ନକ୍ସଲ ପଞ୍ଝାରେ ଛତିଶଗଡ଼ ଓ ଓଡ଼ିଶା

ଛତିଶଗଡ଼ର ବୀଜାପୁରରେ ଗତ ଏପ୍ରିଲ ୩ରେ ନକ୍ସଲପନ୍ଥୀଙ୍କ ସହ ମୁକାବିଲାରେ ସିଆରପିଏଫ୍‌ର ୨୨ ଜଣ ଯବାନ ସହିଦ ହୋଇଥିବାବେଳେ ୩୧ ଜଣ ଗୁରୁତର ଆହତ ହୋଇ ଚିକିତ୍ସାଧୀନ ଅଛନ୍ତି। ଯେଉଁ ଜଣେ କୋବ୍ରା ଯବାନଙ୍କୁ ନକ୍ସଲ ଅପହରଣ କରି ନେଇଥିଲେ, ତାଙ୍କୁ ସେମାନେ ଇତି ମଧ୍ୟରେ ଛାଡ଼ି ଦେଇଛନ୍ତି। ଏହି ସଂଘର୍ଷରେ ୨୫ରୁ ୩୦ ଜଣ ନକ୍ସଲ ନିହତ ହୋଇଥିବା ସମ୍ପର୍କରେ କେନ୍ଦ୍ରୀୟ ରିଜର୍ଭ ପୁଲିସ ଫୋର୍ସ (ସିଆରପିଏଫ୍‌)ର ମହାନିର୍ଦେଶକ କୁଲ୍‌ଦୀପ ସିଂହ ସୂଚନା ଦେଇଛନ୍ତି। ଗତ କିଛି ବର୍ଷ ମଧ୍ୟରେ ଛତିଶଗଡ଼ରେ ହୋଇଥିବା ମାଓବାଦୀଙ୍କ ଦ୍ବାରା ଏହା ସବୁଠାରୁ ବଡ଼ ଆକ୍ରମଣ ବୋଲି ଜଣାପଡ଼ିଛି। ଦୁଇ ତାରିଖ ଦିନ ସୁକମା ଏବଂ ବୀଜାପୁରର ବିଭିନ୍ନ ଅଞ୍ଚଳରେ ସିଆଇପିଏଫ୍‌, ଜିଲା ରିଜର୍ଭ ଗାର୍ଡ଼, ସ୍ପେସାଲ ଟାସ୍କ ଫୋର୍ସ ଏବଂ କୋବ୍ରା ବାଟାଲିୟନର ୨୦୫୯ ଯବାନ ନକ୍ସଲ ଅପରେସନ ପାଇଁ ଅଭିଯାନ ଆରମ୍ଭ କରିଥିଲେ। ଶନିବାର ଅପରେସନ ପରେ ଏମାନେ ଫେରୁଥିବାବେଳେ ଓରେଂମ ଥାନା ସିଗଲେର ନିକଟ ଜୋନ୍ନାଗୁଣ୍ଡା ଜଙ୍ଗଲରେ ସଶସ୍ତ୍ର ନକ୍ସଲମାନେ ସୁରକ୍ଷାବଳଙ୍କ ଉପରେ ଅତର୍କିତ ଆକ୍ରମଣ କଲେ। ଗତ ଦୁଇ ଦଶନ୍ଧି ହେଲା ନକ୍ସଲ ଛତିଶଗଡ଼ ଏବଂ ଓଡ଼ିଶା ସୀମାରେ ନିଜର ଗତିବିଧିକୁ ବ୍ୟାପକ କରିବା ସହିତ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରରେ ନିଜକୁ ସଜ୍ଜିତ କରି ରଖିଛନ୍ତି। ବୀଜାପୁର ଆକ୍ରମଣ ଅତି ଯୋଜନାବଦ୍ଧ ଥିଲା ଏବଂ ସୁରକ୍ଷାକର୍ମୀଙ୍କୁ ତିନିଆଡ଼ୁ ଘେରିଯାଇ ସେମାନେ ଯବାନଙ୍କ ଉପରକୁ ଆଖିବୁଜା ଗୁଳିବର୍ଷଣ କରିଥିଲେ।
