୫ବିଧାୟକଙ୍କ ଇସ୍ତଫା ; ଆଜି ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା

0

ମୁମ୍ବଇ : ମହାରାଷ୍ଟ୍ରରେ ମରାଠା ସମ୍ପ୍ରଦାୟ ସଂରକ୍ଷଣ ଦାବିରେ ପ୍ରାୟ ସପ୍ତାହେ ଧରି ଚଳାଇଥିବା ଆନ୍ଦୋଳନର ସମାଧାନ ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବିସ୍‍। ମରାଠାଙ୍କ ଦାବିକୁ ସମର୍ଥନକରି ୫ଜଣ ବିଧାୟକ ଇସ୍ତଫା ଦେବା ପରେ ଶୁକ୍ରବାର ମୁଖ୍ୟମନ୍ତ୍ରୀ ବିଧାନସଭା ଓ ବିଧାନ ପରିଷଦରେ ବିଭିନ୍ନ ଦଳର ନେତାଙ୍କୁ ଆଲୋଚନା ପାଇଁ ଡାକିଛନ୍ତି। ଶନିବାର ଏ ସମ୍ପର୍କରେ ଆଲୋଚନା ହେବ ବୋଲି ମୁଖ୍ୟମନ୍ତ୍ରୀ ଜଣାଇଛନ୍ତି। ଏ ସମ୍ପର୍କରେ ସୂଚନା ଦେଇ ମନ୍ତ୍ରୀ ଚନ୍ଦ୍ରକାନ୍ତ ପାଟିଲ କହିଛନ୍ତି ଯେ ଆନ୍ଦୋଳନ ପାଇଁ ଆଇନଶୃଙ୍ଖଳା ବିଗିଡ଼ି ଯାଇଥିବାରୁ ମୁଖ୍ୟମନ୍ତ୍ରୀ ଏହି ବୈଠକ ଡାକିଛନ୍ତି। ଗୁରୁବାର ମୁଖ୍ୟମନ୍ତ୍ରୀ ଏହି ପ୍ରସଙ୍ଗରେ ବିଜେପି ନେତାମାନଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ। ମରାଠାଙ୍କ ସ୍ୱାର୍ଥ ପ୍ରତି ସରକାର ସଚେତନ ଅଛନ୍ତିି ବୋଲି ଚନ୍ଦ୍ରକାନ୍ତ କହିଛନ୍ତି। କିଛି ଆନ୍ଦୋଳନକାରୀ ନେତା ସଂରକ୍ଷଣ ଆନ୍ଦୋଳନ ଆଳରେ ରାଜନୈତିକ ଫାଇଦା ଉଠାଇବାକୁ ପ୍ରୟାସ ଚଳାଇଥିବା ସେ ଅଭିଯୋଗ କରିଛନ୍ତି।
ସୂଚନାନୁଯାୟୀ, କଂଗ୍ରେସର ଭାରତ ବାଲ୍‍କେ, ବିଜେପିର ରାହୁଲ ଆହିର, ଏନ୍‍ସିପିର ଦତ୍ତାତ୍ରୟ ବାର୍ଣ୍ଣେ ସଂରକ୍ଷଣ ଆନ୍ଦୋଳନକୁ ସମର୍ଥନ ପୂର୍ବକ ଗୁରୁବାର ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି। ଏହାଛଡ଼ା ଏନ୍‍ସିପି ବିଧାୟକ ଭାଉସାହେବ ପାଟିଲ ଚିକତଗାଓଁକର ଓ ଶିବସେନା ବିଧାୟକ ହର୍ଷବର୍ଦ୍ଧନ ଯାଦବ ମଧ୍ୟ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଏକ ନିର୍ଦ୍ଦିଷ୍ଟ ଶୈଳୀରେ ସେମାନେ ବାଚସ୍ପତିଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀ ସଂରକ୍ଷଣ ସମ୍ପର୍କରେ ସ୍ପଷ୍ଟ ଓ ସୁନିଶ୍ଚିତ ନିଷ୍ପତ୍ତି ଘୋଷଣା କରିବାକୁ ଏହି ବିଧାୟକମାନେ ଦାବି କରିଛନ୍ତି।
ଅପରପକ୍ଷରେ ସମଗ୍ର ରାଜ୍ୟରେ ଆନ୍ଦୋଳନ ପୁନର୍ବାର ହିଂସାତ୍ମକ ରୂପ ନେଇଛି। ମରାଠାୱାଡ଼ା ଅଞ୍ଚଳରେ ଆନ୍ଦୋଳନ ଉଗ୍ରରୂପ ଧାରଣ କରିଛି। ପୁଲିସ ଲାଠିମାଡ଼ରେ ୨୦ରୁ ଅଧିକ ଆନ୍ଦୋଳନକାରୀ ଆହତ ହୋଇଥିବାବେଳେ ବହୁ ପୁଲିସ କର୍ମଚାରୀ ଓ ଅଧିକାରୀ ମଧ୍ୟ ଆହତ ହୋଇଛନ୍ତି। ଆନ୍ଦୋଳନକାରୀ ୫ଟି ପୁଲିସ ଗାଡ଼ି ପୋଡ଼ି ଦେଇଥିବାବେଳେ କେତେଗୁଡ଼ିଏ ଯାତ୍ରୀବାହୀ ବସ୍‍ ଓ ଟ୍ରକ୍‍ ଭାଙ୍ଗିରୁଜି ଦେଇଛନ୍ତି। ବିଭିନ୍ନ ସ୍ଥାନରେ ପୁଲିସ ଉପରକୁ ଢ଼େଲାପଥର ମାଡ଼ କରାଯାଇଥିବାବେଳେ ଏହାର ଜବାବରେ ପୁଲିସକୁ ଲାଠିଚାଳନା କରିବାକୁ ପଡ଼ିଛି। ମହିଳାମାନେ ବିଭିନ୍ନ ସ୍ଥାନରେ ହାତରେ ଲାଠି ଧରି ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଆନ୍ଦୋଳନର ନେତୃତ୍ୱ ନେଉଥିବା ମରାଠା କ୍ରାନ୍ତି ମୋର୍ଚ୍ଚାର ନେତା ଓ କର୍ମୀଙ୍କ ଉପରୁ ପୁଲିସ ମାମାଲା ପ୍ରତ୍ୟାହାର ପାଇଁ ସେମାନେ ଦାବି କରିଛନ୍ତି। ଅନ୍ୟ ଏକ ଘଟଣାକ୍ରମେ ପାରବାନୀଠାରେ ରାମକେଶ୍ବର ମୁରଲୀଧର ଗାଏକୱାଡ଼ ନାମକ ଜଣେ ଯୁବକ ସଂରକ୍ଷଣ ଦାବିରେ ବିଷପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି। ଗୁରୁତର ଅବସ୍ଥାରେ ସେ ବର୍ତ୍ତମାନ ଚିକିତ୍ସାଧୀନ ଅଛନ୍ତି।

Leave A Reply