ଜେସିକା ଲାଲ୍‌ ହତ୍ୟାକାଣ୍ଡ : ତିନିବର୍ଷ ଆଗୁଆ ମୁକୁଳିଲେ ମନୁ ଶର୍ମା

ନୂଆଦିଲ୍ଲୀ : ବହୁ ଚର୍ଚ୍ଚିତ ମଡେଲ ଜେସିକା ଲାଲ୍‌ ହତ୍ୟାକାଣ୍ଡର ଅପରାଧୀ, ପୂର୍ବତନ ଯୁବକଂଗ୍ରେସ ନେତା ମନୁ ଶର୍ମା (ଶିଦ୍ଧାର୍ଥ ବଶିଷ୍ଠ) ଧାର୍ଯ୍ୟ ସମୟର ତିନି ବର୍ଷ ପୂର୍ବରୁ ମଙ୍ଗଳବାର ଜେଲ୍‌ରୁ ମୁକ୍ତ ହୋଇଛନ୍ତି। ଦିଲ୍ଲୀ ଉପ-ରାଜ୍ୟପାଳ ଅନିଲ ବୈଜଲଙ୍କ ଅନୁମୋଦନକ୍ରମେ ମନୁଙ୍କୁ ଆଗୁଆ ମୁକ୍ତି ମିଳିଛି। ସେ ଜେସିକା ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ କାରାଦଣ୍ଡ ଭୋଗୁଥିଲେ। କାରାଗାରରେ ତାଙ୍କର ଉତ୍ତମ ବ୍ୟବହାର ଓ ଚାଲିଚଳଣି ଆଧାରରେ ମନୁଙ୍କୁ ମୁକ୍ତ କରାଯାଇଥିବା ସରକାରୀ ସୂତ୍ରରୁ ପ୍ରକାଶ। ଦଣ୍ଡ ସମୀକ୍ଷା ବୋର୍ଡ ବୈଠକ ପରେ ସୋମବାର ବୈଜଲ ତିହାର ଜେଲ୍‌ରୁ ମନୁଙ୍କ ଭଳି ୧୮ ଜଣଙ୍କ ମୁକ୍ତି ପାଇଁ ନିର୍ଦେଶ ଦେଇଥିଲେ। ମନୁ (୪୩) ଜେଲ୍‌ରେ ମୋଟ ୧୭ବର୍ଷ ବିତାଇଛନ୍ତି। ମନୁଙ୍କ ମୁକ୍ତି ନେଇ ପୂର୍ବରୁ ୪ ଥର ଆବେଦନ କରାଯାଇଥିଲେ ମଧ୍ୟ ତାହା ଅଗ୍ରାହ୍ୟ ହୋଇଯାଇଥିଲା। ଗତ ନଭେମ୍ବରରେ ଶେଷ ଥର ପାଇଁ ତାଙ୍କ ଓକିଲ ଏହି ଆବେଦନ କରିଥିଲେ। ମନୁ ହେଉଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିନୋଦ ଶର୍ମାଙ୍କ ପୁଅ। ସାମାଜିକ କର୍ମୀ ବୀଣା ରମଣିଙ୍କ ‘ତାମାରିଣ୍ଡ କୋର୍ଟ’ ରେସ୍ତୋରାଁରେ ପରିଚାରିକା ଥିବା ମଡେଲ ଜେସିକା ଲାଲ ମନୁଙ୍କୁ ମଦ ନ ପରଷିବାରେ ସେ ଉତ୍ତ୍ୟକ୍ତ ହୋଇ ଜେସିକାଙ୍କୁ ସେଠାରେ ଗୁଳିମାରି ହତ୍ୟା କରିଥିଲେ। ୧୯୯୯ ଏପ୍ରିଲ ୩୦ରେ ଏହି ହତ୍ୟାକାଣ୍ଡ ଘଟିଥିଲା। ନିମ୍ନ ଅଦାଲତ ମନୁଙ୍କୁ ଦୋଷମୁକ୍ତ କରିବାରେ ଏହାକୁ ନେଇ ଦେଶବ୍ୟାପୀ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ୨୦୦୬ରେ ମନୁ ଏହି ମାମଲାରେ ହାଇକୋର୍ଟ ଦ୍ବାରା ଦୋଷୀ ସାବ୍ୟସ୍ତ ହୋଇଥିଲେ। ୨୦୧୦ରେ ସୁପ୍ରିମକୋର୍ଟ ଏହାକୁ କାଏମ ରଖିଥିଲେ। ଜେଲ୍‌ରେ ମନୁ ବହୁ ବିକାଶମୂଳକ କାର୍ଯ୍ୟରେ ଅଗ୍ରଣୀ ଭୂମିକା ନିଭାଇଥିଲେ। ୨୦୧୮ରେ ଜେସିକାଙ୍କ ଭଉଣୀ ସର୍ବିନା ଲାଲ ମନୁଙ୍କୁ କ୍ଷମା କରିଦେବା ସହ ସେ ମୁକ୍ତ ହେଲେ କୌଣସି ଆପତ୍ତି ନ ଥିବା କହିଥିଲେ।

Comments are closed.