ଶନିବାର ସୁଦ୍ଧା ଓଡ଼ିଶା ଛୁଇଁବ ମୌସୁମି ; ୪୮ ଘଣ୍ଟା ମଧ୍ୟରେ ଲଘୁଚାପ

ଭୁବନେଶ୍ୱର : ମୌସୁମି ବର୍ଷା କେବେ ଆସିବ, ସେହି ବାଟକୁ ଚାହିଁ ବସିଛନ୍ତି ସମସ୍ତେ । କିନ୍ତୁ ମୌସୁମିର ଦେଖା ନାହିଁ, ବରଂ ତାତି ବଢ଼ି ବଢ଼ି ଚାଲିଛି। ଦକ୍ଷିଣ ପୂର୍ବ ମୌସୁମି ବାୟୁ ଜୁନ୍‌ ୮ ତାରିଖରେ କେରଳ ଛୁଇଁଥିଲେ ସୁଦ୍ଧା ଏହା ସକ୍ରିୟ ହୋଇପାରୁ ନାହିଁ। ମୌସୁମି ସକ୍ରିୟ ହେବା ପାଇଁ ସ୍ଥିତି ଅନୁକୂଳ ଥିଲା, କିନ୍ତୁ ସାମୁଦ୍ରିକ ଝଡ଼ ‘ବାୟୁ’ ଯୋଗୁ ଏହା ଦୁର୍ବଳ ହୋଇଯାଇଥିଲା । ଏବେ ମୌସୁମି ଅଗ୍ରସର ହେଉଥିଲେ ବି ଏହାର ଗତି ବେଶ୍ ଧିମା ରହିଛି, ଯାହା ଗତ ୧୨ ବର୍ଷ ଭିତରେ ପ୍ରଥମ ଥର ପାଇଁ ଦେଖାଯାଇଛି । ଗାଙ୍ଗେୟ ପଶ୍ଚିମ ବଙ୍ଗ, ଝାରଖଣ୍ଡ ଓ ଉତ୍ତର ଓଡ଼ିଶା ଅଞ୍ଚଳରେ ଘୂର୍ଣ୍ଣି ବଳୟ ରହିଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହା ଲଘୁଚାପରେ ପରିଣତ ହେବ। ଶନିବାର ସୁଦ୍ଧା ଦକ୍ଷିଣ ପୂର୍ବ ମୌସୁମି ବାୟୁ ଓଡ଼ିଶାରେ ପ୍ରବେଶ କରିବାର ସମ୍ଭାବନା ରହିଛି । ଏହା ସତ୍ତ୍ବେ ଦୁଇ ତିନି ଦିନ ପର୍ଯ୍ୟନ୍ତ ରାଜ୍ୟରେ ତାତି ଲାଗିରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

ଅପରପକ୍ଷେ ଦୁଇଦିନ ଭିତରେ ପଶ୍ଚିମ ଓଡ଼ିଶା ସମେତ ରାଜ୍ୟର ଅନ୍ୟ ସହରରେ ତାତି ବୃଦ୍ଧି ପାଇଛି। ଆଜି ୫ଟି ସହରରେ ତାତି ୪୦ଂ ଅତିକ୍ରମ କରିଥିବା ବେଳେ ଝାରସୁଗୁଡ଼ାରେ ସର୍ବାଧିକ ତାପମାତ୍ରା ୪୧.୪ଂ ରେକର୍ଡ କରାଯାଇଛି। ଆଜି ସମ୍ବଲପୁରରେ ୪୦.୮ଂ, ମାଲକାନଗିରିରେ ୪୦.୫ଂ, ହୀରାକୁଦରେ ୪୦.୨ଂ ଏବଂ ଅନୁଗୋଳରେ ୪୦.୧ଂ ରହିଥିଲା। ସେହିପରି ବାରିପଦାରେ ୩୯.୬ଂ, ତାଳଚେରରେ ୩୯.୨ଂ, ଟିଟିଲାଗଡ଼ରେ ୩୯ଂ, ସୋନପୁରରେ ୩୮.୪ଂ, କଟକ,କେନ୍ଦୁଝର, ସୁନ୍ଦରଗଡ଼ ଓ ଭବାନୀପାଟଣାରେ ୩୮ଂ ଏବଂ ଭୁବନେଶ୍ବରରେ ୩୭.୭ଂ ରହିଥିଲା।

