ମନରେଗା ଯୋଜନାରେ ୭୪ଶ୍ରମିକଙ୍କୁ କାମ

ବାଙ୍କୀ : ବାଙ୍କୀ ବ୍ଲକ ଅନ୍ତର୍ଗତ ସୁବର୍ଣ୍ଣପୁର ପଞ୍ଚାୟତର ଘୋଡାବର ଗ୍ରାମରେ ଅଣକୁଶଳୀ ଶ୍ରମିକମାନଙ୍କୁ ଜବକାର୍ଡ ମାଧ୍ୟମରେ ଶ୍ରମ ଭିତ୍ତିକ କର୍ମ ଯୋଗାଣ ବୁଧବାର ଦିନ ଆରମ୍ଭ ହୋଇଛି। ଏହି ଗ୍ରାମ ପାଇଁ ଶ୍ରମ ଭିତ୍ତିକ କାମର ଡିମାଣ୍ଡ ଆସିବା ପରେ ବ୍ଲକ ପ୍ରଶାସନ ପକ୍ଷରୁ ସୁବର୍ଣ୍ଣପୁର ପଞ୍ଚାୟତ ପରିଚାଳନାରେ ୭୪ଜଣ ଶ୍ରମିକଙ୍କ ପାଇଁ ଏକ ସପ୍ତାହ ପାଇଁ ମାଟିକାମ ଦିଆଯାଇଛି।

ସ୍ଥାନୀୟ ସରପଞ୍ଚ ତରୁଣ କୁମାର ମହାପାତ୍ରଙ୍କ ସୂଚନା କ୍ରମେ, ଘୋଡାବର ଗ୍ରାମ ଆର.ଡି ରାସ୍ତାଠାରୁ ସରଣ୍ଡାଗଡକୁ ସଞ୍ଜୋଗ କରୁଥିବା ରାସ୍ତାରେ ମାଟିପକା କାମ ଆରମ୍ଭ କରାଯାଇଛି। ସପ୍ତାହକ ମଧ୍ୟରେ ୪୪୪ଶ୍ରମ ଦିବସ ସୃଷ୍ଟି ହେବା ସହ ଶ୍ରମିକମାନେ ଦୈନିକ ୨୦୭ଟଙ୍କା ମଜୁରୀରେ କାମ ପାଇଛନ୍ତି। ଦୀର୍ଘଦିନ ଧରି ଗ୍ରାମର ଶ୍ରମିକମାନଙ୍କ ପାଖରେ କାମ ନଥିବା ହେତୁ ଘରେ ରୋଜଗାର ଶୂନ୍ୟ ଭାବରେ ବସି ରହିଥିଲେ। କରୋନା କଟକଣା ପରେ ପରେ ବର୍ଷା ଓ ବନ୍ୟା ପ୍ରଭାବ ହେତୁ କୃଷି ଶ୍ରମିକ ଓ ଅଣକୂଶଳୀ ଶ୍ରମିକମାନେ ଜୀବନ ଜୀବିକା ହରାଇଥିଲେ। ସପ୍ତାହକ ପାଇଁ କାମ ପାଇଲାପରେ ସ୍ଥାନୀୟ ଜବକାର୍ଡ ଧାରୀମାନେ ଆସ୍ୱସ୍ଥ ହେବା ସହିତ ଖୁସି ପ୍ରକାଶ କରିଛନ୍ତି। ଏହି କାର୍ଯ୍ୟ ପରିଚାଳନାରେ ଜିଆରଏସ୍ ସୁଶାନ୍ତ କୁମାର ପାଇକରାୟ, ଗ୍ରାମସାଥୀ ସବିତା ସାହୁ, ନିର୍ବାହୀ ଅଧିକାରୀ ସବିତା ଦେହୁରୀ ପ୍ରମୁଖ କାର୍ଯ୍ୟ ପରିଚାଳନାରେ ଦୃଷ୍ଟି ଦେଇଛନ୍ତି। କାର୍ଯ୍ୟ ସମ୍ପର୍କରେ କନିଷ୍ଠ ଯନ୍ତ୍ରୀଙ୍କ ସହ ଯୋଗା ଯୋଗ କରିବାରୁ ସୁବର୍ଣ୍ଣପୁର ପଞ୍ଚାୟତର ଘୋଡାବର ଗ୍ରାମରେ ଡିମାଣ୍ଡ ଆସିବାରୁ ସପ୍ତାହକ ପାଇଁ ମାଟି କାମ ଆରମ୍ଭ ହୋଇଛି। ଆବଶ୍ୟକ ପଡିଲେ ଡିମାଣ୍ଡ ଅନୁଯାୟୀ କାର୍ଯ୍ୟ ତ୍ୱରାନ୍ୱିତ କରାଯିବ ବୋଲି କହିଛନ୍ତି। କାର୍ଯ୍ୟସ୍ଥଳୀରେ କୋଭିଡ୍‍ ନିୟମ ଅନୁପାଳନ କରାଯିବା ସହିତ ଶ୍ରମିକମାନଙ୍କ ପାଇଁ ପାନୀୟ ଜଳ ଓ ବିଶ୍ରାମ ପାଇଁ ଛାଇର ବ୍ୟବସ୍ଥା କରାଯାଇଥିବା ସମ୍ପର୍କରେ ସରପଞ୍ଚ ସୂଚନା ଦେଇଛନ୍ତି। ସେପଟେ ବ୍ୟାଙ୍କ ଜମାଖାତା ମାଧ୍ୟମରେ ଶ୍ରମିକମାନଙ୍କୁ ପାରିଶ୍ରମିକ ସଠିକ ସମୟରେ ପ୍ରଦାନ କରିବା ପାଇଁ ଅନୁରୋଧ କରାଯାଇଛି।

Comments are closed.