ମାଓବାଦୀଙ୍କ ଲୁକ୍କାୟିତ ନେଟ୍‍ୱର୍କ ଚିହ୍ନଟ

0

ନୂଆଦିଲ୍ଲୀ : ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମେ ସମଗ୍ର ଦେଶରେ ଲୁକ୍କାୟିତ ଭାବେ କାର୍ଯ୍ୟ କରୁଥିବା ମାଓବାଦୀମାନଙ୍କର ଏକ ନେଟ୍‍ୱର୍କକୁ ଗୁଇନ୍ଦା ବିଭାଗ ଚିହ୍ନଟ କରିଛି। ବେଆଇନ ଘୋଷିତ ସିପିଆଇଏମ୍‍ (ମାଓବାଦୀ)ର ବହୁ ସଦସ୍ୟ ଦେଶର ବିଭିନ୍ନ ସହରରେ ମାଓବାଦୀ କାର୍ଯ୍ୟକଳାପ ଜାରି ରଖିଥିବା ବିଭାଗ ପକ୍ଷରୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟକୁ ସୂଚନା ପ୍ରଦାନ କରାଯାଇଛି। ଏହି ଲୁକ୍କାୟିତ ମାଓବାଦୀ ନେଟ୍‍ୱର୍କ ଚଳାଇବା ପଛରେ ମାଷ୍ଟର ମାଇଣ୍ଡ କୁହାଯାଉଥିବା ୫ ଜଣ ମାଓବାଦୀ ସମର୍ଥକଙ୍କ ନାମ ବିଭାଗ ଏହାର ରିପୋର୍ଟରେ ଉଲ୍ଲେଖ କରିଛି। ଏମାନଙ୍କ ମଧ୍ୟରୁ ଜଣେ ନାଗପୁରର ପ୍ରାଧ୍ୟାପକ, ଜଣେ ଆଇନଜୀବୀ, ଜଣେ ସାମ୍ବାଦିକ ଏବଂ ଜଣେ ସାମାଜିକ କର୍ମୀ। ସୁରକ୍ଷା ଦୃଷ୍ଟିରୁ ବିଭାଗ ସମ୍ପୃକ୍ତ ମାଓବାଦୀଙ୍କ ନାମ ପ୍ରକାଶ କରିନାହିଁ। ଗତ କିଛି ଦିନ ହେବ ବିଭାଗୀୟ ଅଧିକାରୀମାନେ ସେମାନଙ୍କ କାର୍ଯ୍ୟକଳାପ ଉପରେ କଡ଼ା ଦୃଷ୍ଟି ରଖିଆସୁଥିଲେ। ସେମାନଙ୍କ ବିରୋଧରେ ବଳିଷ୍ଠ ପ୍ରମାଣ ସଂଗ୍ରହ କରାଯାଇଛି। ଏପରିକି ୨୦୧୭ ଡିସେମ୍ବରରେ ଘଟିଥିବା ଭୀମ କୋରେଗାଓଁ ହିଂସାରେ ସେମାନଙ୍କ ସମ୍ପୃକ୍ତି ନେଇ ମଧ୍ୟ ବଳିଷ୍ଠ ତଥ୍ୟ ହସ୍ତଗତ ହୋଇଥିବା ବିଭାଗ ଏହାର ୨ ପୃଷ୍ଠା ସମ୍ବଳିତ ଉକ୍ତ ରିପୋର୍ଟରେ ଉଲ୍ଲେଖ କରିଛି। ମାଓବାଦୀ ସମର୍ଥକ ସଂଗଠନ ଏବଂ ସିପିଆଇଏମ୍‍ ମାଓବାଦୀ ମଧ୍ୟରେ ଅର୍ଥ କାରବାର ନେଇ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ମିଳିଛି। ଉଲ୍ଲେଖ ଯେ, ମାଓବାଦୀ ସମର୍ଥକମାନେ କାଶ୍ମୀର ଉପତ୍ୟକାରେ ସକ୍ରିୟ ଆତଙ୍କବାଦୀ ସଂଗଠନଗୁଡିକ ସହ ସମ୍ପର୍କ ସ୍ଥାପନ କରିବାକୁ ଉଦ୍ୟମ କରୁଥିବା ନେଇ ପୂର୍ବରୁ ଗୁଇନ୍ଦା ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା। ଅନ୍ୟପଟେ ମାଓବାଦୀ ସମ୍ପୃକ୍ତି ଅଭିଯୋଗରେ ୫ ଜଣ ସାମାଜିକ କର୍ମୀଙ୍କୁ ପୁଲିସ ଗିରଫ କରିଛି। ଏହି ଘଟଣାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।

Leave A Reply