ମହାନାୟକଙ୍କୁ କୋଟି ପ୍ରଣାମ

ମନୋଜ ଦାସ। କଥା କର୍ପୂର, କର୍ପୂର। କୀର୍ତ୍ତି ଅତର, ଅତର। କଥାରୁ ଅମୃତର ମଧୁଛନ୍ଦା। ଲେଖାରୁ ସୁବାର୍ତ୍ତାର ଅଳକାନନ୍ଦା। ଆଚରଣ କସ୍ତୁରୀ କସ୍ତୁରୀ। ଭାଷା କାବେରୀ କାବେରୀ। ତାଙ୍କ ଦୃଷ୍ଟିରେ ଦିବ୍ୟ ଦିଗନ୍ତର ଦୀପାଳୀ। ସୃଷ୍ଟିରେ ଶୁଭ ସନ୍ଦେଶର ସୁବର୍ଣ୍ଣ କଳସୀ। ତାଙ୍କ ଜୀବନ ଗାଥା ସମସ୍ତଙ୍କ ଚେତନାକୁ କରିଆସିଛି ପୁଷ୍ପିତ, ପୁଲକିତ, ଆଲୋକିତ ଓ ଆଲୋଡ଼ିତ। କେତେବେଳେ କିଏ ହୋଇଛି ଉତ୍ଫୁଲ୍ଲିତ ଓ ଉଦ୍ଭାସିତ। କିଏ ପୁଣି ହୋଇଛି ବିସ୍ମିତ, ଆତ୍ମବିସ୍ମୃତ ଓ ବିମୋହିତ। ଚିରନିଦ୍ରାରେ ଶୋଇଯାଇଛନ୍ତି ସେହି ଅମର ଯଶସ୍ୱୀ ସାରସ୍ୱତ ସାଧକ। ତାଙ୍କ ଦିବଂଗତ ଆତ୍ମା ପ୍ରତି ସମାଜଲାଇଭ୍ ପୋର୍ଟାଲର ଗଭୀର ଶ୍ରଦ୍ଧାଞ୍ଜଳି।

ସାନ ଭାଇ ସମ୍ପର୍କରେ ବଡ଼ ଭାଇଙ୍କ କଥା
ପ୍ରଖ୍ୟାତ ଐତିହାସିକ ତଥା ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଡ.ମନ୍ମଥ ନାଥ ଦାସ ନିଜ ସାନ ଭାଇ ମନୋଜ ଦାସଙ୍କ ସମ୍ପର୍କରେ ବିଗତ ଅଶୀ ଦଶକରେ ଲେଖିଥିବା ଏକ ଲେଖାର କିୟଦଂଶ।

