ଆତ୍ମସମର୍ପଣ କଲା ହାର୍ଡକୋର ମାଓବାଦୀ ମଣ୍ଟୁ

ନୂଆପଡା : ନୂଆପଡା ଜିଲା ଏସପିଙ୍କ ନିକଟରେ ଜଣେ ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ କରିଛି। ଆତ୍ମସମର୍ପଣ କରିଥିବା ମାଓବାଦୀ ଜଣଙ୍କ ହେଲା ବୋଡେନ ଥାନା କରିପାନୀ ଗାଁର ପରଶୁରାମ ଧରୁଆ ଓରଫ୍ ମଣ୍ଟୁ। ସେ ଗତ ୨୦୧୪-୧୫ ମସିହାରେ ମାଓସଂଗଠନରେ ମିଲିସିଆ ଭାବରେ ସାମିଲ ହୋଇଥିଲା । ପରେ ୨୦୧୭ ମସିହାରୁ ମେନପୁର-ନୂଆପଡା ଡିବିଜନ ମାଓ ସଂଗଠନରେ ସାମିଲ ହୋଇ ବିଭିନ୍ନ ମାଓ କାଣ୍ଡରେ ସଂପୃକ୍ତ ଥିଲା। ମଣ୍ଟୁ ନାମରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା । ବିଗତ ଦିନରେ ଅନେକ ମାଓବାଦୀଙ୍କ ସମର୍ପଣରେ ପ୍ରଭାବିତ ହୋଇ ସେ ଆତ୍ମସମର୍ପଣ କରିଥିବା ଏକ ସାମ୍ବାଦିକ ସମ୍ମିଳନୀରେ ନୂଆପଡା ଏସପି କହିଛନ୍ତି। ଆତ୍ମସମର୍ପଣ  ପରେ ମଣ୍ଟୁ ନିକଟରୁ ଏକ ଥ୍ରୀ ନଟ୍ ଥ୍ରୀ ବନ୍ଧୁକ ସହ କିଛି ଅଫୁଟା ଗୁଳି ମଧ୍ୟ ଜବତ କରାଯାଇଛି। ମାଓ ଥଇଥାନ୍ ଯୋଜନା ଅନୁସାରେ ଆତ୍ମସମର୍ପଣ କରିଥିବା ମାଓବାଦୀ ମାଣ୍ଟୁକୁ ଥଇଥାନ କରାଯିବ ବୋଲି ଏସପି ସୂଚନା ଦେଇଛନ୍ତି।

Comments are closed.