ମାଓ ଆତଙ୍କ : ଅଟକିଛି ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ, ସେତୁ ଓ ଉପାନ୍ତ ସ୍କିମ

କଲ୍ୟାଣସିଂହପୁରରେ ୪ଟି ପ୍ରକଳ୍ପ, ଚିତ୍ରକୋଣ୍ଡାରେ ୩ ସେତୁର ସର୍ଭେ ହୋଇପାରୁନି

ଭୁବନେଶ୍ବର : ମାଓ ଉପଦ୍ରୁତ ଅଞ୍ଚଳରେ ଉନ୍ନୟନ କାର୍ଯ୍ୟ ଠିକଣା ଭାବେ କାର୍ଯ୍ୟକାରୀ ହୋଇପାରୁ ନାହିଁ। ବିଶେଷକରି ବିଭିନ୍ନ ସମୟରେ ବାମପନ୍ଥୀ ଉଗ୍ରବାଦୀଙ୍କ ଧମକ ତଥା ନିରାପତ୍ତା କାରଣରୁ ମାଲକାନଗିରି ଓ ରାୟଗଡ଼ା ଜିଲାରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା, ସେତୁ ଓ ଉପାନ୍ତ ସ୍କିମ୍ ନିର୍ମାଣ କାର୍ଯ୍ୟ ମନ୍ଥର ହୋଇଛି। ଏସବୁ ଅଞ୍ଚଳରେ ଉନ୍ନୟନ କାର୍ଯ୍ୟ ତ୍ବରାନ୍ବିତ କରିବାକୁ ଏଠାରେ ନିରାପତ୍ତା ବ୍ୟବସ୍ଥାକୁ ବଢ଼ାଇବା ନିମନ୍ତେ ସରକାର ଚିନ୍ତା କରୁଛନ୍ତି। ନିକଟରେ ପୁଲିସ ମହାନିର୍ଦେଶକ ଅଭୟ ମାଲକାନଗିରି ଗସ୍ତ​‌େ​‌ର ଯାଇ ପରିସ୍ଥିତି ଅନୁଧ୍ୟାନ କରିଥିବାବେଳେ ଆସନ୍ତା ସପ୍ତାହରେ ମୁଖ୍ୟ ଶାସନ ସଚିବ ଦୁଇ ଜିଲାର ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିବେ ବୋଲି ସୂଚନା ମିଳିଛି।

ମାଲକାନଗିରି ଜିଲାର ଚିତ୍ରକୋଣ୍ଡା, କାଲିମେଳା, ଖଇରପୁଟ ଓ ମାଥିଲି ବ୍ଲକରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ୪୪ଟି ସଡ଼କ ଓ ୨୮ଟି ସେତୁ ପ୍ରକଳ୍ପ କାର୍ଯ୍ୟ ହାତକୁ ନିଅାଯାଇଥିଲା। ମୋଟ ମଞ୍ଜୁରିପ୍ରାପ୍ତ ୨୨୬.୭୯କୋଟି ଟଙ୍କା ମଧ୍ୟରୁ ଆଜି ସୁଦ୍ଧା ୬୪.୨୬କୋଟି ଟଙ୍କା ଖର୍ଚ୍ଚ ହୋଇଛି, ଯାହା ମୋଟ ବ୍ୟୟ ଅଟକଳର ମାତ୍ର ୨୮ପ୍ରତିଶତ। ରାୟଗଡ଼ାରେ ୪ଟି ସଡ଼କ ପ୍ରକଳ୍ପ ମାଓବାଦୀ କାର୍ଯ୍ୟକଳାପ ଯୋଗୁଁ ଅତିମାତ୍ରାରେ ପ୍ରଭାବିତ ହୋଇଛି। ଜିଲାର କଲ୍ୟାଣସିଂହପୁର ଓ ମୁନିଗୁଡ଼ା ବ୍ଲକ ଅଞ୍ଚଳରେ ଏସବୁ ପ୍ରକଳ୍ପ ରହିଛି। ଉପାନ୍ତ ସ୍କିମରେ ମାଓବାଦୀ କାର୍ଯ୍ୟକଳାପ ବୃଦ୍ଧି କାରଣରୁ କଲ୍ୟାଣସିଂହପୁରରେ ୪ଟି ପ୍ରକଳ୍ପ କାର୍ଯ୍ୟ ଆଦୌ ଆରମ୍ଭ ହୋଇପାରିନି। ସେହିପରି ସେତୁ ସ୍କିମରେ ପ୍ରଥମ ପର୍ଯ୍ୟାୟରେ ୨୦ଟି ସଡ଼କ ପ୍ରକଳ୍ପ କାର୍ଯ୍ୟ ହାତକୁ ନିଆଯାଇଥିଲ। ସେସବୁର କାର୍ଯ୍ୟ ଚାଲିଛି। ଦ୍ବିତୀୟ ପର୍ଯ୍ୟାୟରେ ୯ଟି ସେତୁ ନିର୍ମାଣ ପ୍ରସ୍ତାବ ରହିଥିଲା। ସେଥିରୁ ୩ଟି ସେତୁ ପ୍ରକଳ୍ପ ଚିତ୍ରକୋଣ୍ଡା ବ୍ଲକରେ ହେବାର ଥିଲେ ହେଁ ମାଓବାଦୀ କାର୍ଯ୍ୟକଳାପ ଯୋଗୁଁ ସେଠାରେ ସର୍ଭେ କାର୍ଯ୍ୟ ଆରମ୍ଭ ହୋଇପାରିନି।

