ଭାରତକୁ ଆତ୍ମନିର୍ଭର ହେବାରେ ସାହାଯ୍ୟ କରିବ ସାମୁଦ୍ରିକ ଅଭିବୃଦ୍ଧି – ମୋଦୀ

ଭାରତ ସାମୁଦ୍ରିକ କ୍ଷେତ୍ରରେ ଅଭିବୃଦ୍ଧି ହାସଲ କରିବାକୁ ଜୋରସୋରରେ ଉଦ୍ୟମ ଆରମ୍ଭ କରିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଭାରତ ଏ କ୍ଷେତ୍ରରେ ବିଶ୍ୱରେ ଶୀର୍ଷ ସ୍ଥାନରେ ପହଞ୍ଚିବାକୁ ଯାଉଛି ବୋଲି ଦ୍ୱିତୀୟ ଭାରତୀୟ ସାମୁଦ୍ରିକ ଶିଖର ବୈଠକ ୨୦୨୧କୁ ଉଦ୍‍ଘାଟନ କରି ପ୍ରଧାନମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି, ଏ କ୍ଷେତ୍ରରେ ଭାରତର ବେଶ୍‍ ଦକ୍ଷତା ରହିଛି ଓ ଭାରତ ସାମୁଦ୍ରିକ ଅର୍ଥନୀତିର ବିକାଶରେ ନାହିଁ ନ ଥିବା ସଫଳତା ହାସଲ କରିବ। ବିଭିନ୍ନ ସଂସ୍କାର ମାଧ୍ୟମରେ ସରକାର ବିଶ୍ୱସ୍ତରୀୟ ସାମୁଦ୍ରିକ ମୌଳିକ ଢାଞ୍ଚାର ସୃଷ୍ଟି ପାଇଁ କାର୍ଯ୍ୟ କରୁଥିବାର ପ୍ରଧାନମନ୍ତ୍ରୀ କହିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଏହିସବୁ ପଦକ୍ଷେପ ଭାରତକୁ ଆତ୍ମନିର୍ଭର ହେବାରେ ସାହାଯ୍ୟ କରିବ।

ସେ କହିଛନ୍ତି, କୌଣସି ଗୋଟିଏ କ୍ଷେତ୍ର ଉପରେ ଗୁରୁତ୍ୱ ଦିଆନଯାଇ ସମସ୍ତ କ୍ଷେତ୍ର ଉପରେ ଗୁରୁତ୍ୱ ଦିଆଯାଉଛି। ବନ୍ଦର କ୍ଷେତ୍ରରେ ପୁଞ୍ଜିନିବେଶ ବୃଦ୍ଧି କରି ସରକାର ସାମୁଦ୍ରିକ କ୍ଷେତ୍ରର ବିକାଶ ପାଇଁ ଅନେକ ପଦକ୍ଷେପ ନେଇଥିବାର ପ୍ରଧାନମନ୍ତ୍ରୀ ଜଣାଇଛନ୍ତି। ଅର୍ଥନୀତିର ବିକାଶରେ ସାମୁଦ୍ରିକ କ୍ଷେତ୍ରର ଗୁରୁତ୍ୱ ବିଷୟ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ବନ୍ଦରଗୁଡ଼ିକୁ ଉପକୂଳ ଅର୍ଥନୈତିକ ଜୋନ୍‍ ଗୁଡ଼ିକ ସହ ସଂଯୋଗ କରିବା ଲକ୍ଷ୍ୟରେ ଏହିସବୁ ପଦକ୍ଷେପ ନିଆଯାଇଛି। ଏହାଦ୍ୱାରା ବନ୍ଦର ଭିତ୍ତିକ ସ୍ମାର୍ଟ ସହର ସୃଷ୍ଟି ହୋଇପାରିବ ଓ ବନ୍ଦରଗୁଡ଼ିକ ନିକଟରେ ଆନ୍ତର୍ଜାତିକ ଚାହିଦାର ପୂରଣ ପାଇଁ ଉତ୍ପାଦନ ଆରମ୍ଭ କରାଯାଇ ପାରିବ।