ସୁରକ୍ଷା ଯବାନଙ୍କ ଉପରେ ନକ୍ସଲ ଆକ୍ରମଣର ଇତିହାସ ବହୁତ ଲମ୍ବା। ୨୦୦୭ ମସିହା ଜୁଲାଇ ୯ରେ ଛତିଶଗଡ଼ର ଓରପଲମେଟାଠାରେ ସିଆରପିଏଫ୍‌ ଏବଂ ଜିଲା ପୁଲିସ ଦଳ ନକ୍ସଲଙ୍କୁ ତଲାସ କରି ବେସ୍‌ କ୍ୟାମ୍ପକୁ ଫେରୁଥିବାବେଳେ ସେମାନଙ୍କ ଉପରକୁ ନକ୍ସଲମାନେ ଅତର୍କିତ ଗୁଳିଚାଳନା କରିବା ଫଳରେ ୨୩ ଜଣ ସୁରକ୍ଷାକର୍ମୀ ପ୍ରାଣ ହରାଇଥିଲେ। ସେହିପରି ଏହା ପୂର୍ବରୁ ୨୦୦୭ ମାର୍ଚ୍ଚ ୧୫ରେ ବୀଜାପୁରର ରାନୀବୋଦଲୀ ସ୍ଥିତ ପୁଲିସ ଶିବିର ଉପରେ ନକ୍ସଲ୍‌ ଆକ୍ରମଣ ହେବା ଏବଂ ନିଆଁ ଲଗାଇ ଦେବା ଫଳରେ ୫୫ ଜଣ ଯବାନ ସହିଦ ହୋଇଥିଲେ। ୨୦୦୯ ଜୁଲାଇ ୧୨ରେ ରାଜନଦଗାଓଁର ମାନପୁରଠାରେ ସଶସ୍ତ୍ର ମାଓବାଦୀ ୨୯ଜଣ ପୁଲିସ କର୍ମୀଙ୍କୁ ହତ୍ୟା କରିଥିଲେ। ୨୦୧୦ ଜୁନ୍‌ ୨୯ରେ ନାରାୟଣପୁର ଜିଲାର ଘୋଡ଼ାଇଠାରେ ସିଆରପିଏଫ୍‌ ଯବାନଙ୍କ ଉପରେ ନକ୍ସଲଙ୍କ ଅତର୍କିତ ଆକ୍ରମଣରେ ୨୭ଜଣ ଯବାନ ପ୍ରାଣ ହରାଇଥିଲେ। ଏହା ପୂର୍ବରୁ ୨୦୧୦ ମଇ ମାସ ୧୭ରେ ସୁରକ୍ଷାକର୍ମୀ ଯବାନମାନେ ଦାନ୍ତେୱାଡ଼ାରୁ ସୁକମା ଯାଉଥିବାବେଳେ ନକ୍ସଲଙ୍କ ବାରୁଦ ସୁରଙ୍ଗ ଉପରେ ସେମାନଙ୍କ ଗାଡ଼ି ଚଢ଼ିଯିବାରୁ ୧୨ ଜଣ ପୁଲିସ ଅଧିକାରୀଙ୍କ ସମେତ ୩୬ ଜଣ ସହିଦ ହୋଇଥିଲେ। ଏହା ପୂର୍ବରୁ ୨୦୧୦, ଅପ୍ରେଲ ୧୬ରେ ତାଡ଼ମେଟଲାରେ ବାରୁଦ ସୁରଙ୍ଗ ବିସ୍ଫୋରଣରେ ୭୬ଜଣ ଯବାନ ସହିଦ ହୋଇଥିଲେ। ମାଓବାଦୀଙ୍କ ଦ୍ବାରା ଏହା ସବୁଠାରୁ ବଡ଼ ହତ୍ୟାକାଣ୍ଡ ବୋଲି କୁହାଯାଏ। ସେହିପରି ୨୦୧୧ ଜୁନରେ ନକ୍ସଲମାନେ ବାରୁଦସୁରଙ୍ଗ ବିସ୍ଫୋରଣ କରି ଆଣ୍ଟି ଲ୍ୟାଣ୍ଡମାଇନ୍‌ସ ବାହନକୁ ଉଡ଼ାଇ ଦେବା ଫଳରେ ୧୦ଜଣ ପୁଲିସକର୍ମୀ ନିହତ ହୋଇଥିଲେ। ୨୦୧୨ ​‌େ​‌ମ ୧୨ରେ ସୁକମା ଦୂରଦର୍ଶନ କେନ୍ଦ୍ର ଉପରେ ଅତର୍କିତ ଆକ୍ରମଣ କରି ନକ୍ସଲ ଉଗ୍ରବାଦୀ ୪ ଜଣ ଯବାନଙ୍କୁ ହତ୍ୟା କରିଥିଲେ। ମେ ୨୫ ତାରିଖ ୨୦୧୩ରେ କଂଗ୍ରେସର ନେତା ଓ କର୍ମୀଙ୍କ ଉପରେ ନକ୍ସଲମାନେ ଅତର୍କିତ ଆକ୍ରମଣ କରିବା ଫଳରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିଦ୍ୟାଚରଣ ଶୁକ୍ଳ, ପ୍ରଦେଶ କଂଗ୍ରେସର ଅଧ୍ୟକ୍ଷ ନନ୍ଦକୁମାର ପଟେଲ ଏବଂ ବରିଷ୍ଠ ଆଦିବାସୀ ନେତା ମହେନ୍ଦ୍ର ବର୍ମାଙ୍କର ମୃତ୍ୟୁ ହୋଇଥିଲା। ଝିରମ୍‌ରେ ହୋଇଥିବା ଏହି ଜଘନ୍ୟ ଆକ୍ରମଣରେ ୩୦ରୁ ଅଧିକ କଂଗ୍ରେସ କର୍ମୀ ପ୍ରାଣ ହରାଇଥିଲେ। ଏହା ପରେ ନକ୍ସଲମାନେ ସେହି ଝିରମ୍‌ରେ ପାଖାପାଖି ଗୋଟିଏ ବର୍ଷ ପରେ ମାର୍ଚ୍ଚ ୧୧ ତାରିଖ ୨୦୧୪ରେ ୧୫ଜଣ ଯବାନଙ୍କୁ ହତ୍ୟା କରିଥିଲେ।
ଓଡ଼ିଶାର କୋରାପୁଟ ଓ ମାଲକାନଗିରି ଜିଲା ଛତିଶଗଡ଼ ରାଜ୍ୟର ସୀମାକୁ ଲାଗିଛି। ଏ ଅଞ୍ଚଳ ଆନ୍ଧ୍ରପ୍ରଦେଶ ସହିତ ମଧ୍ୟ ସଂଯୁକ୍ତ ଥିବାରୁ ଏହି ଦୁଇ ପ୍ରଦେଶର ନକ୍ସଲମାନେ କୋରାପୁଟ, ମାଲ୍‌କାନ୍‌ଗିରିକୁ ସୁରକ୍ଷିତ ଆଶ୍ରୟସ୍ଥଳୀ ବୋଲି ବିଚାରକରି ସେଠାରେ ମଧ୍ୟ ବେଳେବେଳେ ଆତଙ୍କ ସୃଷ୍ଟି କରୁଛନ୍ତି। ଗତ ୨୦୧୫ ଅଗଷ୍ଟ ୨୬ରେ ମାଲ୍‌କାନଗିରିର ଚିତ୍ରକୋଣ୍ଡାଠାରେ କଟ୍‌ଅଫ୍‌ ଏରିଆରୁ କମ୍ବିଙ୍ଗ ସାରି କେତେଜଣ ବିଏସଏଫ ଯବାନ ମୋଟର ବୋଟ୍‌ରେ ତାଙ୍କ କ୍ୟାମ୍ପକୁ ଫେରୁଥିବାବେଳେ ନକ୍ସଲମାନେ ପାଲକରାଇ ଘାଟଠାରେ ତାଙ୍କ ଉପରକୁ ଅତର୍କିତ ଗୁଳିଚାଳନା କରିବା ଫଳରେ ୩ଜଣ ବିଏସଏଫ ଯବାନ ଏବଂ ଜଣେ ସାଧାରଣ ନାଗରିକର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଅନ୍ୟ ୬ଜଣ ଗୁରୁତର ଆହତ ହୋଇଥିଲେ। ସେହିପରି ୨୦୧୭ ଫେବୃଆରୀ ୨ରେ କୋରାପୁଟ ଜିଲାର ସୁଙ୍କିର ଜାତୀୟ ରାଜପଥ- ୨୬ରେ ପ୍ରଶିକ୍ଷଣ ପାଇଁ କଟକ ଯାଉଥିବା କେତେଜଣ ପୁଲିସ ଡ୍ରାଇଭରଙ୍କୁ ଧରି ଗୋଟିଏ ଗାଡ଼ି ବାରୁଦ ବିସ୍ଫୋରଣରେ ଧ୍ବସ୍ତବିଧ୍ବସ୍ତ ହୋଇଯାଇଥିଲା। ଏଥିରେ ୭ଜଣ ଯବାନ ପ୍ରାଣ ହରାଇଥିଲେ। ୨୦୨୦ ସେପ୍ଟେମ୍ବର ୮ରେ କଳାହାଣ୍ଡି- କନ୍ଧମାଳ ସୀମାରେ ଥିବା ଏମ୍‌ ରାମପୁର ଥାନା