ଖାଲି ପଡ଼ିଛି ସେକ୍ଟର-୨୨ର ବହୁ କ୍ୱାଟର୍ସ: ଦିନରାତି ଜମୁଛି ଆଡ୍ଡା

ସାରନଗରୀ : ଦକ୍ଷିଣ ରାଉରକେଲା ଅନ୍ତର୍ଗତ ସେକ୍ଟର-୨୨ (ସାରନଗରୀ)ରେ ରାଉରକେଲା ଇସ୍ପାତ କାରଖାନା(ଆରଏସପି)ରେ କାର୍ଯ୍ୟରତ କର୍ମଚାରୀମାନଙ୍କ ପାଇଁ କ୍ୱାଟର୍ସ ର ବ୍ୟବସ୍ଥା କରାଯାଇଥିଲା । ପୂର୍ବରୁ ସାରନଗରୀରେ ଆରଏସପିର ୪ ହଜାରରୁ ଉର୍ଦ୍ଧ୍ବ କର୍ମଚାରୀ ବିଭିନ୍ନ କ୍ୱାର୍ଟରରେ ‘ଏ’ ଠାରୁ ‘ଏଫ୍‌’ ବ୍ଲକରେ ବସବାସ କରି ଆସୁଥିଲେ । ବର୍ତ୍ତମାନ ଏଠାରୁ କିଛି ଆରଏସପି କର୍ମଚାରୀ ଅବସର ନେଲା ପରେ ସହରର ଅନ୍ୟ ସ୍ଥାନ ଗୁଡ଼ିକରେ ଭଡ଼ା ଅବା ନିଜସ୍ୱ ଗୃହରେ ବସବାସ କରି ଆସୁଛନ୍ତି । ବର୍ତ୍ତମାନ ସ୍ଥିତିକୁ ଅନୁଧ୍ୟାନ କଲେ ସେକ୍ଟର-୨୨ରେ ୧୪୫୦ କ୍ୱାର୍ଟର ରହିଛି । ସେ ମଧ୍ୟରୁ  କିଛି ଆରଏସପି କ୍ୱାର୍ଟର ଖାଲି ପଡ଼ିଥିବା ବେଳେ, ଅନେକ ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଛି । ଖାଲି କ୍ୱାର୍ଟର ଗୁଡ଼ିକର ଝରକା,କବାଟ ଭାଙ୍ଗି ରୁଜି ଯାଇଥିବା ବେଳେ କେତେକର ଝରକା, କବାଟ ଆଦୌ ନଜରକୁ ଆସୁନାହିଁ । ଅନ୍ୟପକ୍ଷେ ଏହି ଖାଲି କ୍ୱାର୍ଟର ଗୁଡ଼ିକ ଅସାମାଜିକ ତତ୍ୱଙ୍କ ଭୂସ୍ୱର୍ଗ ପାଲଟିଛି କହିଲେ କିଛି ଭୁଲ ହେବ ନାହିଁ । ପରିତ୍ୟକ୍ତ ଆରଏସପି କ୍ୱାର୍ଟର ଗୁଡ଼ିକ ନିଶାର ପେଣ୍ଠସ୍ଥଳୀ ପାଲଟିଛି । ସଂଜ ନଇଁଲେ ଖାଲି ଓ ପରିତ୍ୟକ୍ତ ଆରଏସପି କ୍ୱାର୍ଟର ଗୁଡ଼ିକରେ ଅସାମାଜିକ ବ୍ୟକ୍ତି ମାନେ ମେଳିକରି ହୋହାଲ୍ଲା କରୁଥିବାରୁ ନିକଟରେ ଥିବା ଅନ୍ୟ କ୍ୱାର୍ଟର ବାସିନ୍ଦାଙ୍କ ପାଇଁ ଏକ ନିଶ୍ଚିତ ବିପଦକୁ ଆମନ୍ତ୍ରଣ ଦେଉଛି। ଅସାମାଜିକ ଓ ଉଦଭ୍ରାନ୍ତ ଯୁବକ ମାନଙ୍କୁ ଯଦି କିଏ ବିରୋଧ କରୁଛି ତେବେ ସେମାନଙ୍କ କ୍ରୋଧର ଶିକାର ହେବାକୁ ପଡୁଛି । ସେକ୍ଟର-୨୨ରେ ବିଭିନ୍ନ ଆରଏସପି କର୍ମଚାରୀ ଅବସର ନେବା ପରେ ସେମାନଙ୍କ ମଧ୍ୟରୁ ପ୍ରାୟ ଅନ୍ୟ ସେକ୍ଟର ମୁହାଁ ହୋଇ ସାରିଲେଣି । କେତେକ ଆରଏସପି କର୍ମଚାରୀ ସେମାନଙ୍କ ପିଲାଙ୍କ ପାଠପଢାକୁ ଦୃଷ୍ଟିରେ ରଖି ଅନ୍ୟ ସେକ୍ଟରକୁ ଯିବାକୁ ବାଧ୍ୟ ହେଉଛନ୍ତି ।