“..ମନୋଜ ମୋ ଠାରୁ ଦଶ ବର୍ଷ ସାନ। ତାର ଜନ୍ମ କାଳ କଥା ମନେ ଅଛି। ଜ୍ୟୋତିଷ ଆସି ଛୁଆଟିକୁ ଦେଖିବା ବେଳକୁ ତା’ ହାତ ଦୁଇଟି ମେଲା ଥାଏ। ବାବା ହସି ହସି କହୁଥାନ୍ତି, ଏହା ହାତରେ ବୋଧହୁଏ କିଛି ରହିବ ନାହିଁ। ସେ ଉତ୍ତର ଦେଲେ, କେବଳ ଅର୍ଥ ଦାନ କରିବ ନାହିଁ। ପରମାର୍ଥ ଦାନ କରିବ। ଭବିଷ୍ୟବାଣୀ ବା ଜ୍ୟୋତିଷ ଶାସ୍ତ୍ର ଉପରେ ବିଶ୍ୱାସ କରିବା ବିଜ୍ଞାନ ସମ୍ମତ ନୁହେଁ। ହୁଏତ ଛୁଆର ଖୋଲା ହାତ ଦେଖି ଏପରି ମତ ଦେବା ସ୍ୱାଭାବିକ। ଗାଁ ଗଣ୍ଡାରେ ଏ ଥିଲା ଗୋଟେ ମାମୁଲି କଥା। କିନ୍ତୁ, ଆଜି ବାସ୍ତବ ଜୀବନରେ ମୋ ଭାଇର ପରିଚୟ ମୁଁ କେମିତି ପାଉଛି? ଅଳ୍ପ ଦିନ ତଳେ ସେ ସାରଳା ପୁରସ୍କାର ପାଇଲା। ନଗ ଦଶ ହଜାର ଟଙ୍କା। ଗଲାବେଳେ ମା’ଙ୍କ ପାଖରେ କହିଗଲା, ପଣ୍ଡିଚେରୀରେ ପହଞ୍ଚିଲା ମାତ୍ରେ ସେ ଟଙ୍କା ଆଶ୍ରମକୁ ଦାନ କରିଦେବ। ଅତୀତରେ ଯେତେ ପୁରସ୍କାର ପାଇଛି ସବୁ ଦାନ କରିଦେଇଛି। ଅଥଚ, ମୋ ପାଖରୁ ପୁରୁଣା ଧୋତି ବା ସାର୍ଟ ଖଣ୍ଡିଏ ଆଗ୍ରହରେ ନେଇ ମଧ୍ୟେ ମଧ୍ୟେ ନିଜର ବ୍ୟକ୍ତିଗତ ଅଭାବ ସେ ମେଣ୍ଟାଇଥାଏ। ଆଜିର ଆହରଣଶୀଳ ସମାଜରେ ଯେଉଁ ପ୍ରକାର ଆହରଣ ପାଇଁ ମଣିଷର ମନ ବ୍ୟାକୁଳ ହୋଇ ଉଠିଛି, ସେହି ସମାଜ ଓ ସମୟରେ ଏପରି ମନୋଭାବ ପୋଷଣ କରିବା ବୋଧହୁଏ ବୋଧହୁଏ ଗୋଟିଏ ଅସ୍ୱାଭାବିକ ଚରିତ୍ରର ପରିଚୟ ଦିଏ। ଅର୍ଥର ଦୁଇଟି ରୂପ, ଭୋଗ ଓ ତ୍ୟାଗ। ଆମେ ଅଧିକାଂଶ ମନୁଷ୍ୟ ଅର୍ଥ ଭୋଗ କରି ଆନନ୍ଦ ପାଉଥିବାବେଳେ ମନୋଜ ପରି ଅତି ଅଳ୍ପ ସଂଖ୍ୟକ ବ୍ୟକ୍ତି ଅର୍ଥ ତ୍ୟାଗ ଦ୍ୱାରା ଆନନ୍ଦ ପାଆନ୍ତି। ଏହା ଗୋଟିଏ ପ୍ରକାର ବିଶେଷତ୍ୱ।”

ଅଜସ୍ର ମଲ୍ଲୀର ପୁର, ରାତିରେ ଭୂତ: ଫକିର ମୋହନଙ୍କ ଘରୁ ଲେଖା ଆରମ୍ଭ
ବାଲେଶ୍ୱରରେ ପ୍ରଥମ ପଦାର୍ପଣ ସମ୍ପର୍କରେ ମନୋଜ ଦାସ ଲେଖିଛନ୍ତି,…୧୯୪୮ ମସିହାରେ ଏକ ଅପରାହଣରେ ବାଲେଶ୍ୱର ଷ୍ଟେସନରେ ରେଳ ଗାଡ଼ିରୁ ଅବତରଣ କରି ଯେତେବେଳେ ମୋତେ ପାଛୋଟି ନେବାକୁ ଆସିଥିବା ରଜନୀ ଭାଇ(ଶ୍ରୀଯୁକ୍ତ ରଜନୀକାନ୍ତ ଜେନା)ଙ୍କ ଠୁଁ ଶୁଣିଲି ଯେ କେଇଦିନ ପୂର୍ବରୁ ଫକୀର ମୋହନ କଲେଜରେ ଅଧ୍ୟାପକ ରୂପେ ଯୋଗଦେଇ ମୋର ବଡ଼ ଭାଇ ଶ୍ରୀଯୁକ୍ତ ମନ୍ମଥ ନାଥ ଦାସ ଯେଉଁ ଘର ଦଖଲ କରିଛନ୍ତି, ତାହା ହେଲା ଫକୀର ମୋହନ ସେନାପତିଙ୍କ କୋଠା, ସେଇଠି ରହି ମୁଁ ଜିଲା ସ୍କଲରେ ନବମ ଶ୍ରେଣୀରେ ଅଧ୍ୟୟନ କରିବି। ସେ୍େତବେଳେ ଷ୍ଟେସନ ଠୁଁ ମଲ୍ଲିକାଶପୁର ପର୍ଯ୍ୟନ୍ତ ବ୍ୟାପ୍ତ ସେ ରାସ୍ତା ମୋ ପାଇଁ ହୋଇଗଲା ଅବିଶ୍ୱାସ୍ୟ ଶିହରଣର ହେତୁ। ଗନ୍ତବ୍ୟ ମଲ୍ଲିକାଶପୁର ସତେ ଅବା ଅଜସ୍ର ମଲ୍ଲିର, ଦିଗବଳୟବ୍ୟାପୀ ଅଜସ୍ର କାଶଫୁଲର ପୁର, ତତକାଳୀନ ସହରର ପଲ୍ଲୀ ମାତ୍ର ନୁହଁ।

