ଏନ୍‌କାଉଣ୍ଟରବେଳେ ଜବତ ବନ୍ଧୁକରୁ ମିଳିଲା ପ୍ରମାଣ ; ମାଓବାଦୀଙ୍କ ପାକିସ୍ତାନ ଲିଙ୍କ୍‌

ମାଲକାନଗିରି : ମାଲକାନଗିରି ୨ଜିଲା ସମେତ ପଡୋଶୀ ଛତିଶଗଡ, ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା ସମେତ ଏହି ଅଞ୍ଚଳରେ ଲାଲ୍‌ ଆତଙ୍କ ବଢିବାରେ ଲାଗିଥିବାବେଳେ ଏବେ ଏକ ବଡ ଧରଣର ଖୁଲାସା କରିଛି ପୁଲିସ। ମାଓ ସଙ୍ଗଠନର ପାକିସ୍ତାନ ଲିଙ୍କ୍‌ ରହିଥିବା ନେଇ ପ୍ରମାଣ ମିଳିଛି।
ପୂର୍ବରୁ ଅସ୍ତ୍ରଶସ୍ତ୍ର ଚାଇନାରୁ ଆସୁଥିବାବେଳେ ଏବେ ପାକିସ୍ତାନ ସହ ଲିଙ୍କ୍‌ ଥିବା ଜାଣିବା ପରେ ପୁଲିସର ଚିନ୍ତା ବଢିଯାଇଛି। ଆତଙ୍କବାଦୀ ଲିଙ୍କ୍‌ ଥିବା ନେଇ ପୁଲିସ ଆଶଙ୍କା କରୁଛି।
ଛତିଶଗଡ କାଙ୍କେର ଜିଲା ମୁର୍ନାର ଜଙ୍ଗଲରେ ଘଟିଥିବା ଏନକାଉଣ୍ଟର ପରେ ଘଟଣାସ୍ଥଳରୁ ପାକ୍‌ ସେନା ବ୍ୟବହାର କରୁଥିବା ଜି-୩ ରାଇଫଲ ମିଳିବା ପରେ ଚିନ୍ତାରେ ସୁରକ୍ଷା ଏଜେନ୍ସି। ମାଓବାଦୀଙ୍କ ବିଦେଶୀ ଲିଙ୍କ୍‌ ଥିବା ନେଇ ବାରମ୍ବାର ପ୍ରମାଣ ମିଳି ଆସୁଥିବାବେଳେ ଏବେ ଜି-୩ ଆସଲ୍ଟ ରାଇଫଲ ମିଳିବା ପରେ ମାଓବାଦୀଙ୍କ ଆତଙ୍କବାଦୀ ସଙ୍ଗଠନ କିମ୍ବା ଆଇଏସ୍‌ଆଇ ଲିଙ୍କ୍‌ ଥିବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ଘଟଣା ଏବେ ଦେଶର ତମାମ ସୁରକ୍ଷା ଏଜେନ୍ସି ଓ ଗୁଇନ୍ଦା ବିଭାଗର ଚିନ୍ତା ବଢ଼ାଇ ଦେଇଛି।
ସୀମାନ୍ତ ଅଞ୍ଚଳରେ ମାଓବାଦୀଙ୍କ ସହ ଆତଙ୍କବାଦୀ ସଙ୍ଗଠନର ସମ୍ପର୍କ ରହିଛି କି ? ଲାଲ୍‌ବାହିନୀକୁ ଅସ୍ତ୍ରଶସ୍ତ୍ର ଯୋଗାଉଛି କି ଆଇଏସ୍‌ଆଇ ? ସେ ନେଇ ପୁଲିସର ଖୋଲତାଡ ଆରମ୍ଭ ହୋଇଛି।
ଗତ ଶୁକ୍ରବାର ଛତିଶଗଡ କାଙ୍କେର ଜିଲା ତାଡୋକି ଥାନା ଅନ୍ତର୍ଗତ ମୁରନାର ଜଙ୍ଗଲରେ ପୁଲିସ ମାଓବାଦୀ ମୁହଁମୁହିଁ ହେବା ପରେ ଘଟଣାସ୍ଥଳରୁ ଦୁଇ କ୍ୟାଡର ମାଓବାଦୀଙ୍କ ମୃତଦେହ ସହ ୪ଟି ବନ୍ଧୁକ ଉଦ୍ଧାର ହୋଇଥିଲା। ତେବେ ୪ଟି ବନ୍ଧୁକ ମଧ୍ୟରେ ଥିଲା ପାକ୍‌ ସେନା ବ୍ୟବହାର କରୁଥିବା ଜି-୩ ରାଇଫଲ। ଏହି ଜି-୩ ଆସଲ୍ଟ ରାଇଫଲ ଆମେରିକା ଦ୍ୱାରା ପ୍ରସ୍ତୁତ କରାଯାଇ ପାକିସ୍ତାନକୁ ଯୋଗାଣ କରାଯାଇଥାଏ। ତେବେ କେଉଁ ପରିସ୍ଥିତିରେ ଏହି ଅତ୍ୟାଧୁନିକ ଏବଂ ଘାତକ ମାରଣାସ୍ତ୍ରଟି ଘଞ୍ଚ ଜଙ୍ଗଲ ଭିତରେ ଥିବା ଲାଲ୍‍ବାହିନୀଙ୍କ ନିକଟରେ ପହଞ୍ଚିଲା ତାକୁ ନେଇ ଦେଶର ସମସ୍ତ ସୁରକ୍ଷା ଏଜେନ୍ସି ଯାଞ୍ଚ ଚଳାଇଛି। ପାକିସ୍ତାନର ଅଲକାଏଦା ଓ ଲସ୍କର- ଏ-ତୋଇବା ପରି ଆତଙ୍କବାଦୀ ସଙ୍ଗଠନ ସହ ମାଓବାଦୀଙ୍କ ଲିଙ୍କ୍‌ ରହିଛି କି ? ଭାରତର ଅଭ୍ୟନ୍ତରୀଣ ସୁରକ୍ଷା ଓ ଅଖଣ୍ଡତାକୁ ବିଗାଡିବାକୁ ମାଓବାଦୀଙ୍କ ସହ ପାକ୍‌ ହାତ ମିଶାଇଛି କି ? ସେ ଆରମ୍ଭ ହୋଇଯାଇଛି ଖୋଳତାଡ଼।
ପୂର୍ବରୁ ମଧ୍ୟ ଛତିଶଗଡ଼ର ସୁକୁମା ଜିଲାରେ ମାଓ ଶିବିରରୁ ଏପରି ଏକ ଜି-୩ ରାଇଫଲ ମିଳିଥିଲା। ସେତେବେଳେ ମଧ୍ୟ ଏହାର ମୂଳ ଯାଏଁ ପହଞ୍ଚିବା ଲାଗି ଉଦ୍ୟମ ହୋଇଥିଲା। ତେବେ ସଫଳତା କିନ୍ତୁ ପାଇପାରି ନ ଥିଲା ସୁରକ୍ଷା ବାହିନୀ ଓ ଦେଶର ତମାମ ଗୁଇନ୍ଦା ଏଜେନ୍ସି। କେବଳ ପାକିସ୍ତାନ ବନ୍ଧୁକ ନୁହେଁ; ପୂର୍ବରୁ ମାଓ ଶିବିରରୁ ଚୀନ୍‌ ନିର୍ମିତ ୱାକିଟକି, ହ୍ୟାଣ୍ଡ ଗ୍ରେନେଡ, ନାଇଟ ଭିଜନ ବାଇନୋକୁଲାର ଆଦି ମିଳିବାର ନଜିର ରହିଛି। କୋରାପୁଟ ଜିଲାରୁ କିଛି ବର୍ଷ ପୂର୍ବେ ବିପୁଳ ପରିମାଣରେ ମିଳିଥିବା ଚାଇନା ୱାକିଟକି ସମସ୍ତଙ୍କୁ ଚକିତ କରିଥିଲା। ସେହିପରି ଦାନ୍ତେୱାଡା, ସୁକୁମା ଓ ବିଜାପୁରରେ ଚାଇନା ହ୍ୟାଣ୍ଡ ଗ୍ରେନେଡ ଓ ମାଉଜର ଏବଂ ନାଇଟ ଭିଜନ ବାଇନୋକୁଲାର ମିଳିବା ଘଟଣା କିଛି ନୂଆ ନୁହଁ, ଯାହା ମାଓ ସଙ୍ଗଠନର ବିଦେଶୀ ଲିଙ୍କ୍‌ ଥିବାର ପ୍ରମାଣ ଦେଇ ଆସିଛି। ବାରମ୍ବାର ମାଓବାଦୀଙ୍କ ନିକଟରୁ ବିଦେଶୀ ମାରଣାସ୍ତ୍ର ମିଳିବା ଘଟଣା ଦେଶର ସମସ୍ତ ମାଓଉପଦ୍ରୁତ ରାଜ୍ୟଗୁଡିକର ଚିନ୍ତା ବଢାଇଛି। ବର୍ତ୍ତମାନ କେନ୍ଦ୍ରରେ ପୁନର୍ବାର ଏନ୍‌ଡିଏ ଶାସନ ହାତେଇ ଥିବାବେଳେ ପ୍ରଥମଥର କରି ଅମିତ ଶାହାଙ୍କୁ ମିଳିଛି କେନ୍ଦ୍ର ଗୃହମନ୍ତ୍ରୀ ପଦ। ତେବେ ଅମିିତ ଶାହା ସୀମା ପାର ଆତଙ୍କବାଦ ଓ ଦେଶ ଆନ୍ତରିକ ସୁରକ୍ଷା ପ୍ରତି ବିପଦ ସାଜିଥିବା ମାଓବାଦୀଙ୍କ ପ୍ରତି କି ପ୍ରକାର ଆଭିମୁଖ୍ୟ ଗ୍ରହଣ କରିବେ ତାହା ଉପରେ ଏବେ ଦେଶବାସୀଙ୍କ ନଜର।

Comments are closed.