କାମ ଦେଲାନି ମନୋଜ ତିୱାରୀଙ୍କ ‘ଷଷ୍ଠ ଇନ୍ଦ୍ରିୟ’

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନରେ ୭କୁ ୭ ଆସନ ହାସଲ କରିଥିବା ବିଜେପି ଏହାର ରାଜ୍ୟ ସଭାପତି ମନୋଜ ତିୱାରୀଙ୍କ ନେତୃତ୍ବରେ ବିଧାନସଭା ନିର୍ବାଚନରେ ସଫଳତା ହାସଲ କରିବ ବୋଲି ଆଶା ରଖିଥିଲା; କିନ୍ତୁ ଏହା ଘୋର ନିରାଶାରେ ପରିଣତ ହୋଇଛି। ତିୱାରୀ ନିଜର ‘ଷଷ୍ଠ ଇନ୍ଦ୍ରିୟ’ର ଦ୍ବାହି ଦେଇ କହିଥିଲେ ଯେ ବିଜେପି ୪୮ ଆସନରେ ବିଜୟ ହାସଲ କରିବ। ‘ଦେଶ୍‌ ମେଁ ମୋଦୀ, ଦିଲ୍ଲୀ ମେଁ ଭାଜ୍‌ପା; ତଭି ବନେଗି ବାତ୍‌, ଦିଲ୍ଲୀ ଭି ଚଲେଗି ମୋଦୀକେ ସାଥ୍‌’ ସ୍ଲୋଗାନ୍‌ ଦେଉଥିବା ତିୱାରୀ କହିଥିଲେ ଯେ ତାଙ୍କ ଦଳ ଯଦି ୫୫ ଆସନରେ ବିଜୟୀ ହୁଏ; ତେବେ ଆଶ୍ଚର୍ଯ୍ୟ ହେବାର ନାହିଁ। ମଙ୍ଗଳବାର ଭୋଟ୍‌ ଗଣତି ସମୟରେ ମଧ୍ୟ ବିଜେପି ଅନ୍ୟୂନ ୨୭ଟି ଆସନରେ ଜିତିବ ବୋଲି ସେ ଦୃଢ଼ ଆଶା ପୋଷଣ କରିଥିଲେ; ଯାହା ଅପରାହ୍ଣକୁ ମଉଳି ଯାଇଥିଲା। ତିୱାରୀଙ୍କ ଭବିଷ୍ୟବାଣୀ ଭୁଲ୍‌ ପ୍ରମାଣିତ ହେବା ପରେ ବିଭିନ୍ନ ମହଲରୁ ସେ ସମାଲୋଚିତ ହୋଇଛନ୍ତି। ତିୱାରୀ ପ୍ରତିକ୍ରିୟାରେ କହିଛନ୍ତି ଯେ, ସାହିନବାଗ୍‌ ଭଳି ଆମେ ବିକାଶର ପଥ ଅବରୋଧ କରୁ ନାହୁଁ। ଆଗାମୀ ଦିନରେ ପରାଜୟର ସମୀକ୍ଷା ହେବ ବୋଲି ସେ କହିଛନ୍ତି।

Comments are closed.