ଦିନେ ରାତି ୯ଟାରେ ମନୋଜ ବାବୁ ଘରେ ଥିବାବେଳେ ଛାତ ଉପରେ କିଏ ଦୌଡ଼ାଦୌଡ଼ି କରିବାର ଶବ୍ଦ ଶୁଣି ପୂଝାରୀ ପିଲା ଭୂତ ଭୂତ କହି ଥରିବାକୁ ଲାଗିଲା। ଲେଖକ ଛାତକୁ ଯାଇ ଦେଖିଲେ ଛେଳି। ସେ ଲେଖିଛନ୍ତି, କୋଠାର ପଶ୍ଚିମାଂଶ ବହୁ ଦିନ ଧରି ଅବ୍ୟବହୃତ ରହି ଧ୍ୱସ୍ତ ଅବସ୍ଥ୍ାକୁ ଆସିଯାଇଥିଲା। ସ୍ତୂପୀକୃତ ଇଟା ଉପରେ ଆରୋହଣ କରି ଯୋଡିଏ ତିନୋଟି ଗର୍ଜନହୀନ ଛେଳି ଅ।।ସି ଜହ୍ନ ଆଲୁଅ ଓ ମୃଦୁ ସମୀରଣ ଉପଭୋଗ କରୁଥିଲେ, ଡୁ ଡୁ ଖେଳୁଥିଲେ। ସେଇ କୋଠାରେ ରହଣି କାଳରେ ଲେଖକଙ୍କର ଲେଖା ପ୍ରଜାତନ୍ତ୍ର, କୁଙ୍କୁମ, ଡଗର ଓ ସହକାରରେ ପ୍ରକାଶ ପାଇବା ସହ ପ୍ରଥମ କବିତା ବହି ପ୍ରକାଶ ପାଇଥିଲା।

ଆନ୍ଦୋଳନ ପାଇଁ ଗିରଫ, ପୁଲିସ ଅଧିକାରୀଙ୍କ ପତ୍ନୀ ସୁସ୍ୱାଦୁ ଖାଦ୍ୟ ଦେଲେ
ମନୋଜ ଦାସ କଟକରେ ପଢ଼଼ୁଥିବା ବେଳର ଘଟଣା। ସେ ସରକାରଙ୍କ ବିରୋଧରେ ଏକ ଆନ୍ଦୋଳନର ନେତୃତ୍ୱ ନେବାର ଥାଏ। ବଡ଼ି ଭୋରରୁ ସାଇକେଲଟିଏ ଧରି ବାହାରିପଡ଼ିଲେ ରାସ୍ତାକୁ। କିଛି ପୁଲିସ ଅନୁସରଣ କରୁଥିଲେ। ସେମାନେ ଆଗକୁ ଆସିଯିବାରୁ ମନୋଜ ବାବୁ ବ୍ରେକ ଚାପି ଅଟକିଲେ। ପୁଲିସ ତାଙ୍କୁ ଗିରଫ କରିନେଲା। ଏ ଖବର ପ୍ରଚାରିତ ହେବା ପରେ ବହୁ ଛାତ୍ର ଓ ଜନସାଧାରଣ ଥାନା ସମ୍ମୁଖରେ ବିକ୍ଷୋଭ କଲେ। ପୁଲିସ ମନୋଜଙ୍କୁ ଜେଲକୁ ପଠାଇବାର ଯୋଜନା କଲା। କେତେ ଘଣ୍ଟା ପରେ ଜଣେ ପୁଲିସ ଅଧିକାରୀ ମନୋଜ ବନ୍ଦୀ ଥିବା କୋଠରୀର ତାଲା ଫିଟାଇ ତାଙ୍କୁ ନେଇଗଲେ। ଥାନା କୋଠା ପଛରେ ଥିବା ଘରର ବାରଣ୍ଡାରେ ପହଞ୍ଚିଲେ। ସେଠାରେ ମନୋଜଙ୍କ ପାଇଁ ଟେବୁଲରେ ସୁସ୍ୱାଦୁ ଭୋଜନ ପରଷା ଯାଇଥିଲା। ଅଧିକାରୀଙ୍କ ଅନୁରୋଧରେ ମନୋଜ ଭୋଜନ କଲେ। ବିଚାରାଧୀନ ବନ୍ଦୀମାନଙ୍କୁ କଣ ପୁଲିସ ଏଭଳି ବ୍ୟବହାର ଦେଖାଏ ବୋଲି ପଚାରିଲେ। ପୁଲିସ ଅଧିକାରୀ କହିଲେ, ତମ ଗପର ମୋର ସ୍ତ୍ରୀ ଜଣେ ମୁଗ୍ଧ ପାଠକ। ତମେ ଗିରଫ ହେବା କଥା ଜାଣି ସେ ଚିନ୍ତିତ ହେଲେ। ତମ ଗପ ପଢ଼଼ି ସେ ଯେଉଁ ଆନନ୍ଦ ପାଆନ୍ତି, ତାର ପ୍ରାପ୍ୟ ବାବଦ ତମ ପାଇଁ ଏହି ସୁସ୍ୱାଦୁ ଭୋଜନର ବ୍ୟବସ୍ଥା କରିଛନ୍ତି।

