ମାଓ ଶିବିରରେ ଶିଶୁ ଓ ନାରୀଙ୍କୁ ଦିଆ ଯାଉଛି ନିର୍ଯାତନା

ମହିଳା ମାଓବାଦୀ ଗୀତାଙ୍କ ସହ ସ୍ୱତନ୍ତ୍ର ସାକ୍ଷାତକାର

ବାପା ମା’ଙ୍କୁ ମାରିବାର ଧମକ ଯୋଗୁଁ ସଂଗଠନରେ ଯୋଗ ଦେଲି ମାଓ ସଂଗଠନ ସେମାନଙ୍କ ଆଦର୍ଶରେ ବିଚ୍ୟୁତ ହୋଇଛନ୍ତି। ମାଓ ଶିବିରରେ ମହିଳାଙ୍କୁ ଅସମ୍ମାନ କରାଯାଉଥିବାବେଳେ ନାବାଳିକମାନଙ୍କ ପ୍ରତି ବି ନିର୍ଯ୍ୟାତନା ଦିଆ ଯାଉଛି। ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ନିକଟରେ ଆତ୍ମ ସମର୍ପଣ କରିଥିବା ମାଓବାଦୀ ଗୀତା। ସଂଗଠନରେ ପୂର୍ଣ୍ଣ ଆଦର୍ଶ ଓ ଆଭିମୁଖ୍ୟ ନାହିଁ। ଆଦିବାସୀମାନେ ମଧ୍ୟ ଲାଲବାହିନୀକୁ ସମର୍ଥନ କରିବା ଛାଡି ସାରିଲେଣି। ଏଭଳି ସ୍ଥଳେ ଆଜି ମାଲକାନଗିରି ଏସ୍‌ପି ଋସିକେଶ ଡି ଖିଲାରିଙ୍କ ନିକଟରେ ଆତ୍ମ ସମର୍ପଣ କରିଛି ବୋଲି ନାବାଳିକା ମାଓବାଦୀ ଗୀତା ଓରଫ ଲାଛି ଖରା ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି। ଗୀତାଙ୍କ ସହ ଆମ ମାଲକାନଗିରି ଜିଲା ପ୍ରତିନିଧି ଗୋପିକୃଷ୍ଣ ପଟ୍ଟନାୟକଙ୍କ ସ୍ୱତନ୍ତ୍ର ଆଲୋଚନା

ପ୍ରଶ୍ନ:ଆପଣ ସଂଗଠନରେ କାହିଁକି ଯୋଗ ଦେଇଥିଲେ ?
ଉତ୍ତର:ଆମ ଘର ସ୍ୱାଭିମାନ ଅଂଚଳ ଦୁର୍ଗମ ଜଡାମ୍ବ ପଂଚାୟତର ମୁକୁଡିପାଲ୍ଲୀ ଗ୍ରାମର। ଗରୀବ ଆଦିବାସୀ ପରିବାରରେ ଜନ୍ମ ଗ୍ରହଣ କରିଛି। ବାପା ଚାଷ କାମ କରୁଛନ୍ତି। ତେବେ ଦୁଇବର୍ଷ ପୁର୍ବେ ଆମ ଗ୍ରାମକୁ ମାଓବାଦୀ ମାନେ ଆସିଲା ପରେ ତାଙ୍କ ଦୃଷ୍ଟି ମୋ ଉପରେ ପଡିଥିଲା। ଆମ ପରିବାରର ବାପାମା’ଙ୍କୁ ଝିଅକୁ ଲାଲବାହିନୀରେ ମାଓ ସଂଗଟନରେ ସାମିଲ କରିବାକୁ କହିଲ। ଘରେ ବାପାମା ଏଥିରେ ରାଜି ହୋଇନଥିଲ। ଏହାପରେ ଲାଲବାହିନୀ ଘର ଲୋକଙ୍କୁ ହତ୍ୟା କରିବା ଧମକ ଦେଇଥିଲେ। ତେଣୁ ବାଧ୍ୟ ହୋଇ ୧୬ ବର୍ଷ ବୟସରେ ସଂଗଠନରେ ସାମିଲ ହୋଇଥିଲି।

