ମାଓବାଦୀଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣ, ୫ ଯବାନ ସହିଦ

ମାଲକାନଗିରି: ମାଲକାନଗିରି ଜିଲା ସୀମାନ୍ତବର୍ତ୍ତୀ ଛତିଶଗଡର ନାରାୟଣପୁର ଜିଲାରେ ମାଓବାଦୀଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ପାଞ୍ଚ ଯବାନ ସହିଦ ହୋଇଛନ୍ତି। ସହିଦ ଯବାନ ହେଲେ ଜୟଲାଲ ବିକ୍, ଡ୍ରାଇଭର କରନ ଦିହାରି, ସେବକ ସଲାମ, ପବନ ମାଣ୍ଡାବି, ବିଜୟ ପଟେଲ ବୋଲି ପ୍ରାଥମିକ ସୂଚନା ମିଳିଛି। ତଥ୍ୟ ଅନୁଯାୟୀ ନାରାୟଣପୁର ଜିଲା ଦୁଦାଇ ଥାନା ଅନ୍ତର୍ଗତ କଡେନାଡ ଓ ମନ୍ଦଡା ରାସ୍ତାରେ ମାଓବାଦୀମାନେ ଲ୍ୟାଣ୍ଡମାଇନ ବିଛାଇଥିଲେ। ସେହି ରାସ୍ତା ଦେଇ ପ୍ରାୟ ୨୦ରୁ ଅଧିକ ଡିଆରଜି ଯବାନ ଏକ ବସ ଯୋଗେ କୁମ୍ବିଂ ଅପରେସନ ସାରି ଫେରୁଥିବା ସମୟରେ ଉକ୍ତ ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା।

ଘଟଣାସ୍ଥଳରେ ପାଞ୍ଚ ଜଣ ଡିଆରଜି ଯବାନଙ୍କ ମୃତ୍ୟୁ ଘଟିଥିବା ବେଳେ ୧୪ ଗୁରୁତର ହୋଇଛନ୍ତି। ଆହତଙ୍କୁ ହେଲିକ୍ୟାପ୍ଟର ଯୋଗେ ରାୟପୁର ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ବସ୍ତର ଆଇଜି ସୁନ୍ଦରରାଜ ପି. ସୂଚନା ଦେଇଛନ୍ତି। ଏହି ଘଟଣା ପରେ ଉକ୍ତ ଅଞ୍ଚଳରେ କୁମ୍ବିଂ ଅପରେସନକୁ ଜୋରଦାର କରାଯାଇଛି।

Comments are closed.