କେନ୍ଦ୍ରୀୟ କମିଟି ମାଓ ନେତା ଆର୍.କେଙ୍କ ଅସୁସ୍ଥତା ଯୋଗୁଁ ମୃତ୍ୟୁ

ମାଲକାନଗିରି : ଆନ୍ଧ୍ର-ଓଡିଶା-ଝାଡଖଣ୍ଡ-ତେଲେଙ୍ଗାନା ଓ ଛତିଶଗଡ ପୋଲିସର ମୋଷ୍ଟ ୱାଣ୍ଟଡ ମାଓ ନେତା ତଥା ସଂଗଠନ କେନ୍ଦ୍ରୀୟ କମିଟିର ମୁଖ୍ୟ ରାମକ୍ରିଷ୍ଣା ଓରଫ ଅକ୍କିରାଜୁ ହରିଗୋପାଳଙ୍କ ଅସୁସ୍ଥତା ଯୋଗୁ ମୄତ୍ୟୁ ଘଟିଥିବା ସୁଚନା ମିଳିଛି। ଯଦିଓ ନିର୍ଦ୍ଧିଷ୍ଟ ଭାବେ ମାଓ ସଂଗଠନ କିମ୍ବା ପୋଲିସ ପକ୍ଷରୁ ଏଥିନେଇ କୌଣସି ସୂଚନା ଦିଆ ଯାଇ ନାହିଁ ତଥାପି କିଛିଦିନ ହେଲା ସେ କିଡନୀ ଜନିତ‌ ରୋଗରେ ପୀଡିତ ହୋଇ ଗୁରୁତର ହୋଇଥିଲେ। ତେବେ ଗତକାଲି ତାଙ୍କର ମୄତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ଦୀର୍ଘ ଚାରି ଦଶନ୍ଧି ଧରି ସେ ମାଓ ସଂଗଠନରେ ସାମିଲ ଥିବା ବେଳେ ଆନ୍ଧ୍ର ଓଡିଶା ଛତିଶଗଡ ରାଜ୍ୟର ପ୍ରମୁଖ ମାଓବାଦୀ ହିଂସାର ସେ ମାଷ୍ଟର ମାଇଣ୍ଡ ଥିଲେ ।

ଗତ ୨୦୧୭ ମସିହାରେ ମାଲକାନଗିରି ଜିଲ୍ଲା ସ୍ବାଭିମାନ ଅଂଚଳରେ ଆନ୍ଧ୍ରର ପୁଲିସ ଏନକାଉଣ୍ଟରରେ ତାଙ୍କ ପୁଅ ମୁନାର ମୃତ୍ୟୁ ହୋଇଥିଲା । ୨୦୧୯ ପର୍ଯ୍ୟନ୍ତ କେନ୍ଦ୍ରୀୟ ମାଓ ସଂଗଠନର ମୂଖ୍ୟ ସଂପାଦକ ଭାବେ ଦାୟୀତ୍ବ ତୁଲାଇ ଥିବାବେଳେ ଅସୁସ୍ଥତା ଯୋଗୁଁ ସେ କିଛି‌ଦିନ ହେବ ସଂଗଠନରୁ ଦୂରେଇ ରହିଥିଲେ। ତାଙ୍କ ସ୍ରେଥାନରେ ନାମ୍ବାଲା କେଶବ ରାଓଙ୍କୁ କେନ୍ଦ୍ରୀୟ ସଂପାଦକ ଦାୟିତ୍ବ ଦିଆଯାଇଥିଲା । ୨୦୦୪‌ ତତ୍କାଳୀନ  ଆନ୍ଧ୍ର ମୁଖ୍ୟ‌ମନ୍ତ୍ରୀ ୱାଇ ଏସ ରାଜ ଶେଖର ରେଡ୍ଡିଙ୍କ ସମୟରେ ଶାନ୍ତି କଥାବାର୍ତ୍ତା ନେଇ ମୁଖ୍ୟ ସ୍ରୋତରେ ଯାଇ ଚର୍ଚ୍ଚାରେ ଆସିଥିଲେ। ମାଲକାନଗିରି ଜିଲ୍ଲା ପୁର୍ବତନ ଜିଲ୍ଲାପାଳ ଭିନିଲ କ୍ରିଷ୍ଣା ଅପହରଣ, କୋରାପୁଟ‌ ଅସ୍ତ୍ରାଗାର ଲୁଟ, ନୟାଗଡ ଆକ୍ରମଣ, ଚିତ୍ରକୋଣ୍ଡା‌ ଜଳଭଣ୍ଡାର ଲଞ୍ଚ ଆକ୍ରମଣରେ ୩୪ ଜଣ ଆନ୍ଧ୍ର ଗ୍ରେହାଉଣ୍ଡସ୍ ହତ୍ୟା ଭଳି ଓଡିଶାର ବହୁ ମାଓ ହିଂସାର ମାଷ୍ଟରମାଇଣ୍ଡ ଥିଲେ ଆର୍.କେ। ତାଙ୍କ‌ ନାମରେ ପାଞ୍ଚଟି‌ ରାଜ୍ୟରେ ପ୍ରାୟ ୧ କୋଟି‌ ଟଙ୍କାର ପୁରଷ୍କାର ଘୋଷଣା କରାଯାଇଛି ।

Comments are closed.