ମାଓ ଗୁଳିରେ କ୍ୟାମେରାମ୍ୟାନ ସହିଦ୍ ଘଟଣା; ସ୍ପଷ୍ଟୀକରଣ ଦେଲେ ମାଓ ସଂଗଠନ

0

ନୂଆଦିଲ୍ଲୀ: ଛତିଶଗଡ଼ ଦନ୍ତେୱାଡ଼ାରେ ମାଓବାଦୀଙ୍କ ଗୁଳିରେ ଦୂରଦର୍ଶନର ଜଣେ କ୍ୟାମେରାମ୍ୟାନ ସହିଦ୍ ହୋଇଥିବା ଘଟଣାରେ ଶୁକ୍ରବାର ମାଓ ସଂଗଠନ ପକ୍ଷରୁ ସ୍ପଷ୍ଟୀକରଣ ଜାରି କରାଯାଇଛି । କ୍ୟାମେରାମ୍ୟାନଙ୍କ ମୃତ୍ୟୁ ଘଟଣାକୁ ନେଇ ସିପିଆଇ ମାଓ ସଂଗଠନ ଦୁଃଖ ପ୍ରକାଶ କରିବା ସହ  ଏକ ପୋଷ୍ଟର ଲଗାଯାଇଛି । ସେଥିରେ ଉଲ୍ଲେଖ ରହିଛି ଯେ, ସାମ୍ବାଦିକ ଆମର ଶତ୍ରୁ ନୁହେଁ ବରଂ ମିତ୍ର । ମାଓବାଦୀଙ୍କ ଟାର୍ଗେଟରେ ସାମ୍ବାଦିକ ବା କ୍ୟାମେରାମ୍ୟାନ ନ ଥିଲେ । ଯବାନମାନଙ୍କୁ ଆକ୍ରମଣ କରିବା ପାଇଁ ଯୋଜନା କରାଯାଇଥିଲା । ହେଲେ ଭୁଲବଶତଃ ଦୂରଦର୍ଶନ କ୍ୟାମେରାମ୍ୟାନଙ୍କ ଦେହରେ ଗୁଳି ବାଜିଥିଲା ବୋଲି ମାଓ ସଂଗଠନ ପକ୍ଷରୁ ସଫେଇ ଦିଆଯାଇଛି। ଏହା ସହ ମାଓ ଇଲାକାରେ ସୁରକ୍ଷାକର୍ମୀ ଓ ପୁଲିସଙ୍କ ସହିତ ଗଣମାଧ୍ୟମ ପ୍ରତିନିଧି ନଯିବାକୁ ପରାମର୍ଶ ଦିଆଯାଇଛି ।

ହେଲେ ମାଓବାଦୀଙ୍କ ଏହି ସ୍ପଷ୍ଟୀକରଣକୁ ସହଜରେ ଗ୍ରହଣରେ କରିପାରି ନାହାନ୍ତି ଜିଲ୍ଲା ଏସ୍‌ପି ଅଭିଷେକ ପଲ୍ଲବ । ସେ ଏହାର ପାଲଟା ଜବାବରେ ପ୍ରଶ୍ନ କରିଛନ୍ତି ଯେ, ‘‘କ୍ୟାମେରା କାହିଁକି ଲୁଟ କରାଗଲା ? ଗଣମାଧ୍ୟମକୁ ଟାର୍ଗେଟ କରି ଯୋଜନା ପ୍ରସ୍ତୁତ କରାଯାଇ ଥିବା ନେଇ ଉକ୍ତ କ୍ୟାମେରାରେ ରେକର୍ଡ ଥିଲା । ସହିଦ୍ କ୍ୟାମେରାମ୍ୟାନ୍‌ଙ୍କ ଶରୀରରେ ଥିବା ଗୁଳିର ଚିହ୍ନ ଓ ମୁଣ୍ଡରେ ଲାଗିଥିବା ଗଭୀର ଆଘାତରୁ ଏହା ଭୁଲବଶତଃ ନଥିଲା ବୋଲି ସ୍ପଷ୍ଟ ହୋଉଛି ।

ସୂଚନାଯୋଗ୍ୟ, ଗତ ୩୦ ତାରିଖରେ ଛତିଶଗଡ ଦାନ୍ତେୱାଡାର ନିଲବାୟା ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ସହ ଦୂରଦର୍ଶନର କ୍ୟାମେରାମ୍ୟାନ୍ ଖବର ସଂଗ୍ରହ ପାଇଁ ଯାଇଥିବା ବେଳେ ହଠାତ୍ ମାଓବାଦୀମାନେ ଆକ୍ରମଣ କରିଥିଲେ । ମାଓବାଦୀଙ୍କ ଅତର୍କିତ ଗୁଳିରେ ଦୂରଦର୍ଶନର କ୍ୟାମେରାମ୍ୟାନ ଓଡିଶାର ଅଚ୍ୟୁତାନନ୍ଦ ସାହୁଙ୍କ ସହ ଦୁଇ ଜଣ ଯବାନ ଘଟଣାସ୍ଥଳରେ ସହିଦ୍ ହୋଇଥିଲେ ଓ ପରେ ଆଉ ଜଣଙ୍କ ମୃତ୍ୟୁ ହୋଇଥିଲା।

Leave A Reply