ମରାଠାଙ୍କ ଦାବି ପୂରଣ ପାଇଁ ବସିବ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ

0

ମୁମ୍ବଇ : ମହାରାଷ୍ଟ୍ରରେ ମରାଠାଙ୍କ ପାଇଁ ଚାକିରି ଓ ଶିକ୍ଷା କ୍ଷେତ୍ରରେ ୧୬ପ୍ରତିଶତ ସଂରକ୍ଷଣ ଦାବି ନେଇ ଚାଲିଥିବା ଆନ୍ଦୋଳନ ବନ୍ଦ କରିବାକୁ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ୍‍ ଶନିବାର ପୁନର୍ବାର ନିବେଦନ କରିଛନ୍ତି। ବିଧାନସଭାର ସ୍ୱତନ୍ତ୍ର ଅଧିବେସନ ଡକାଇ ମରାଠାଙ୍କ ଦାବି ସମ୍ପର୍କରେ ଆଲୋଚନା କରାଯିବ ଓ ମାମଲାର ଶନ୍ତିପୂର୍ଣ୍ଣ ସମାଧାନ ପାଇଁ ରାସ୍ତା ବାହାର କରାଯିବ ବୋଲି ସେ କହିଛନ୍ତି। ଏଥିସହିତ ଆନ୍ଦୋଳନକରୀଙ୍କ ବିରୋଧରେ ହୋଇଥିବା ପୁଲିସ ମାମଲା ପ୍ରତ୍ୟାହାର କରାଯିବ ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।
ପୂର୍ବ ଘୋଷଣା ଅନୁସାରେ ଫଡ଼ନାବିସ୍‍ ଶନିବାର ବିଧାନସଭା ପରିସରରେ ଏହି ଆନ୍ଦୋଳନ ନେଇ ସର୍ବଦଳୀୟ ବୈଠକ ଡାକି ବିସ୍ତୃତ ଆଲୋଚନା କରିଥିଲେ। ରାଜ୍ୟ ପଛୁଆ ଜାତି ଆୟୋଗ ତାଙ୍କ ରିପୋର୍ଟ ଦାଖଲ କରିବା ପରେ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡକାଯାଇ ଦାବି ଉପରେ ନିଷ୍ପତ୍ତି ନିଆଯିବ ବୋଲି ସେ କହିଥିଲେ। ଏଥିସହିତ ସମ୍ପ୍ରତି ୭୨ହଜାର ବିଭିନ୍ନ ପଦ ପୂରଣ ପାଇଁ ଚାଲିଥିବା ନିଯୁକ୍ତି ପ୍ରକ୍ରିୟାରେ ମରାଠାଙ୍କୁ ୧୬ପ୍ରତିଶତ ସଂରକ୍ଷଣ ପାଇଁ ପଦକ୍ଷେପ ନିଆଯିବ ଏବଂ ଯେଉଁ ଶିକ୍ଷାନୁଷ୍ଠାନ ପଛୁଆ ବର୍ଗ ମରାଠାଙ୍କୁ ୫୦ପ୍ରତିଶତ ଫି’ ରିଆତି ନ ଦେବେ ସେମାନଙ୍କ ଲାଇସେନ୍ସ ବାତିଲ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏହି ପରିପ୍ରେକ୍ଷୀରେ କୌଣସି ଆନ୍ଦୋଳନକାରୀ ଚରମ ପଦକ୍ଷେପ ନନେବା ପାଇଁ ସେ ନିବେଦନ କରିଛନ୍ତି।
ବିଜେପି ସଭାପତି ଅମିତ ଶାହା ଶନିବାର ମୁମ୍ବଇରେ ଉପସ୍ଥିତ ଥିବାବେଳେ ଫଡ଼ନାବିସ୍‍ଙ୍କ ଏହି ପଦକ୍ଷେପ ରାଜନୈତିକ ଦୃଷ୍ଟିରୁ ଗୁରୁତ୍ୱ ବହନ କରୁଛି। ସେ ଆନ୍ଦୋଳନକାରୀଙ୍କୁ ଭେଟି ଆଲୋଚନା କରିବେ କି ନାହିଁ ତାହା ସ୍ପଷ୍ଟ ହୋଇ ନାହିଁ; କିନ୍ତୁ ଶିବସେନା ପକ୍ଷରୁ ଏହି ଅବସରରେ ନୂଆ ବିବାଦ ଛିଡ଼ା କରାଯାଇଛି। ସେନା ମୁଖ୍ୟ ଉଦ୍ଧବ ଠାକ୍‍ରେ କହିଛନ୍ତି ଯେ କ୍ୟାବିନେଟ ମନ୍ତ୍ରୀ ପଙ୍କଜା ମୁଣ୍ଡେଙ୍କୁ ଘଣ୍ଟାକ ପାଇଁ ମୁଖ୍ୟମନ୍ତ୍ରୀ କରାଗଲେ ମାରାଠା ସଂରକ୍ଷଣ ମାମଲା ସମାଧାନ ହୋଇଯିବ। ମୁଣ୍ଡେ ଏବେ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଅଛନ୍ତି। ସେ କ୍ଷମତାରେ ଥିଲେ ଗୋଟିଏ ମିନିଟ୍‍ରେ ସଂରକ୍ଷଣ ସଂକ୍ରାନ୍ତ ଫାଇଲରେ ଦସ୍ତଖତ କରିଥାନ୍ତେ। ମାମଲା ହାଇକୋର୍ଟରେ ଥିବା ଭଳି ଅଯଥା ନିଷ୍ପତ୍ତି ନେବାରେ ବିଳମ୍ବ କରାଯାଉଛି ବୋଲି ମୁଣ୍ଡେ ପାର୍ଲିଠାରେ ଆନ୍ଦୋଳନକାରୀଙ୍କୁ ସେ କହିଥିଲେ।

Leave A Reply