ସାହିତ୍ୟ ସମାଜ ପକ୍ଷରୁ କବି ମନୋରମା କାବ୍ୟ ସନ୍ଧ୍ୟା

ଆଠଗଡ : ଆଠଗଡ ସାହିତ୍ୟ ସମାଜ ଆନୁକୁଲ୍ୟରେ ସ୍ଥାନୀୟ ଝୁଲଣ ମନ୍ଦିର ପରିସରରେ ଗୁରୁବାର ସନ୍ଧ୍ୟାରେ କବି ମନୋରମା କାବ୍ୟ ସନ୍ଧ୍ୟା ଓ ବିଷୁବ କବିତା ଆସର ଆୟୋଜିତ ହୋଇଯାଇଛି । ସାହିତ୍ୟ ସମାଜର ସଭାପତି ଆଇନଜୀବୀ ପ୍ରାଣକୃଷ୍ଣ ଦାଶଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରାକ୍ତନ ଯୁଗ୍ମ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ଭୁବନାନନ୍ଦ ଦାସ ମୁଖ୍ୟଅତିଥି ଓ ମାଧବପୁରସ୍ଥିତ ଜିମସାରର ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ପଦ୍ମଚରଣ ଦାଶ ସମ୍ମାନିତ ଅତିଥି ଭାବେ ଯୋଗଦଇ ବିଶିଷ୍ଟ ସାହିତ୍ୟିକା ତଥା କବି ମନୋରମା ମହାପାତ୍ରଙ୍କ ସହିତ ସେମାନେ କାଟିଥିବା କେତୋଟି ମର୍ମିଳ ମୁହୂର୍ତ୍ତର ରୋମନ୍ଥନ କରିବା ସଙ୍ଗେ ସଙ୍ଗେ ସ୍ୱର୍ଗତ ମହାପାତ୍ରଙ୍କ ବିଦ୍‍ବତ୍ତା ଓ ଧୀଶକ୍ତି ସଂପର୍କରେ ଆଲୋକପାତ କରିଥିଲେ। ଅନ୍ୟତମ ସମ୍ମାନିତ ବକ୍ତା ସ୍ୱର୍ଣ୍ଣଲତା ରଥ ଶ୍ରୀମତୀ ମନୋରମା ମହାପାତ୍ରଙ୍କର ଶ୍ରୀମଦ୍‍ ଭଗବତ ଗୀତା ଉପରେ ଥିବା ପାଣ୍ଡିତ୍ୟ ସଂପର୍କରେ ଆଲୋକପାତ କରିଥିଲେ। ସଂସ୍କୃତ ଶ୍ଳୋକ ଗୁଡିକର ସରସ ସୁନ୍ଦର ଓ ନିର୍ଭୁଲ ଆବୃତ୍ତି ତାଙ୍କ ଅସାଧାରଣ ବାଗ୍ମୀତାର ପରିଚୟ ଦିଏ ବୋଲି ଶ୍ରୀମତୀ ରଥ ପ୍ରକାଶ କରିଥିଲେ। ଏଥିରେ ମୁଖ୍ୟବକ୍ତା ଭାବେ ବିଶିଷ୍ଟ ସାହିତ୍ୟିକ ନାରାୟଣ ପଣ୍ଡା ଯୋଗଦେଇ କବି ମନୋରମା ମହାପାତ୍ରଙ୍କ ସାରସ୍ୱତ ଗବେଷଣା ଓ ସାଧନା ସଂପର୍କରେ ଅଭିବ୍ୟକ୍ତି ପ୍ରଦାନ କରିବା ସହିତ ତାଙ୍କ କାବ୍ୟକବିତା ଗୁଡିକର ଅନୁଶୀଳନ କରି ତାର ଅବବୋଧର ଚମତ୍କାରିତା ସଂପର୍କରେ ଅବତାରଣା କରିଥିଲେ। ଶ୍ରୀମତୀ ମହାପାତ୍ର ସାହିତ୍ୟ ଏକାଡେମୀର ସଭାପତି ଥିବା ସମୟରେ ଓଡିଆ ସାହିତ୍ୟର କିପରି ବହୁବିଧ ଉନ୍ନତି ସାଧିତ ହୋଇଥିଲା ସେ ସଂପର୍କରେ ଡକ୍ଟର ପଣ୍ଡା ଆଲୋକପାତ କରିଥିଲେ। କବି କଳ୍ପଲତା ଦାଶ, ସ୍ୱର୍ଗତ ମନୋରମା ମହାପାତ୍ରଙ୍କ ରଚିତ କବିତା ଆବୃତ୍ତି କରିଥିଲେ। ଏଥି ସହିତ ତ୍ରିଲୋଚନ ଦାଶ, ଅଶୋକ ଦାଶ, ସୁରେଶ ପରିଡା ପ୍ରମୁଖଙ୍କ ସମେତ ଅନ୍ୟମାନେ ସ୍ୱରଚିତ କବିତା ପାଠ କରିଥିଲେ। ସାହିତ୍ୟ ସମାଜର ସଂପାଦକ ଲଲାଟେନ୍ଦୁ ସେନାପତିଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଉପସଭାପତି ସୁରେଶ ଚନ୍ଦ୍ର ପରିଡା ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ସଭ୍ୟ ଅଶୋକ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.