ମୌସୁମି ଆସିବାର ୧୫ ଦିନ ମଧ୍ୟରେ ଦୁଇ ତୃତୀୟାଂଶ ଅଞ୍ଚଳରେ ସକ୍ରିୟ ହେବା କଥା। କିନ୍ତୁ ମୌସୁମିର ଧିମା ଗତି ଯୋଗୁ ଜୁନ୍‌ ପ୍ରଥମ ସପ୍ତାହ ସୁଦ୍ଧା ଦେଶରେ ଅପେକ୍ଷାକୃତ କମ୍‌ ବୃଷ୍ଟିପାତ ହୋଇଛି। ଏବେ ମୌସୁମି ସମଗ୍ର କେରଳ, ଦକ୍ଷିଣ କର୍ଣ୍ଣାଟକ, ତାମିଲନାଡୁର ଦୁଇ ତୃତୀୟାଂଶ ଅଞ୍ଚଳରେ ପହଞ୍ଚି ପାରିଛି। ତେବେ ମୌସୁମି ସମ୍ପୂର୍ଣ୍ଣ ସକ୍ରିୟ ହେବା ପାଇଁ ଆହୁରି ସାତ ଦିନରୁ ଅଧିକ ସମୟ ଲାଗିବ ଏବଂ ଓଡ଼ିଶା ଆସିବାକୁ ଆଉ ୨ରୁ ୩ ଦିନ ସମୟ ଲାଗିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ପାଣିପାଗ ବିଶେଷଜ୍ଞ ଡ଼ ଶରତ ଚନ୍ଦ୍ର ସାହୁଙ୍କ କହିବା ଅନୁସାରେ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ସକ୍ରିୟ ହେଉଛି। ଏହା ଫଳରେ ଓଡ଼ିଶାରେ ମୌସୁମି ଆଗମନକୁ ତ୍ୱରାନ୍ୱିତ କରିବାର ସମ୍ଭାବନା ରହିଛି। ଏପରି ହେଲେ ଆସନ୍ତା ୨୧ ତାରିଖ ସୁଦ୍ଧା ଓଡ଼ିଶାରେ ମୌସୁମି ବର୍ଷା ପହଞ୍ଚିବ। ବର୍ତ୍ତମାନ ଘୂର୍ଣ୍ଣିବଳୟ ପୂର୍ବ-କେନ୍ଦ୍ରୀୟ ଏବଂ ଏହାର ସଂଲଗ୍ନ ଉତ୍ତର-ପୂର୍ବ ବଙ୍ଗୋପସାଗରରେ ରହିଥିବା ବେଳେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଆଡକୁ ଗତିକରି ଜୁନ୍‌ ୨୧ ସୁଦ୍ଧା ଓଡ଼ିଶାରେ ପହଞ୍ଚିବ। ଏହାର ପ୍ରଭାବରେ ଜୁନ୍‌ ୨୦ ତାରିଖ ରାତିରୁ ଓଡ଼ିଶାରେ ବର୍ଷା ହେବ। ଏହାର ପ୍ରଭାବରେ ଓଡ଼ିଶାର କେତେକ ସ୍ଥାନରେ ମୌସୁମି ପ୍ରବେଶ କରିବ ଏବଂ ତିନି ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ବୋଲି ବୋଲି ଡ. ସାହୁ କହିଛନ୍ତି । ସାମୁଦ୍ରିକ ଝଡ଼ ‘ବାୟୁ’ ଦୁର୍ବଳ ହୋଇ ବର୍ତ୍ତମାନ ଲଘୁଚାପରେ ପରିଣତ ହୋଇଥିବା ବେଳେ ବର୍ତ୍ତମାନ ରାଜସ୍ଥାନ ଏବଂ ମଧ୍ୟ ପ୍ରଦେଶରେ ଏହାର ପ୍ରଭାବ ରହିଛି। ଏହା ପୂର୍ବ ଉତ୍ତର ପ୍ରଦେଶ ଏବଂ ବିହାର ଆଡକୁ ମୁହାଁଇ ଶୁକ୍ରବାର ସୁଦ୍ଧା ଘୂର୍ଣ୍ଣିବଳୟର ରୂପ ନେବ ବୋଲି ଡ. ସାହୁ କହିଛନ୍ତି।

 

Comments are closed.