ପିଲାଦିନେ ପାଳିଥିଲେ ବାଘଛୁଆ
ମନୋଜ ଦାସ ପିଲା ଦିନେ ଏକ ବାଘ ଛୁଆ ପାଳିବାର ଅନୁଭୂତି ନିଆରା। ସେ ଥରେ ନିଜ ବଡ଼ ଭଉଣୀ ସ୍ନେହଲତାଙ୍କ ଶାଶୂଘରକୁ ବୁଲିଯାଇଥିଲେ। ସେ ଗାଁରେ ଜଣେ ଶିକାରୀ ଏକ ବାଘୁଣୀକୁ ଗୁଳି କରି ମାରିଦେଲା। ବାଘୁଣୀର ଶାବକକୁ ସ୍ନେହଲତାଙ୍କ ଘର ଲୋକ ଆଣିଲେ। ବାଳକ ମନୋଜ ଘରକୁ ଫେରିବାକୁ ବାହାରିବାବେଳକୁ ଭଉଣୀ ତାଙ୍କୁ ବାଘଛୁଆଟିକ୍ୁ ଦେଇ କହିଲେ, ଏଇଟା ତୋର। ଜଣେ ଭୃତ୍ୟ ସେ ବାଘଛୁଆକୁ ଧରି ମନୋଜଙ୍କୁ ଘରକୁ ଆସିଲା। ମନୋଜ ବାଘ ଛୁଆର ପରମ ମିତ୍ର ହୋଇ ତା’ର ଲାଳନପାଳନ ଦାୟିତ୍ୱ ନେଲେ। ଦିନେ ପିଞ୍ଜରା ଭିତରକୁ ପୂରାଇବାବେଳେ ବାଘ ଛୁଆ ମନୋଜଙ୍କ ହାତ ଓ ବାହୁକୁ ରକ୍ତାକ୍ତ କରି ପଳାଇଗଲା। ବଡ଼ ମନ ଦୁଃଖରେ ରହିଲେ ମନୋଜ। କିଏ କହିଲା, ବାଘ ଛୁଆଟା ଜଙ୍ଗଲକୁ ପଳାଇଥିବ। ମନୋଜ କହିଲେ, ମୁଁ ବି ଜଙ୍ଗଲକୁ ପଳାଇବି। ପର ଦିନ ବାଘ ଛୁଆର ମୃତଦେହ ଉଦ୍ଧାର କରାଗଲା। ତା’କୁ କୌଣସି ବିଷାକ୍ତ ସାପ କାମୁଡ଼ିଥିବା ଅନୁମାନ କରାଗଲା। ମାତ୍ର ସେଇ ପରମ ମିତ୍ରକୁ ହରାଇ ଗଭୀର ବେଦନାରେ କିଛି ଦିନ ରହିଲେ ମନୋଜ।

