ମାର୍ଗଶିରର ମହକ

ବର୍ଷକ ୧୨ମାସ ମଧ୍ୟରୁ ଶ୍ରେଷ୍ଠ ମାସ ଭାବେ ମାନ୍ୟତା ମିଳେ ମାର୍ଗଶିରକୁ। ଭଗବାନ ଶ୍ରୀକୃଷ୍ଣ ମଧ୍ୟ ଗୀତାର ଦଶମ ଅଧ୍ୟାୟରେ କହିଛନ୍ତି – ମାସାନାଂ ମାର୍ଗଶୀର୍ଷୋଽହଂ ଅର୍ଥାତ୍‍ ମାସମାନଙ୍କ ମଧ୍ୟରେ ମୁଁ ହେଉଛି ମାର୍ଗଶିର। ସଖା ଅର୍ଜୁନଙ୍କୁ ଏଇ ମାସରେ ଗୀତାଜ୍ଞାନ ଦେଇଥିଲେ ଭଗବାନ ଶ୍ରୀକୃଷ୍ଣ। ମାର୍ଗଶିର ହିଁ ଥିଲା ଭଗବାନ ଶ୍ରୀରାମ ଓ ମାତା ସୀତାଙ୍କର ବିବାହ ମାସ। ସାରା ଶ୍ରାବଣ, ଶିବଙ୍କ ପାଇଁ ସମର୍ପିତ ଥିଲା ପରି ମାର୍ଗଶିର ମାସଟି କିନ୍ତୁ ମା’ ଲକ୍ଷ୍ମୀଙ୍କ ପାଇଁ ଉତ୍ସର୍ଗିକୃତ। ମାସର ପ୍ରଥମ ଗୁରୁବାରରୁ ମାଆଙ୍କ ସ୍ୱତନ୍ତ୍ର ଆରାଧନା ଆରମ୍ଭ ହୋଇ ଶେଷ ହୁଏ, ଶେଷପାଳି ଗୁରୁବାରରେ। ମାଆଙ୍କ ପ୍ରିୟ ବାର, ଗୁରୁବାର ହେଉଛି ଦେବଗୁରୁ ବୃହସ୍ପତିଙ୍କର ବି ବାର। ମାଆ ଲକ୍ଷ୍ମୀଙ୍କ ଗୁରୁବାର ପୂଜା ବି ବୃହସ୍ପତିଙ୍କର ଏକ ପ୍ରକାର ପୂଜାର୍ଚ୍ଚନା।

ହିନ୍ଦୁ ଧର୍ମରେ ଲକ୍ଷ୍ମୀଙ୍କୁ ଏତେ ମହତ୍ତ୍ବ ଦିଆଯାଇଛି ଯେ ଶଯ୍ୟାରୁ ଉଠିଲା କ୍ଷଣି ମାଆ ଲକ୍ଷ୍ମୀଙ୍କ ସ୍ତୁତିରୁ ହିଁ ଶୁଭାରମ୍ଭ ହୁଏ ଦିନଟିର – “କରାଗ୍ରେ ବସତେ ଲକ୍ଷ୍ମୀ, କରମଧ୍ୟେ ସରସ୍ୱତୀ, କରମୂଳେ ତୁ ଗୋବିନ୍ଦ, ପ୍ରଭାତେ କରଦର୍ଶନମ୍‍”। ସମଗ୍ର ସୃଷ୍ଟିରେ ଭଗବାନ ବିଷ୍ଣୁ ଆଦିମୂଳ ହେଲେ, ତାଙ୍କୁ ସହାୟତା କରୁଥିବା ମାଆ ଲକ୍ଷ୍ମୀ ହେଉଛନ୍ତି ସୃଷ୍ଟିର ଆଦିମାତା। ସାଗରସୁତା ମାଆ ଲକ୍ଷ୍ମୀ ହେଉଛନ୍ତି ଅନ୍ନଦାତ୍ରୀ। ସମୃଦ୍ଧିର ସାଧନ, ଧନ-ସମ୍ପତ୍ତିର ଅଧିଷ୍ଠାତ୍ରୀ ଦେବୀ ସେ। ଏଣୁ ଲକ୍ଷ୍ମୀଙ୍କ ବିନା, ସୃଷ୍ଟିର ସ୍ଥିତି ଓ ବ୍ୟାପ୍ତି, କ’ଣ କେବେ କଳ୍ପନୀୟ? ଏଣୁ ବେଦମାତା ମଧ୍ୟ ମାଆଙ୍କ ବନ୍ଦନା କରିବାକୁ ଭୁଲି ନାହାନ୍ତି – “ସିଦ୍ଧିଲକ୍ଷ୍ମୀ ମୋକ୍ଷଲକ୍ଷ୍ମୀ ଜୟଲକ୍ଷ୍ମୀ ସରସ୍ୱତୀ / ଶ୍ରୀଲକ୍ଷ୍ମୀ ବରଲକ୍ଷ୍ମୀଶ୍ଚ ପ୍ରସନ୍ନ ଭବ ସର୍ବଦା”। ଅଷ୍ଟନିଧିର ଅଧିଷ୍ଠାତ୍ରୀ ଦେବୀ ମାଆ ଲକ୍ଷ୍ମୀ ହେଉଛନ୍ତି ଶାନ୍ତି, ସିଦ୍ଧି, ବୁଦ୍ଧି, ସୌଭାଗ୍ୟ, ସୌନ୍ଦର୍ଯ୍ୟ, ଯଶ, ମୋକ୍ଷ, ଆନନ୍ଦର ଦେବୀ। ସେଥିପାଇଁ ସେ ମଧ୍ୟ ଅଷ୍ଟଲକ୍ଷ୍ମୀ ଭାବେ ପୂଜିତା। ବିଶ୍ୱବିଧାତା ଜଗତର ନାଥ ଶ୍ରୀଶ୍ରୀ ଜଗନ୍ନାଥଙ୍କ ପାବନକ୍ଷେତ୍ର ଉତ୍କଳରେ ତ ମାଆ ଲକ୍ଷ୍ମୀ ହେଉଛନ୍ତି ଓଡ଼ିଆ ଘରର ଅତି ଆଦରର। ସତେ ଯେମିତି ମାର୍ଗଶିର ଆସିଲା କ୍ଷଣି ଆସିଥାଆନ୍ତି ନିଜ ବାପ ଘରକୁ। ଆଉ, ମାଆଙ୍କ ଶୁଭ ଆଗମନାର୍ଥେ ଚଳଚଞ୍ଚଳ ହୋଇଉଠେ ଉତ୍କଳ ଭୂମି। ଧନୀଠୁ ଗରିବ, ବ୍ରାହ୍ମଣଠୁ ଚାଣ୍ଡାଳ, ସଭିଙ୍କ ମଧ୍ୟେ ଭରିଯାଏ ଉତ୍ସାହ, ଉଲ୍ଲାସ ଓ ଉଦ୍ଦୀପନା।

