ମନରେଗା ଯୋଜନାରେ ୧୬୩୪ଶ୍ରମ ଦିବସ: ପ୍ରକଳ୍ପରେ ୫ଲକ୍ଷ ଟଙ୍କା ବ୍ୟୟ ବରାଦ, ଶ୍ରମିକଙ୍କ ପାଇଁ ଅନ୍‌ଲାଇନ୍‌ ପେମେଣ୍ଟ ବ୍ୟବସ୍ଥା

ବାଙ୍କୀ: ଡମପଡା ବ୍ଲକ ଅଧିନ ଢଁସର ପଞ୍ଚାୟତରେ ମନରେଗା ଯୋଜନାରେ ରାସ୍ତାରେ ମାଟି କାମ ଆରମ୍ଭ ହୋଇଛି। କୋଭିଡ୍-୧୯ ପ୍ରଭାବରେ ଦୀର୍ଘଦିନ ଧରି ଶ୍ରମଜିବୀ ମାନେ ରୋଜଗାର ହରାଇ ଘରେ ବସିଥିଲା ବେଳେ ପଞ୍ଚାୟତରେ ଜବ୍‌କାର୍ଡ ମାଧ୍ୟମରେ ଜବକାର୍ଡ ଧାରୀ ମାନଙ୍କୁ ଯୋଜନାରେ ସାମିଲ କରାଯାଇ ସରକାରୀ ଧାର୍ଯ୍ୟ ମଜୁରୀ ୨୦୭ଟଙ୍କା ଅନଲାଇନ ପେମେଣ୍ଟ ମାଧ୍ୟମରେ ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି।

 


ସୂଚନା ଅନୁଯାୟୀ ଢଁସର ପଞ୍ଚାୟତର ଅଁଳା ଠାକୁରାଣୀଙ୍କ ଠାରୁ ମହାପର୍ବତ ପର୍ଯ୍ୟନ୍ତ ଦୀର୍ଘ ୫୦୦ମିଟର ନୂତନ ରାସ୍ତା ମାଟି ପକାଇ କାମ ଆରମ୍ଭ କରାଯାଇଛି। ନଭେମ୍ବର ୨୪ରୁ ଆରମ୍ଭ ହୋଇଥିବା କାର୍ଯ୍ୟରେ ପ୍ରାୟ ୧୬୩୪ଶ୍ରମ ଦିବସ ସୃଷ୍ଟି ହୋଇପାରିଛି। ଚାହିଦା ଅନୁଯାୟୀ ପ୍ରକଳ୍ପରେ ୫ଲକ୍ଷ ଟଙ୍କା ବ୍ୟୟ ବରାଦରେ ଏହି କାର୍ଯ୍ୟ କରାଯିବାର ଲକ୍ଷ ଥିଲାବେଳେ ସେଥିମଧ୍ୟରୁ ୮୦ହଜାର ଟଙ୍କା ମେଟେରିଆଲ ଖର୍ଚ୍ଚ ଏବଂ ୪ଲକ୍ଷ ୨୦ହଜାର ଟଙ୍କାର ମଜୁରୀ ବାବଦକୁ ଖର୍ଚ୍ଚ ହେବ ବୋଲି ଜଣାପଡିଛି। ବର୍ତ୍ତମାନ ପ୍ରାୟ ଦୈନିକ ୮୦ରୁ ୮୫ଜବକାର୍ଡ ଧାରୀ ମାନେ ସକାଳ ୧୦ଘଟିକା ପର୍ଯ୍ୟନ୍ତ ଧାର୍ଯ୍ୟ ମଜୁରିରେ କାମ କରୁଛନ୍ତି। ଢଁସର ପଞ୍ଚାୟତର ଢଁସର, ହାତୀମରା, ତାରାପୁର ଓ ଖମାର ପାଟଣାର ଜବକାର୍ଡ ଧାରୀ ମାନଙ୍କୁ ଯୋଜନାରେ କାମ ମିଳିଥିବା ଯୋଗୁ ଶ୍ରମିକମାନେ ଖୁସି ପ୍ରକଟ କରିଛନ୍ତି। ଆଗାମୀ ଦିନରେ ଡିମାଣ୍ଡ ବଢାଇ ଅଧିକ ଦିନ କାମ ଦିଆଗଲେ ଶ୍ରମିକମାନେ ଉପକାର ପାଇବେ ବୋଲି ମତବ୍ୟକ୍ତ କରିଛନ୍ତି। କନିଷ୍ଠ ଯନ୍ତ୍ରୀ ରାଜଗୋପାଳ ମାରାଣ୍ଡି କହିଛନ୍ତି ଯେ କାମ ଚାଲିଥିବା ମାଟିରାସ୍ତାର ସ୍ଥାୟୀତ୍ୱ ଓ ଦୃଢୀକରଣ ପାଇଁ ଗାର୍ଡଓାଲ୍‌ର ଆବଶ୍ୟକତା ରହିଛି। ସେହିପରି ମହାପର୍ବତରୁ ବର୍ଷାଦିନେ ଗଡୁଥିବା ପାଣିକୁ ଧୋଡାରେ ଛାଡିବା ପାଇଁ ଗୋଟିଏ ଢଳେଇ କଲଭଟ୍ ହେବା ଜରୁରୀ। ଏଣୁ ମାଟିକାମ ବାଦ୍ ଜନସାଧାରଣଙ୍କର ଦାବି ଅନୁଯାୟୀ ଏହି ରାସ୍ତାରେ ଗାର୍ଡଓାଲ୍ ସହିତ କଲଭଟ ପାଇଁ ପ୍ରକଳ୍ପ ପ୍ରସ୍ତୁତି କରିଯିବ। ପ୍ରାୟତଃ ମାର୍ଚ୍ଚ ମାସ ଶେଷ ସୁଦ୍ଧା ଏହି କାମ ସମ୍ପର୍ଣ୍ଣ ହେବ। କୋଭିଡ୍ ନିୟମ ଅନୁଯାୟୀ ଜବକାର୍ଡ ଧାରୀମାନେ ସମଦୂରତା ରକ୍ଷା କରି କାମ କରୁଛନ୍ତି। ପାନୀୟଜଳ ଓ କାର୍ଯ୍ୟରେ ବିଶ୍ରାମ କରିବାର ବ୍ୟବସ୍ଥା ଥିବା କହିଛନ୍ତି।

Comments are closed.