ଚମତ୍କାର ସଙ୍ଗୀତକାର ଓ ହାରମୋନିୟମ ବାଦକ
ଲହରୀ ଉତ୍ତାଲ୍ ରେ/ ତରଣୀ ସମ୍ଭାଲ୍ ରେ/ ପବନେ ଶୁଭେ ମରଣ ହୁଙ୍କାର/ ଗଗନେ ଘେରିଛି ଅନ୍ଧକାର।
ଏସନ ଝଡ଼ ବାଦଲ ରାତିରେ/ ହେ ରାତିରେ/ ମାଝୀ ଭାଇ ତରଣୀ ନ ବାହାରେ/ ଚକମକ ଝକମକ ବିଜୁଳି ମାନେ/ ଗଗନେ ଘେରିଛି ଅନ୍ଧକାର।

ଏହପରି ଅନେକ ଗୀତ। ପିଲା ଦିନରୁ ନିଜେ ହାରମୋନିୟମ ବଜାଇ ନିଜେ ଲେଖିଥିବା ଗୀତର ସ୍ୱର କରୁଥିଲେ ମନୋଜ ଦାସ। ନିଜେ ମଧ୍ୟ ମନୋରମ କଣ୍ଠରେ ଗାଉଥିଲେ। ସଙ୍ଗୀତ ପ୍ରତି ଥିଲା ତାଙ୍କର ବିଶେଷ ଦୁର୍ବଳତା। ଥରେ ଫକୀର ମୋହନ କଲେଜକୁ କାର୍ଯ୍ୟକ୍ରମ ପରିବେଷଣ ପାଇଁ ଆସିଥିଲେ ଭାରତର ବିିଖ୍ୟାତ ସଙ୍ଗୀତଜ୍ଞ ବନୱାରୀ ଲାଲ ଓ ହାରମୋନିୟମ ବାଦକ ଛୋଟେଲାଲ। ତହିଁ ପରଦିନ ଛାତ୍ର ମନୋଜ କଲେଜର ଏକ ରୁମରେ ଏମିତି ତାଳରେ ହାରମୋନିୟମ ବଜାଉଥିଲେ ଯେ ତାହା ଶୁଣି ଛାତ୍ର ଶ୍ୟାମସୁନ୍ଦର ମହାପାତ୍ର(ଭବିଷ୍ୟତରେ ସାଂସଦ)। ଚମକି ପଡ଼ିଥିଲେ। ସେ ଭାବିଲେ, ଛୋଟେଲାଲ ବୋଧହୁଏ ହାରମୋନିୟମ ବଜାଉଛନ୍ତି। ମାତ୍ର ସେ ତ ରାତିରେ କାର୍ଯ୍ୟକ୍ରମ ପରିବେଷଣ କରି ଚାଲିଯାଇଛନ୍ତି। ଶ୍ୟାମ ବାବୁ ଯାଇ ରୁମରେ ମନୋଜ ଦାସ ହାରମୋନିୟମ ବଜାଉଥିବା ଦେଖିଲେ। ଅଧ ଘଣ୍ଟା କାଳ ଛିଡ଼ା ହୋଇ ତାଙ୍କ ହାରମୋନିୟମ ବାଦନ ଶୁଣିଲେ। ତା’ ପରେ ମନୋଜ ବାବୁଙ୍କୁ କହିଲେ, ସଙ୍ଗୀତ ତୁମର ଜୀବନର ଲକ୍ଷ୍ୟ ହୋଇପାରେ।

