ମନୋରମା ମହାପାତ୍ରଙ୍କ ପାଇଁ ବୈଶ୍ବିକ ସ୍ମୃତି ସଭା

ନ୍ୟୁୟୁର୍କ: ବିଶିଷ୍ଟ ସାହିତ୍ୟିକା, ନାରୀନେତ୍ରୀ, ସମାଜସେବୀ, ବାଗ୍ମୀ, ଅଧ୍ୟାପିକା, ସାମ୍ବାଦିକା, ସମାଜସେବୀ ତଥା ‘ସମାଜ’ର ପୂର୍ବତନ ସମ୍ପାଦିକା ମନୋରମା ମହାପାତ୍ରଙ୍କ ପରଲୋକର ଏକ ମାସ ପୂର୍ତ୍ତି ଅବସରରେ ଗତ ୧୭ ତାରିଖରେ ଏକ ବୈଶ୍ବିକ ସ୍ମୃତି ସଭା ଆଭାସି ବ୍ୟବସ୍ଥାରେ ଅନୁଷ୍ଠିତ ହୋଇଯାଇଛି। ଉତ୍ତର ଆମେରିକାରେ ଆୟୋଜିତ ଏହି ସ୍ମୃତି ସଭାରେ ଆମେରିକା, କାନାଡ଼ା, ଭାରତ ଓ ୟୁରୋପର ଅନେକ ଦେଶରୁ ୩୦୦ରୁ ଅଧିକ ଲୋକ ଆଭାସି ବ୍ୟବସ୍ଥାରେ ଅଂଶଗ୍ରହଣ କରିଥିଲେ। ଓଡ଼ିଶାରୁ ବହୁ ବିଶିଷ୍ଟ ବ୍ୟକ୍ତି ଏଥିରେ ସ୍ବର୍ଗତା ମନୋରମା ମହାପାତ୍ରଙ୍କ ବହୁମୁଖୀ ପ୍ରତିଭା ସମ୍ପର୍କରେ ସ୍ମୃତିଚାରଣ କରି ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

ନ୍ୟୁୟର୍କର ବେଦାନ୍ତ ସୋସାଇଟିର ମୁଖ୍ୟ ସ୍ବାମୀ ସର୍ବପ୍ରିୟାନନ୍ଦ ମୃତ୍ୟୁ ଓ ଅମରତ୍ବ ଉପରେ ଏକ ସାରଗର୍ଭକ ବକ୍ତବ୍ୟ ପ୍ରଦାନ କରି ସ୍ମୃତିସଭାକୁ ଆରମ୍ଭ କରିଥିଲେ। ସ୍ବାମୀ ଚିଦାନନ୍ଦ ହିମାଚଳପ୍ରଦଶରୁ ଏହି ସଭାରେ ଯୋଗଦେଇ ମନୋରମା ଦେବୀଙ୍କ ଅନୁକମ୍ପା, ତ୍ୟାଗ, ତିତିକ୍ଷା, ସ୍ନେହ, ମାନବିକତା, ଅବିଶ୍ବସନୀୟ ସ୍ମରଣ ଶକ୍ତି ଓ ଅନ୍ୟାନ୍ୟ ମହନୀୟ ଗୁଣଗୁଡ଼ିକର ସ୍ମୃତିଚାରଣ କରିଥିଲେ। ମନୋରମା ଦେବୀଙ୍କର ବଡ଼ ଜାମାତା ଇଂ. ଜ୍ଞାନରଞ୍ଜନ ଦାଶ ସମଗ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ସେ ସ୍ବର୍ଗତା ମହାପାତ୍ରଙ୍କ ଜୀବନୀ ଉପରେ ଏକ ସ୍ଲାଇଡ୍‌ ପ୍ରଦର୍ଶନ କରିବା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶୋକବାର୍ତ୍ତା ପାଠ କରିଥିଲେ।