ଏଠାରେ ପ୍ରକାଶ ଥାଉକି, ବର୍ତ୍ତମାନ ୪ ଭାଗରୁ ୨ ଭାଗ ଆରଏସପି କ୍ୱାର୍ଟର ଖାଲି ପଡ଼ିଛି। ଖାଲିଥିବା ୨ ଭାଗ କ୍ୱାର୍ଟରକୁ ରକ୍ଷଣବେକ୍ଷଣ ପାଇଁ ଦାୟିତ୍ୱ ଦିଆ ଯାଇଥିଲେ ମଧ୍ୟ ଏଯାଏଁ କୌଣସି ସ୍ଥାୟୀ ସୁଫଳ ମିଳି ପାରୁନଥିବା ଅଭିଯୋଗ ହୋଇଛି । ସେହିପରି ଖାଲିଥିବା କ୍ୱାର୍ଟର ଗୁଡ଼ିକ ମଧ୍ୟରୁ କିଛି କ୍ୱାର୍ଟରକୁ ଆରଏସପି ପକ୍ଷରୁ ଲିଜ ସୂତ୍ରରେ ଦିଆଯାଇଛି । ଅନ୍ୟପକ୍ଷେ ଦିନକୁ ଦିନ ପରିତ୍ୟକ୍ତ ଓ ଖାଲି କ୍ୱାର୍ଟରରେ ଅସାମାଜିକ ବ୍ୟକ୍ତିଙ୍କ ବିଭିନ୍ନ ପ୍ରକାର ନିଶା ଯେପରି ଗଂଜେଇ, ମଦ୍ୟପାନ ସହ ଯୌନ କାର୍ଯ୍ୟକଳାପ ବୃଦ୍ଧି ପାଉଥିବାରୁ ଏମାନଙ୍କ ଉପରେ ପୁଲିସ କଟକଣା ଲଗାଇବାକୁ ଆରଏସପି କର୍ମଚାରୀ ସମେତ ସାଧାରଣରେ ଦାବି ହୋଇଛି ।

ସୂଚନାଯୋଗ୍ୟ, ଗତ କିଛି ଦିନ ତଳେ ଏକ ଖାଲିଥିବା ଆରଏସପି କ୍ୱାର୍ଟରରେ ଅଜଣା ଦୁର୍ବୃତ୍ତ ମାନେ ନିଆଁ ଲଗାଇ ଦେଇଥିଲେ । ଏହି ଘଟଣାକୁ ସ୍ଥାନୀୟ ପୁଲିସ ଏତେଟା ଗୁରୁତ୍ୱ ଦେଇନଥିବାରୁ ଏହାକୁ ନେଇ ବୁଦ୍ଧିଜୀବୀ ମହଲରେ ତ୍ରୀବ ପ୍ରତିକ୍ରିୟା ପ୍ରକାଶ ପାଇଛି । ଅପରପକ୍ଷରେ ଖାଲିଥିବା ବାସୋପଯୋଗୀ ଆରଏସପି କ୍ୱାର୍ଟର ଗୁଡ଼ିକୁ ଆବଂଟନ କରିବା ଜରୁରୀ ହୋଇ ପଡ଼ିଛି ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି ।

Comments are closed.