ପୁନଶ୍ଚ ଧାନ ହେଉଛି କୃଷିପ୍ରଧାନ ଓଡ଼ିଶାର ମୁଖ୍ୟ ଫସଲ। ମାର୍ଗଶିର ହେଉଛି ଅର୍ଦ୍ଧାଧିକ ଓଡ଼ିଶାର ଧାନ ଅମଳ ସମୟ। ଯେହେତୁ ଧନ ଓ ଧାନ୍ୟର ଦେବୀ ହେଉଛନ୍ତି ସେ, ଏଣୁ ସମଗ୍ର ଓଡ଼ିଆ ଜାତି ଅତି ଆଗ୍ରହ ଓ ଆବେଗରେ ଆରାଧନା କରିଥାଆନ୍ତି ତାଙ୍କୁ। ବର୍ଷର କମାଣିକୁ ମାପିବା ପାଇଁ ‘ମାଣ’କୁ ମାପକ ଭାବେ ବ୍ୟବହାର କରି ଆସିଛି ଚାଷୀପୁଅ, କେଉଁ ଆବହମାନ କାଳରୁ। ବେତ ନିର୍ମିତ ମାଣଟିକୁ ମାଆଙ୍କ ପ୍ରତୀକ ରୂପେ ମାନି, ପ୍ରତିଟି ପରିବାର ତାଙ୍କୁ ଭକ୍ତି ଅର୍ଘ୍ୟ ବାଢ଼େ ଖୁବ ନିଷ୍ଠାର ସହିତ। ଏଠି ମାଆଙ୍କ ମଣ୍ଡପ ହେଉଛି, ସୁସଜ୍ଜିତ ସ୍ୱତନ୍ତ୍ର ଖଟୁଲି। ଏହି ଖଟୁଲିରେ ସେହି ମାଣକୁ ବସାଇ ଧାନ ପେଣ୍ଡା ରଖି ଝୁଣା,ଚନ୍ଦନ, ସିନ୍ଦୂର, ଗନ୍ଧା, ହଳଦୀ ଆଦିରେ ଓଡ଼ିଆ ଘରଣୀ ଆବାହନ କରିଥାଏ, ଅତୀବ ଆଦର ଓ ଆଗ୍ରହରେ। ଏଇଥିପାଇଁ ମାର୍ଗଶିର ଗୁରୁବାରକୁ ମଧ୍ୟ ମାଣବସା ଗୁରୁବାର କୁହାଯାଏ। ଓଡ଼ିଆ ଘରର ଏହି ମାଣବସା ପୂଜା ଯେମିତି ବିରଳ, ସେମିତି ବି ମହତ୍ତ୍ବପୂର୍ଣ୍ଣ।

ପବିତ୍ରତାର ପ୍ରତୀକ ଯେମିତି, ସେମିତି ବି ପ୍ରେରଣାର ପ୍ରଖର ପ୍ରବାହ। ସ୍ୱଚ୍ଛ ଭାରତ ଅଭିଯାନର ଶହ ଶହ ବର୍ଷ ପୂର୍ବରୁ ଆଜି ପର୍ଯ୍ୟନ୍ତ ଓଡ଼ିଆ ଜାତି ବାଣ୍ଟି ଚାଲିଛି ସ୍ୱଚ୍ଛତାର ବାର୍ତ୍ତା, ମାଣବସା ପୂଜା ମାଧ୍ୟମରେ। ଘର-ବାହାର ଚାରିଦିଗେ ଓଡ଼ିଆ ଘରଣୀ ଅତି ସରାଗରେ ଗୋବରରେ ଲିପାପୋଛା କରି କାନ୍ଥବାଢ଼ରେ ପିଠଉ ପାଣିର ଝୋଟିରେ ସୁନ୍ଦର ସୁନ୍ଦର ଚିତ୍ର ଆଙ୍କି ସଜାଇଥାଏ, ମାଆଙ୍କ ସୁସ୍ୱାଗତ ପାଇଁ। କ୍ଷେତ-ଖମାରଠୁ ଖଳା-ବାଡ଼ି, ଘର-ବାହାର, ଦାଣ୍ଡ-ଦୁଆର ସବୁଠି ଲକ୍ଷ୍ମୀପାଦ ଓ ଝୋଟି ଚିତ୍ରର ସାଜସଜ୍ଜା। ପ୍ରତିଟି ଘରୁ ଭାସି ଆସୁଥାଏ ଗନ୍ଧା, ଝୁଣା, ହଳଦୀ, ଚନ୍ଦନ, ଅଗରୁର ଭୁରୁଭୁରୁ ବାସ୍ନା। ପ୍ରତିଟି ଓଡ଼ିଆ ଘରଣୀ ସାଜିଥାଏ ପଣ୍ଡିତିଆଣୀ ଗାର୍ଗୀ, ମୈତ୍ରେୟୀ, ଲୋପାମୁଦ୍ରାଙ୍କ ପରି। ମାଆଙ୍କ ମଣ୍ଡପ (ଖଟୁଲି) ସାମ୍ନାରେ ବସି, ଝିଅ / ବୋହୂମାନେ ଅତି ପବିତ୍ର ମନରେ ପାଠ କରିଥାଆନ୍ତି ଲକ୍ଷ୍ମୀପୁରାଣ। ସୁଲଳିତ କଣ୍ଠରେ ଝରି ଆସୁଥିବା ମାଆଙ୍କ ଏହି ବନ୍ଦନା, ପ୍ରରୋଚିତ କରେ ପ୍ରତିଟି ପ୍ରାଣକୁ। ସନ୍ଥ ବଳରାମ ଦାସଙ୍କ ଏହି ଲକ୍ଷ୍ମୀପୁରାଣ ଦୁନିଅା ପାଇଁ ଏକ ଦୁର୍ଲଭ ଦାନ।

ଲକ୍ଷ୍ମୀପୁରାଣ ବାଣ୍ଟେ ନୈତିକତାର ନିର୍ମାଲ୍ୟକୁ। ଶୁଣାଏ ସଂସ୍କାର, ଅନୁଶାସନର କଥାକୁ। ପଞ୍ଚଦଶ ଶତାବ୍ଦୀର ଅତୀବ ପ୍ରେରାଣାଦାୟୀ ଏହି କ୍ଷୁଦ୍ର ପୁସ୍ତିକାଟି ରାମାୟଣ, ମହାଭାରତ ପରି ଓଡ଼ିଆମାନଙ୍କ ପାଇଁ ଅନ୍ୟ ଏକ ଶ୍ରେଷ୍ଠ କୃତି। ଶିକ୍ଷା, ସଂସ୍କାର, ସଦାଚାରଠୁ ସ୍ୱାସ୍ଥ୍ୟସୁରକ୍ଷାଦି ପର୍ଯ୍ୟନ୍ତ ଅନେକ ଅନେକ ପ୍ରେରଣାପୂର୍ଣ୍ଣ ପାଠ ସନ୍ନିବେଶିତ ଏଥିରେ। ପରିବାରର ମଙ୍ଗଳ ନିହିତ ମାତୃଜାତିକୁ ମାନ-ମର୍ଯ୍ୟାଦା ପ୍ରଦାନରେ। ଏତାଦୃଶ ମହନୀୟ ବାର୍ତ୍ତା ବାଣ୍ଟେ ମାଣବସା ଗୁରୁବାର। ଆମେ ଯଦି ପ୍ରତିଟି ବାରକୁ ଗୁରୁବାର ଓ ପ୍ରତିଟି ମାସକୁ ମାର୍ଗଶିର ବୋଲି ମାନି ନେଇ ଚଳନ୍ତେ, ତେବେ ନିତି ଝରି ପଡ଼ନ୍ତା ମାଆଙ୍କର ଅନୁକମ୍ପା ଆମ ଉପରେ। ଏ ଭୂମି ପାଲଟି ଯାଆନ୍ତା ଆଉ ଏକ ବୈକୁଣ୍ଠପୁର।

ଉପେନ୍ଦ୍ର ବିଶ୍ବାଳ (ଗୋଡିଶୂଳ, ସଜନାଗଡ଼, ବାଲେଶ୍ବର)
ମୋ: ୯୪୩୭୪୩୬୦୭୩

Comments
Loading...