ଅଞ୍ଚଳର ଏକ ଜଙ୍ଗଲ ଭିତରେ ସ୍ପେସାଲ ଅପରେସନ ଗ୍ରୁପ୍‌ ଯବାନଙ୍କ ଗୁଳିମାଡ଼ରେ ୩ଜଣ ମହିଳା ମାଓବାଦୀଙ୍କ ସମେତ ୪ଜଣଙ୍କର ପ୍ରାଣହାନି ହୋଇଥିଲା। ପୁଲିସ ନିହତ ନକ୍ସଲଙ୍କ ଶବ ସହିତ ସେମାନଙ୍କଠାରୁ କେତେକ ଅସ୍ତ୍ରଶସ୍ତ୍ର ଜବତ କରିଥିଲେ। ୨୦୨୦ରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ପ୍ରାୟ ୧୨ ଜଣ ମାଓବାଦୀ ପୁଲିସ ଏବଂ ସୁରକ୍ଷାକର୍ମୀଙ୍କ ଗୁଳିରେ ନିହତ ହୋଇଥିଲେ। ୨୦୧୮ରେ ୧୮ଜଣ, ୨୦୧୯ରେ ୮ଜଣ ମାଓବାଦୀ ନିହତ ହୋଇଥିଲେ।
କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଘୋଷଣା କରାଯାଇଛି ଯେ ଦେଶର ୬୦ଟି ଜିଲାରେ ଏବେ ନକ୍ସଲମାନଙ୍କ ଗତିବିଧି ଚାଲିଛି। ଓଡ଼ିଶା, ଝାଡ଼ଖଣ୍ଡ, ଛତିଶଗଡ଼, ବିହାର, ମଧ୍ୟପ୍ରଦେଶ, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର ଏବଂ ପଶ୍ଚିମବଙ୍ଗର ବିଭିନ୍ନ କ୍ଷେତ୍ରରେ ମାଓବାଦୀମାନେ ସକ୍ରିୟ ଅଛନ୍ତି। କୁହାଯାଏ ଦକ୍ଷିଣ ଏସିଆର କେତେକ ଆତଙ୍କବାଦୀ ଓ ଉଗ୍ରବାଦୀ ସଂଗଠନ ସହିତ ଭାରତର ନକ୍ସଲ ନେତାମାନେ ସମ୍ପର୍କ ସ୍ଥାପନ କରି ଅସ୍ତ୍ରଶସ୍ତ୍ର ଯୋଗାଡ଼ କରିଥାନ୍ତି। ନେପାଳର ମାଓ ସଂଗଠନ, ବଙ୍ଗଳା ଦେଶର ଆଇଏସଆଇ ସମର୍ଥିତ ଇସ୍‌ଲାମିକ୍‌ ଉଗ୍ରବାଦୀ ସଂଗଠନ, ମିଆଁମାରର ଅପରାଧୀ ସଂଗଠନଗୁଡ଼ିକଠାରୁ ଭାରତର ନକ୍ସଲ ଅସ୍ତ୍ରଶସ୍ତ୍ର ସଂଗ୍ରହ କରିଥାନ୍ତି। ଏହା ବ୍ୟତୀତ ସୁରକ୍ଷାକର୍ମୀଙ୍କଠାରୁ ଲୁଟକରି ମାରଣାସ୍ତ୍ର ଯୋଗାଡ଼ରେ ସଫଳ ହୋଇଥାନ୍ତି। ଦେଶରେ ନକ୍ସଲଙ୍କ ତିନିଟି ଅସ୍ତ୍ରଶସ୍ତ୍ର ଉତ୍ପାଦନ କାରଖାନା ରହିଥିବା କୁହାଯାଏ। ଏହି ନିଷିଦ୍ଧ ନକ୍ସଲ ସଂଗଠନ ଓ ମାଓବାଦୀଙ୍କୁ ଦୃଢ଼ହସ୍ତରେ ଦମନ ପାଇଁ କଠୋର ନୀତି ଆବଶ୍ୟକ।

ଅରୁଣ କୁମାର ପଣ୍ଡା

ଫୋ:୯୪୩୭୨୭୦୬୦୫

Comments
Loading...