ପ୍ରଶ୍ନ: ଆତ୍ମ ସମର୍ପଣ କାହିଁକି କଲେ?
ଉତ୍ତର: ମୋ ପିଲାବେଳର ସ୍ୱାଭିମାନ ଅଂଚଳ ଓ ଆଜିର ସ୍ୱାଭିମାନ ଅଂଚଳ ମଧ୍ୟରେ ଆକାଶ ପାତାଳ ତଫାତ ଦେଖିଛି। ଚିତ୍ରକୋଣ୍ଡା ଯିବାକୁ ହେଲେ ଡଙ୍ଗା କିମ୍ବା ଲଞ୍ଚରେ ଘଣ୍ଟା ଘଣ୍ଟା ଧରି ଯିବାକୁ ପଡୁଥିଲା। କିନ୍ତୁ ଆଜି ସ୍ଥିତି ବଦଳିଯାଇଛି। ମୋ ଗ୍ରାମ ପର୍ଯ୍ୟନ୍ତ ରାସ୍ତା ଲମ୍ବିଛି। ଯୋଗାଯୋଗ ହୋଇ ପାରିଛି। ଟେଲିଫୋନ ସୁବିଧା ରହିଛି ଓ ଅନ୍ୟାନ୍ୟ ସରକାରୀ ସୁବିଧା ପହଞ୍ଚିଛି। ତେବେ ପୁଲିସ ହାତରେ ଧରା ପଡିବା ପୁର୍ବରୁ ମୁଁ ଆତ୍ମସମର୍ପଣ ପାଇଁ ଚିନ୍ତା କରୁଥିଲି; କିନ୍ତୁ ପୁଲିସ କୁମ୍ବିଂ ସମୟରେ ମୋତେ ଧରିଥିଲ। ମାଲକାନଗିରି ଏସ୍‌ପି ସମେତ ଅନ୍ୟାନ୍ୟ ପୁଲିସ କର୍ମଚାରୀମାନେ ମୋର ଚିନ୍ତାଧାରାକୁ ବଦଲାଇ ଦେଇଛନ୍ତି। ସାମାଜିକ ସ୍ରୋତରେ ସାମିଲ ହେବାପାଇଁ ଏକ ମାଧ୍ୟମ ପାଲଟିଥିବାରୁ ମୁଁ ମାଲକାନଗିରି ପୁଲିସ ପାଖରେ କୃତଜ୍ଞତା ଜ୍ଞାପନ କରୁଛି। ପୂର୍ବ ଆଦର୍ଶ ରହୁ ନଥିବା ବେଳେ ସଂଗଠନରେ ନିର୍ଯ୍ୟାତନା ଦେଖି ମୁଁ ସହ୍ୟ କରି ପାରୁ ନଥିଲି। ତେଣୁ ବାଧ୍ୟ ହେଲି ଆତ୍ମ ସମର୍ପଣ କରିବାକୁ ନିଷ୍ପତ୍ତି ନେଇଥିଲି।

 

ପ୍ରଶ୍ନ: ସଂଗଠନରେ ପୂର୍ବ ଆଦର୍ଶ ଆଉ ଅଛି କି ନାହିଁ?
ଉତ୍ତର: ପ୍ରକୃତରେ ମାଓ ସଂଘଠନ ଯାହା କହୁଛି ତାହା ନୁହେଁ। ଜଳ, ଜମି ଓ ଜଙ୍ଗଲର ହକ୍ କଥା କହୁଥିବା ବେଳେ ବାସ୍ତବ କ୍ଷେତ୍ର କିନ୍ତୁ ଓଲଟା। ଆମଭଳି ନାବାଳିକା ଓ ଅପ୍ରାପ୍ତ ବୟସ୍କଙ୍କୁ ନିଯ୍ୟାତନା ଦିଆ ଯାଉଛି, ମାଇଲ ମାଇଲ ସେମାନଙ୍କ ବ୍ୟାଗ ବୋହି ଚାଲିବାକୁ ପଡୁଛି। ମହିଳା ମାନଙ୍କୁ ନିର୍ଯ୍ୟାତନା ଦେଉଥିବା ମୁଁ ଆଖିରେ ଦେଖିଛିା ଏସ୍‌ଜେଡ୍‌ସିର ମାଓନେତା କ୍ରିଷ୍ଣା ସ୍ୱାଭିମାନ ଅଂଚଳର ଆଦିବାସୀ ଝିଅଙ୍କୁ ଶାରିରୀକ ଓ ମାନସିକ ନିଯ୍ୟାତନା ଦେଉଥିଲ। ଏହାକୁ ମୁଁ ବିରୋଧ କରିବାରୁ ମୋତେ ବି ନିର୍ଯ୍ୟାତନା ଦିଆ ଯାଇଥିଲା। ମାନସିକ ସ୍ତରରେ ମୁଁ ଭାଙ୍ଗି ପଡିଥିଲି।
ପ୍ରଶ୍ନ: ଆଗାମୀ ଭବିଷ୍ୟତ ଯୋଜନା କଣ?
ଉତ୍ତର: ବର୍ତ୍ତମାନ ମୋ ବୟସ ୧୭ ବର୍ଷ। ମୋର ବିରାଟ ଭବିଷ୍ୟତ ରହିଛି। ବାଧ୍ୟତା ମୁଳକ ହେଉ ବା ସଂଗଠନର ଆଦର୍ଶରେ ଅନୁପ୍ରାଣିତ ହୋଇ ଲାଲବାହିନୀରେ ଯୋଗ ଦେଇଥିଲି। ତେବେ ପ୍ରକୃତରେ ଆଦିବାସୀମାନଙ୍କୁ ଲାଲବାହିନୀ ଅଧିକାର ଛଡାଇ ନେଇଛି। କିଭଳି ସେମାନଙ୍କର ଅଧିକାର, ମୌଳିକ ସୁବିଧା ପାଇପାରିବେ ସେଥିପାଇଁ ଚେଷ୍ଟା କରିବା ସହ ଯଦି ସୁଯୋଗ ମିଳିଲେ ପାଠ ପଢିବି ଏବଂ ଅନ୍ୟ ଆଦିବାସୀ ପିଲାମାନଙ୍କୁ ଶିକ୍ଷା ପ୍ରତି ଉତ୍ସାହିତ କରିବି।

Comments are closed.