ମାଲକାନଗିରିରେ ୩୮୫ କିମି ଦୈର୍ଘ୍ୟର ୪୪ଟି ସଡ଼କ ପ୍ରକଳ୍ପ ପାଇଁ ୨୦୪.୫୧ କୋଟି ଟଙ୍କା ମଞ୍ଜୁର ହୋଇଥିବାବେଳେ ବାସ୍ତବରେ ୫୯କିମି କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି ଏବଂ ଏଥିରେ ୬୪.୨୬କୋଟି ଟଙ୍କା ଖର୍ଚ୍ଚ ହୋଇଛି। ରାୟଗଡ଼ାରେ ୨୦.୬୬କୋଟି ଟଙ୍କାର ୪୦.୯୫କିମିର ୪ଟି ସଡ଼କ ପ୍ରକଳ୍ପ କାମ ଭିତରୁ ଏ ପର୍ଯ୍ୟନ୍ତ ୧୨କୋଟି ୬୩ଲକ୍ଷ ଟଙ୍କା ଖର୍ଚ୍ଚରେ ୨୩.୪୭କିମି ରାସ୍ତା ତିଆରି ହୋଇପାରିଛି। ମାଲକାନଗିରିରେ ୨୮ଟି ସେତୁ ପାଇଁ ୨୨.୨୮କୋଟି ଟଙ୍କା ମଞ୍ଜୁର ହୋଇଥିବାବେଳେ ଏ କାର୍ଯ୍ୟ ଆଦୌ ଆରମ୍ଭ ହୋଇ ନାହିଁ।

ରାୟଗଡ଼ା ଜିଲାରେ ଯେଉଁସବୁ ଗ୍ରାମକୁ ରାସ୍ତା ନାହିଁ ସେଠାରେ ଉପାନ୍ତ ସ୍କିମ କାର୍ଯ୍ୟକାରୀ ହୋଇଥିଲେ ହେଁ ଏହା ବାସ୍ତବରେ କାର୍ଯ୍ୟକାରୀ ହେବା ସମ୍ଭବ ହୋଇ ନାହିଁ। ଏହି ଜିଲାରେ ୨୪.୩୦କିମି ରାସ୍ତା ନିର୍ମାଣ ପାଇଁ ୧୨୦୪.୦୫ଲକ୍ଷ ଟଙ୍କାର ପ୍ରସ୍ତାବ ଥିଲା। ପ୍ରାୟ ୯୧୭.୬୪ଲକ୍ଷ ଟଙ୍କାର କାମ ହାତକୁ ନିଆଯାଇଥିଲେ ହେଁ କେବଳ ଏରକୁବାଡ଼ିଠାରୁ କାଞ୍ଚନମୋହି ପର୍ଯ୍ୟନ୍ତ ୯.୫୦କିମି ରାସ୍ତା ପାଇଁ ୩୩୦.୬୭ଲକ୍ଷ ଟଙ୍କା ମଞ୍ଜୁର କରାଯାଇଥିବାବେଳେ ୧୨୮.୨୯ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ରାୟଗଡ଼ା ଜିଲାର ଏହି ଗୋଟିଏ ରାସ୍ତାକୁ ଛାଡ଼ିଦେଲେ ବାକି ୪ଟି ରାସ୍ତା କାମ ଲଖରପଡ଼ାରୁ ଡାଙ୍ଗମାଟି, ନିଶିଖାଲରୁ ସାରିଜୁଲା, ଚିତ୍ରକୋଣ୍ଡାରୁ ସାନଡ଼ଙ୍ଗୋଲି ଏବଂ ମେବଳିଠାରୁ ଦାମଗଡ଼ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ଆରମ୍ଭ ହୋଇନାହିଁ। ସେହିପରି ସେତୁ ସ୍କିମରେ ମାଲକାନଗିରିରେ ତିନିଟି ପ୍ରକଳ୍ପ ପାଇଁ ୪୭୦ ମିଟର ସେତୁ କାର୍ଯ୍ୟର ସର୍ଭେ ମଧ୍ୟ ଆରମ୍ଭ ହୋଇପାରିନି।

Comments are closed.