ନିଜ ପ୍ରେରଣା ଫକିର ମୋହନଙ୍କ ସମ୍ପର୍କରେ
ମନୋଜ ଦାସ ‘ପଦେ ଅଧେ’ରେ ଲେଖିଛନ୍ତି, ମୋର ବୟସ ସେତେବେଳେ କେତେ ହେବ ଠିକ ମନେ ନାହିଁ। ନିମ୍ନ ପ୍ରାଥମିକ ସ୍କୁଲର ଦୁଇଟା ଶ୍ରେଣୀକୁ ଟପିଥାଏ। ମୋର ମାଆ ନିପଟ ମଫସଲର ଝିଅ। କିନ୍ତୁ ସାହିତ୍ୟ ପ୍ରତି ତାଙ୍କର ଅନୁରାଗ ଅସୀମ। ମୋ ଅଜା ଫକୀର ମୋହନଙ୍କର ସମସାମୟିକ ଥିଲେ। ରାଧାନାଥ ଓ ଫକୀର ମୋହନଙ୍କର ପ୍ରାୟ ସବୁ ବହି ସେ ମାଆଙ୍କୁ କିଣିଦେଇଥିଲେ ଏବଂ ସେଗୁଡ଼ିକୁ ମାଆ ସଯତ୍ନରେ ସାଇତି ରଖିଥାନ୍ତି। ମୋର ଦ୍ୱିତୀୟ ଶ୍ରେଣୀରୁ ମାଆ ମୋତେ ରାଧାନାଥ ଗ୍ରନ୍ଥାବଳୀ ପଢ଼଼ାଇବାକୁ ଲାଗିଲେ। କିନ୍ତୁ ସେ ବଡ଼ କିଟିମିଟିଆ। ମୋର ମନପ୍ରାଣ ରହିଯାଉଥାଏ ଫକୀର ମୋହନଙ୍କ ଆତ୍ମଜୀବନୀ ପାଖରେ। ସେହି କଅଁଳିଆ ସୁନ୍ଦର ଭାଷା-କେଉଁଝର ପ୍ରଜା ବିପ୍ଳବ-ତାଙ୍କ ଲମ୍ବା ବେକ ଉପରେ ଗୋପାଳିଆର ଆକ୍ରୋଶ, ଇତ୍ୟାଦି ଇତ୍ୟାଦି। ଫଳରେ ତାଙ୍କ ଜୀବନୀକୁ ମୁଁ ପଢ଼଼ିଛି ଦୈନନ୍ଦିନ ଗୀତା ପାଠ ଭଳି ବହୁତ ଥର। ୟା ପରେ କ୍ରମେ କ୍ରମେ ତାଙ୍କର ସବୁ ବହି ପଢ଼଼ି ପକାଇଲି।…ଏହି ବାଲେଶ୍ୱର ମାଟିରେ ଯେଉଁ ଦିନ ପ୍ରଥମେ ପାଦ ଦେଲି, ସେଦିନ ଜାଣି ନ ଥିଲି ଯେ ମୁଁ ଯେଉଁ ଘରେ ରହିବାକୁ ଯାଉଛି, ତାହା ଓଡ଼ିଆ ସାହିତ୍ୟର ମହାନ ସାହିତ୍ୟିକ ଓ ମୋର ପ୍ରିୟ ଲେଖକ ଫକୀର ମୋହନଙ୍କ ବାସଗୃହ। ସେହି ଘରେ ରହି ମୁଁ ଯେମିତି ଫକୀର ମୋହନଙ୍କ ସତ୍ତା ଅନୁଭବ କଲି ଏବଂ ତାହା ହିଁ ମୋତେ ଲେଖକ ହେବାରେ ପ୍ରଚୁର ପ୍ରେରଣା ଦେଇଛି।

ପୂର୍ବତନ ଅଧ୍ୟକ୍ଷ ସୁନ୍ଦରମ୍ ଓ ଭିଭି ଜନଙ୍କ ସହ ସାକ୍ଷାତର ବିରଳ ମୁହୂର୍ତ୍ତ
ମନୋଜ ଦାସ ଏଫଏମ କଲେଜରେ ଦ୍ୱିତୀୟ ଶ୍ରେଣୀର ଛାତ୍ର ଥିବାବେଳେ କୌଶଳ କରି ଚତୁର୍ଥ ଶ୍ରେଣୀ ଛାତ୍ର ସୁକୁମାର ନାୟକ(ପରେ ପୌରାଧ୍ୟକ୍ଷ ଓ ନୀଳଗିରି ବିଧାୟକ)ଙ୍କୁ ଛାତ୍ର ସଂସଦ ସଭାପତି ପଦ ନିର୍ବାଚନରେ ହରାଇ ଆଉ ଜଣକୁ ଜିତାଇଥିଲେ। କାରଣ ମନୋଜ ବାବୁ ଓ ତାଙ୍କ ସାଥୀଙ୍କ ଲକ୍ଷ୍ୟ ଥିଲା, କଲେଜ ଅଧ୍ୟକ୍ଷ ପି.ସୁନ୍ଦରମଙ୍କୁ ହଟାଇବା। ସୁନ୍ଦରମ ଥିଲେ କଡ଼ା ମିଜାଜର। କଟକଣା କଲେ, ପରୀକ୍ଷା ଚାଲିଥିବାବେଳେ କେହି ପିଲା ପରିସ୍ରା କରିବାକୁ ବାହାରକୁ ଯାଇପାରିବେନି। ଦିନେ ପ୍ରଚୁର ତୋରାଣି ପିଇ ପରୀକ୍ଷା ଦେବାକୁ ଆସିଥିବା ବନମାଳୀ ଅଣ୍ଡିଆ ନାମକ ଜଣେ ଛାତ୍ର ପରୀକ୍ଷା ହଲରେ ପରିସ୍ରା କଲେ ବି ତାକୁ ବାହାରକୁ ଯିବାକୁ ଦିଆଗଲାନି। ପିଲାମାନଙ୍କର ତୀବ୍ର ଅସନ୍ତୋଷ ଥିଲା।

