ଜେସିକା ଲାଲ ହତ୍ୟା ମାମଲା; ମନୁ ଶର୍ମାଙ୍କ ଆଗୁଆ ମୁକ୍ତି ଆବେଦନ ଅଗ୍ରାହ୍ୟ

0

ନୂଆଦିଲ୍ଲୀ : ମଡେଲ ଜେସିକା ଲାଲ ହତ୍ୟା ମାମଲାର ଦୋଷୀ ମନୁ ଶର୍ମାଙ୍କ ଆଗୁଆ ମୁକ୍ତି ଆବେଦନକୁ ଗୁରୁବାର ଦିଲ୍ଲୀ ସରକାର ଅଗ୍ରାହ୍ୟ କରିଦେଇଛନ୍ତି। ଦିଲ୍ଲୀର ଗୃହମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ନେତୃତ୍ୱରେ ଗଠିତ କମିଟି ଶର୍ମାଙ୍କ ଆବେଦନକୁ ଅଗ୍ରାହ୍ୟ କରିଦେଇଛନ୍ତି। ୧୯୯୯ରେ ଜେସିକା ଲାଲଙ୍କୁ ହତ୍ୟା ଘଟଣାରେ ମନୁ ଶର୍ମା ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ କାରାଦଣ୍ଡ ଭୋଗୁଛନ୍ତି। ସତ୍ୟେନ୍ଦ୍ରଙ୍କ ନେତୃତ୍ୱରେ ଅନୁଷ୍ଠିତ ଦଣ୍ଡାଦେଶ ସମୀକ୍ଷା ବୋର୍ଡ (ଏସଆରବି) ଗୁରୁବାର ୮୬ଟି ମାମଲାକୁ ଅଗ୍ରାହ୍ୟ କରିଥିବାବେଳେ ୨୨ଟିକୁ ଅନୁମୋଦନ କରିଛନ୍ତି। ଅଗ୍ରାହ୍ୟ କରାଯାଇଥିବା ମାମଲା ମଧ୍ୟରେ ତିନିଟି ହାଇପ୍ରୋଫାଇଲ ମାମଲା ରହିଥିଲା। ମନୁ ଶର୍ମାଙ୍କ ଆବେଦନ ବ୍ୟତୀତ ସୁଶୀଲ ଶର୍ମା ଓ ସନ୍ତୋଷ ସିଂହଙ୍କ ଆବେଦନକୁ ଅଗ୍ରାହ୍ୟ କରାଯାଇଛି। ଯୁବ କଂଗ୍ରେସର ପୂର୍ବତନ ସଭାପତି ସୁଶୀଲ ଶର୍ମା ପତ୍ନୀ ନୈନା ସାଇନିଙ୍କୁ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ୨୩ବର୍ଷ ହେଲା ଜେଲ୍‍ରେ ଅଛନ୍ତି। ସେହିପରି ସନ୍ତୋଷ ସିଂହ ଜଣେ ଆଇନ ଛାତ୍ରୀଙ୍କୁ ବଳାତ୍କାର ଓ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲ୍‍ ଦଣ୍ଡ ଭୋଗୁଛନ୍ତି।

Leave A Reply