରୁ ଅଧିକ ଦର ବୃଦ୍ଧି ଘଟିଛି। ସନଫ୍ଲାୱାର, ରିଫାଇନ ଲିଟର ୧୨୫ ଟଙ୍କାରେ ପହଞ୍ଚିଲାଣି। ଦୁଇମାସ ପୂର୍ବେ ଏହା ୧୧୦ ଟଙ୍କା ରହିଥିଲା। ଦେଶରେ ୨ କୋଟି ଟନ୍ ଖାଇବା ତେଲ ଦରକାର ହେଉଥିବା ବେଳେ ଉତ୍ପାଦନ ହେଉଛି କେବଳ ୬୦ ଲକ୍ଷ ଟନ୍ । ବାକି କୋଟିଏ ୪୦ ଲକ୍ଷ ଟନ୍ ବିଦେଶରୁ ଆସୁଛି । ତାଛଡା ସରକାର ପାମୋଲିନ ତେଲ ଉପରେ ୪୩ ପ୍ରତିଶତ ଏବଂ ସନଫ୍ଲାଓ୍ୱାର ବା ରିଫାଇନ୍ ତେଲ ଉପରେ ୩୮ ପ୍ରତିଶତ ଇମ୍ପୋର୍ଟ ଟାକ୍ସ ନେଉଥିବା ବେଳେ ଜିଏସଟି ବି ରହିଛି। ଏହା ଦରବୃଦ୍ଧିର ମୁଖ କାରଣ ବୋଲି କହିଛନ୍ତି ବ୍ୟବସାୟୀ ମହାସଂଘ ସମ୍ପାଦକ। ଦୁଇଦିନ ପୂର୍ବେ ସରକାର ଇମ୍ପୋର୍ଟ ଟାକ୍ସ ୧୦ ପ୍ରତିଶତ କମାଇଛନ୍ତି, ହେଲେ ଏହାକୁ ୨୦ ପ୍ରତିଶତ କଲେ ଦର ସୁହାଇବ ବୋଲି କହିଛି ବ୍ୟବସାୟୀ ସଂଘ।
ଅନ୍ୟପକ୍ଷରେ ଆଳୁ, ପିଆଜ ଦର ନିୟନ୍ତ୍ରଣ ଦିଗରେ ଯୋଗାଣ ବିଭାଗର ନିଘା ନାହିଁ। ଅଧିକାଂଶ ବଜାର, ଗୋଦାମରେ ଆଳୁ ଗଚ୍ଛିତ ରଖି କିଛି ଅସାଧୁ ବ୍ୟବସାୟୀ ମନଇଚ୍ଛା ଦରରେ ବିକ୍ରି କରୁଥିଲେ ବି ବଜାର ଗୁଇନ୍ଦା ବିଭାଗ ପକ୍ଷରୁ କୌଣସି ସ୍ଥାନରେ ଚଢ଼ାଉ କରାଯାଉନାହିଁ। ମାସ ମାସ ଧରି ବଜାର ସ୍ଥିତି ଅସମ୍ଭାଳ ଅବସ୍ଥାରେ ଥିଲେ ବି ଯୋଗାଣ ବିଭାଗର ନିଦ ଭାଙ୍ଗୁନି।

Comments are closed.