ତେଣୁ ଅଧ୍ୟକ୍ଷଙ୍କୁ ହଟାଇବାକୁ ଛାତ୍ରମାନେ ଯୋଜନା କରିଥିଲେ। ତାଙ୍କ ବିରୋଧରେ ଆନ୍ଦୋଳନର ନେତୃତ୍ୱ ନେଉଥିଲେ ମନୋଜ ଦାସ। ନମ୍ର, ଆଭିଜାତ୍ୟ ସମ୍ପନ୍ନ ସୁକୁମାର ଦାସ ସଭାପତି ହୋଇଥିଲେ ଅଧ୍ୟକ୍ଷଙ୍କୁ ହଟାଇବା ଆନ୍ଦୋଳନରେ ସାମିଲ ହୋଇ ନ ଥାନ୍ତେ। ଶେଷରେ ସୁନ୍ଦରମ ହଟିଲେ। ତାଙ୍କର ପରାଜୟ ହେଲା ବୋଲି ବିଦାୟ ସଭାରେ ଘୋଷଣା କଲେ। ପରେ ସେ ଓଡ଼ିଶା ପବ୍ଲିକ ସର୍ଭିସ କମିସନ ସଦସ୍ୟ ହେଲେ। ଏହା ୧୯୫୩ ମସିହାର କଥା। ଏ ଘଟଣାର ୨୫ ବର୍ଷ ପରେ ମନୋଜ ଦାସ ବମ୍ବେ ବିଶ୍ୱବିଦ୍ୟାଳୟକୁ ଏକ ସଭାର ଅତିଥି ହୋଇଯାଇଥିଲେ। ସେ ସେଠାରେ ଏକ କୋଣରେ ଛିଡ଼ା ହୋଇ କଥା ହେଉଥିବାବେଳେ ତାଙ୍କ ଆଡ଼କୁ ଲକ୍ଷ୍ୟ କରି ତାମିଲ ରୀତିରେ ଧୋତି ପିନ୍ଧିଥିବା ଓ ବାଡ଼ି ଧରି ଛିଡ଼ା ହୋଇଥିବା ଜଣେ ବୃଦ୍ଧ ତାଙ୍କ ଆଡ଼କୁ ଅନାଉଥିବା ଦେଖିଲେ।