ସେ କହିଛନ୍ତି, ସରକାର ୪୦୦ରୁ ଅଧିକ ପ୍ରକଳ୍ପକୁ ଚିହ୍ନଟ କରିଛନ୍ତି ଓ ସେଗୁଡ଼ିକରେ ୩ ହଜାର ୧୦୦ କୋଟି ଡଲାରରୁ ଅଧିକ ପୁଞ୍ଜିନିବେଶ ହୋଇପାରିବ। ସାଗରମାଳା ପ୍ରକଳ୍ପରେ ୫୭୪ଟି ପ୍ରକଳ୍ପ ଚିହ୍ନଟ କରାଯାଇଛି। ସେଗୁଡ଼ିକ ବାବଦରେ ୮ ହଜାର ୨୦୦ କୋଟି ଡଲାର ଖର୍ଚ୍ଚ ହେବ। ସେ କହିଛନ୍ତି, ସରକାର ଦ୍ୱିପାଞ୍ଚଳ ମୌଳିକ ଢାଞ୍ଚା ଓ ପରିବେଶର ସାମୁହିକ ବିକାଶ ପ୍ରତି ଗୁରୁତ୍ୱ ଦେଉଛନ୍ତି। ଏଥିପାଇଁ ପୁନର୍ବ୍ୟବହାରକ୍ଷମ ଶକ୍ତିର ବ୍ୟବହାରକୁ ଉତ୍ସାହିତ କରାଯାଉଛି। ସେ କହିଛନ୍ତି, ସରକାର ମଧ୍ୟ
ଜଳପଥଗୁଡ଼ିକରେ ପୁଞ୍ଜିନିବେଶ କରୁଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି, ବିଗତ ୬ ବର୍ଷ ଭିତରେ ବନ୍ଦରଗୁଡ଼ିକର ମୋଟାମୋଟି କ୍ଷମତା ଦ୍ୱିଗୁଣିତ ହୋଇପାରିଛି। ଏହା ଅର୍ଥନୈତିକ ବିକାଶରେ ସହାୟକ ହେଉଛି ଓ ଭାରତୀୟ ସାମଗ୍ରୀ ଗୁଡ଼ିକର ଚାହିଦା ବୃଦ୍ଧି ପାଉଛି। ସେ କହିଛନ୍ତି, ୨୦୩୦ ସୁଦ୍ଧା ୨୩ଟି ଜଳପଥକୁ କାର୍ଯ୍ୟକାରୀ କରାଇବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି। ୭୮ଟି ବତୀଘର ନିକଟରେ ଥିବା ଜମି ଗୁଡ଼ିକୁ ପର୍ଯ୍ୟଟନସ୍ଥଳୀ ଭାବେ ବିକଶିତ କରିବାକୁ ଏକ ଯୋଜନା ପ୍ରସ୍ତୁତ କରାଯାଇଛି। ଭାରତୀୟ ବନ୍ଦରଗୁଡ଼ିକରେ ପୁଞ୍ଜିନିବେଶ କରିବାକୁ ପ୍ରଧାନମନ୍ତ୍ରୀ ବେସରକାରୀ କ୍ଷେତ୍ର ଓ ବିଶ୍ୱର ଅନ୍ୟାନ୍ୟ ରାଷ୍ଟ୍ରକୁ ଆମନ୍ତ୍ରଣ ଜଣାଇଛନ୍ତି। ଶ୍ରୀ ମୋଦୀ କହିଛନ୍ତି, ଦେଶରେ ଜାହାଜ ନିର୍ମାଣ କରାଯିବା ପ୍ରତି ସରକାର ଆଲୋକପାତ କରିବା ସହ ଆନ୍ତର୍ଜାତିକ ସ୍ତରରୁ ଏହା ଉପରେ ଶିକ୍ଷା ଲାଭ ପାଇଁ ଉଦ୍ୟମ ଚଳାଇଛନ୍ତି। ପୂର୍ବରୁ ଶ୍ରୀ ମୋଦୀ ମ୍ୟାରିଟାଇମ୍‍ ଭିଜନ ୨୦୩୦ ଇ-ବୁକ୍‍ ଉନ୍ମୋଚନ କରିଥିଲେ। ଏଥିରେ ସାମୁଦ୍ରିକ ବିକାଶ ପାଇଁ ଉଦ୍ଦିଷ୍ଟ କ୍ଷେତ୍ରଗୁଡ଼ିକୁ ଚିହ୍ନଟ କରାଯାଇଛି। ଏହା ବିଦେଶୀ ପୁଞ୍ଜି ନିବେଶକୁ ଆକୃଷ୍ଟ କରିବ। ପ୍ରଧାନମନ୍ତ୍ରୀ ସାଗର ମନ୍ଥନ ସାମୁଦ୍ରିକ ସୁରକ୍ଷା ସୂଚନା ବ୍ୟବସ୍ଥାର ମଧ୍ୟ ଶୁଭାରମ୍ଭ କରିଛନ୍ତି।

Comments are closed.