ପ୍ରଖ୍ୟାତ କବି ମାୟାଧର ମାନସିଂହଙ୍କ ​‌େ​‌ଜ୍ୟଷ୍ଠପୁତ୍ର ଡକ୍ଟର ଲଲାଟେନ୍ଦୁ ମାନସିଂହ ତାଙ୍କ ପିତାଙ୍କ ଜନ୍ମ ଶତବାର୍ଷିକରେ ତାଙ୍କ ଗାଁରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମନୋରମା ଦେବୀ କିପରି ମାନସିଂହଙ୍କ ରଚନା ଚମତ୍କାର ଭାବେ ଆବୃତ୍ତି କରିଥିଲେ ତାହା କହିଥିଲେ। ଲସ୍‌ ଆଞ୍ଜେଲ୍ସରେ ରହୁଥିବା ବିଶିଷ୍ଟ ଅର୍ଥନୀତିଜ୍ଞ ଡକ୍ଟର ପ୍ରଶାନ୍ତ ପଟ୍ଟନାୟକ ଶ୍ରୀମତୀ ମହାପାତ୍ରଙ୍କ ସାମ୍ବାଦିକ ଓ ସମ୍ପାଦକ ପ୍ରତିଭା ସମ୍ପର୍କରେ ଉଲ୍ଲେଖ କରିଥିଲେ। ବିଶିଷ୍ଟ ଚିକିତ୍ସକ ଡକ୍ଟର ବ୍ରଜେନ୍ଦ୍ର ମିଶ୍ର ଓ ଡକ୍ଟର ପଞ୍ଚାନନ ଶତପଥୀ ମନୋରମା ଦେବୀଙ୍କ ଜନସେବା କାର୍ଯ୍ୟ ସମ୍ପର୍କରେ ଅନେକ ତଥା କହିଥିଲେ। ଶିକ୍ଷା କ୍ଷେତ୍ରରେ ତାଙ୍କର ଅବଦାନ ଏବଂ ରେଭେନ୍ସାରେ ଅର୍ଥନୀତି ଅଧ୍ୟାପକ ଭାବେ ଶ୍ରୀମତୀ ମହାପାତ୍ର କିପରି ଅତ୍ୟନ୍ତ ପ୍ରିୟ ଥିଲେ ସେ ବିଷୟରେ କହିଥିଲେ ଡକ୍ଟର ତ୍ରିଲୋକ ଓ ଅନ୍ନପୂର୍ଣ୍ଣା ପାଣ୍ଡେ।

ଆମେରିକାରେ ରହୁଥିବା ଦ୍ବିତୀୟ ପିଢ଼ିର ଓଡ଼ିଆ ଆରତି ମିଶ୍ର, ମନୋରମା ଦେବୀଙ୍କ ନାତି ସୋମେଶ ଦାଶ, ନାତୁଣୀବୋହୂ ନିଧି, ସୁଚିତ୍‌ ଦାଶ ଓ ନାତୁଣୀବୋହୂ ଅଞ୍ଜଳି ସେମାନଙ୍କ ଜୀବନରେ ଆଈଙ୍କ ପ୍ରଭାବ ସମ୍ପର୍କରେ ରହିଥିଲେ। ଏଥିରେ ତାଙ୍କର ଝିଆରୀ ସ୍ବଧା ରଥ, କନ୍ୟା ସୂଚିସ୍ମିତା ମିଶ୍ର, ଶ୍ବେତପଦ୍ମା ଦାଶ, ବୋହୂ ଜ୍ୟୋତ୍ସ୍ନାମୟୀ କର, ସାନ ଜାମାତା ଅରୁଣ ମିଶ୍ର, ବଡ଼ ପୁଅ ପ୍ରଦୀପ ମହାପାତ୍ର ମଧ୍ୟ ସ୍ବର୍ଗୀୟା ମହାପାତ୍ରଙ୍କ ଜୀବନର ବିଶେଷ ଗୁଣ ସମ୍ପର୍କରେ ଆଲୋକପାତ କରିଥିଲେ।
ଏଥିରେ କାଲିଫର୍ଣ୍ଣିଆରୁ ମାଧବିକା ନାୟକ, ଡଲ୍ଲାସରୁ ସଂଯୁକ୍ତା ମିଶ୍ର, ୱାଶିଂଟନରୁ ସଞ୍ଜନା ଦାସ ଓ କାଲିଫର୍ଣ୍ଣିଆରୁ ପ୍ରସାଦ ଶାସ୍ତ୍ରୀ ଯୋଗଦେଇଥଲେ। ପ୍ରାୟ ଅଢ଼େଇ ଘଣ୍ଟା ଧରି ଚାଲିଥିବା ଏହି କାର୍ଯ୍ୟକ୍ରମରେ ଦୁର୍ଗା​ ‌େ​ସ୍ତ୍ରାତ୍ର, ଭଜନ ଓ ଶାନ୍ତିମନ୍ତ୍ର ପାଠ କରାଯାଇଥିଲା।

Comments are closed.