ଗୁଳି ବିନିମୟ ; ଖସିଗଲେ ବହୁ ଦୁର୍ଦାନ୍ତ ମାଓନେତା,ଶିବିର ଧ୍ବସ୍ତ, ବିପୁଳ ବିସ୍ଫୋରକ ଜବତ

ଭବାନୀପାଟଣା/ମ.ରାମପୁର :  କଳାହାଣ୍ଡି ଜିଲା ମଦନପୁର ରାମପୁର ବ୍ଲକ ଲଉବେନଗଡ଼ ଜଙ୍ଗଲରେ ଗୁରୁବାର ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ପୁଲିସ ଏକ ମାଓ ଶିବିର ଧ୍ବଂସ କରିବା ସହିତ ସେଠାରୁ ଟିଫିନ ବୋମା, ଡିଟୋନେଟର ଓ ମାଓ ସାମଗ୍ରୀ ଜବତ କରିଛି। ନୂଆପଡ଼ା ଜିଲାର ବୋଡେନ ‍ବ୍ଲକ ପାଟଦରହା ଜଙ୍ଗଲରେ ମାଓବାଦୀଙ୍କ ଗୁଳିରେ ୩ ସିଆରପିଏଫ ସୁରକ୍ଷାକର୍ମୀ ସହିଦ ହେବା ପରେ କଳାହାଣ୍ଡି-ନୂଆପଡ଼ା ସୀମାନ୍ତରେ ଆଜି
ସିଆର୍‍ପିଏଫ୍‍, ଡିଭିଏଫ୍‍ ଓ ଏସ୍‍ଓଜି ଯବାନଙ୍କ ପକ୍ଷରୁ ପୂର୍ବାହ୍ଣ ୧୧.୩୦ରେ ମିଳିତ କମ୍ବିଂ ଅପରେସନ ଚାଲିଥିଲା। କଳାହାଣ୍ଡି ଜିଲା ମ.ରାମପୁର ବ୍ଲକ ଉର୍ଲାଦାନୀ ଓ ମୋହନଗିରୀ ପଞ୍ଚାୟତର ଲୁବେନଗଡ଼ ପାଖ ମୁଣ୍ଡାମସ୍କା ସଂରକ୍ଷିତ ଜଙ୍ଗଲରେ ଏକ ବଡ଼ ମାଓ କ୍ୟାମ୍ପ ଚାଲିଥିବା ସମ୍ପର୍କରେ କଳାହାଣ୍ଡି ଏସ୍‍ପି ଅଭିଳାଷ ଜୀ. ଖବର ପାଇ କମ୍ବିଂ ପାଇଁ ନିର୍ଦେଶ ଦେଇଥିଲେ। ଏସ୍‍ଓଜି ଓ ଡିଭିଏଫ୍‍ ଯବାନ ସେଠାରେ କମ୍ବିଂ ଆରମ୍ଭ ବେଳେ ମାଓବାଦୀମାନଙ୍କ ସହ ସାମ୍ନାସାମ୍ନି ହୋଇଥିଲେ। ଉଭୟ ପକ୍ଷ ମଧ୍ୟରେ ୧୫ରୁ ୨୦ ମିନିଟ୍‌ ଗୁଳି ବିନିମୟ ହୋଇଥିଲା। ଯବାନଙ୍କ ଅତର୍କିତ ଗୁଳିମାଡ଼ ଯୋଗୁ ମାଓବାଦୀମାନେ କ୍ୟାମ୍ପ ଛାଡ଼ି ଛତ୍ରଭଙ୍ଗ ଦେଇଥିଲେ। ଏକାଧିକ କୁଖ୍ୟାତ ମାଓ ନେତାଙ୍କ ସହିତ ପ୍ରାୟ ୨୫ ରୁ ୩୦ ମାଓବାଦୀ ସେଠାରୁ ଖସି ଯାଇଛନ୍ତିି।
ଯବାନମାନେ ମାଓ କ୍ୟାମ୍ପରୁ ୨ଟି ଜୀବନ୍ତ ଟିଫିନ ବୋମା, ‍୨ଟି ମୁଭିଟ୍ରାକ୍‍, ବହୁ ପରିମାଣର ଡିଟୋନେଟର, ମାଓ ସାମଗ୍ରୀ ଜବତ କରିଛନ୍ତି। ଏହି କ୍ୟାମ୍ପ ପରିଚାଳନା କରୁଥିବା ମାଓନେତା ନିଖିଳ, ବଣ୍ଟି, ଦସରୁ ଓ ମମତା ଜଙ୍ଗଲକୁ ଖସି ଯାଇଥିବା ସନ୍ଦେହ କରାଯାଉଛି ବୋଲି କଳାହାଣ୍ଡି ଏସ୍‍ପି ଅଭିଳାଷ ଜୀ. ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।

Comments are closed.