ସେ ବୃଦ୍ଧଙ୍କ ପାଖକୁ ଯାଇ କହିଲେ, କିଛି କହିବେ? ବୃଦ୍ଧ କହିଲେ, ମୂଁ ପିଏସ ସୁନ୍ଦରମ। ମନୋଜ ବାବୁ ଚମକିପଡ଼ିଲେ। ସୁନ୍ଦରମ କହିଲେ, ଖବରକାଗଜରେ ତୁମ ଭାଷଣ ଅଛି ବୋଲି ଶୁଣି ଚାଲିଆସିଲି। ଭିଭି ଜନ ତୁମ କଥା ବହୁତ କହନ୍ତି। ସଭା ଆରମ୍ଭ ହେବାରୁ ମନୋଜ ବାବୁ ମଞ୍ଚକୁ ଚାଲିଗଲେ। କିନ୍ତୁ ମନରେ ଡର, ତଳେ ବସିଥିବା ଇଂଲିସ ଭାଷାର ମହା ପଣ୍ଡିିତ ଗୁରୁ ସୁନ୍ଦରମଙ୍କ ଆଗରେ ସେ ଠିକ ଇଂରାଜୀ କହୁଛନ୍ତି ତ! ଗୁରୁଙ୍କ ନିର୍ଦ୍ଦେଶ ମାନି ପରଦିନ ତାଙ୍କ ଘରକୁ ଯାଇ ଦିବାହାର କଲେ। ଗୁରୁଙ୍କ ମନରେ ମନୋଜ ବାବୁଙ୍କ ପ୍ରତି ନିର୍ମଳ ସ୍ନେହ ଛଡ଼ା ଆଉ କିଛି ନ ଥିଲା। ସେ ଦୁଷ୍ଟ ଛାତ୍ରଟିକୁ ଅନେକ ଦିନ ଆଗରୁ କ୍ଷମା କରିଦେଇଥିଲେ।

ସେହିପରି ଦିନେ ମନୋଜ ବାବୁ ରାଜସ୍ଥାନର ଜୟପୁରରୁ ଯୋଧପୁରକୁ ଏକ ସଭାରେ ଯୋଗଦେବା ପାଇଁ ବିମାନରେ ଯାଉଥିଲେ। ବିମାନବନ୍ଦରରେ ବିମାନରୁ ଓହ୍ଲାଇଲେ ଭିଭି ଜନ। ମନୋଜ ବାବୁ ଏଫଏମ କଲେଜରେ ପଢ଼ୁଥିବାବେଳେ ଭିଭି ଜନ ଅଧ୍ୟକ୍ଷ ଥିଲେ। ବହୁ ବର୍ଷ ପରେ ଦେଖା। ମନୋଜ ବାବୁ ଗୁରୁଙ୍କୁ ନିଜ ପରିଚୟ ଦେଲେ। ପରେ ଜାଣିଲେ, ସେ ଯେଉଁ ସଭାର ବକ୍ତା, ସେହି ସଭାର ସଭାପତି ଗୁରୁ ଭିଭି ଜନ।

ସଂକ୍ଷେପରେ …ମନୋଜ ଦାସ
– ଜନ୍ମ: ୨୭ ଫେବୃଆରୀ, ୧୯୩୪
– ଜନ୍ମସ୍ଥାନ: ଶଙ୍ଖାରୀ, ବ୍ଲକ- ଭୋଗରାଇ, ଜିଲା-ବାଲେଶ୍ୱର
– ପିତା: ମଧୁସୂଦନ ଦାସ, ମାଆ- କାଦମ୍ବିନୀ ଦେବୀ
– ଜ୍ୟେଷ୍ଠ ଭ୍ରାତା: ଡ. ମନ୍ମଥ ନାଥ ଦାସ
– ପତ୍ନୀ: ପ୍ରତିଜ୍ଞା ଦେବୀ
– ୧୯୪୯: ପ୍ରଥମ କବିତା ସଂକଳନ, ‘ଶତାବ୍ଦୀର ଆର୍ତ୍ତନାଦ’ର ପ୍ରକାଶ
– ୧୯୫୦: ‘ଦିଗନ୍ତ’ ପତ୍ରିକାର ସଂପାଦନା ଓ ଦ୍ୱିତୀୟ କବିତା ସଂକଳନ, ବିପ୍ଳବୀ ଫକୀର ମୋହନ’ପ୍ରକାଶିତ
– ୧୯୫୧: ବାଲେଶ୍ୱର ଜିଲା ସ୍କୁଲରୁ ମାଟ୍ରିକ ପାସ
– ୧୯୫୨: ପ୍ରଥମ ଗଳ୍ପ ସଂକଳନ ‘ସମୁଦ୍ରର କ୍ଷୁଧା’ ପ୍ରକାଶିିତ
– ୧୯୫୩-୫୪: ଏଫଏମ କଲେଜ ଛାତ୍ର ୟୁନିଅନର ସଭାପତି ନିର୍ବାଚିତ
– ୧୯୫୪-୫୫: ନିଖିଳ ଉତ୍କଳ ଛାତ୍ର ସଂଘର ସମ୍ପାଦକ ନିର୍ବାଚିତ
– ୧୯୫୬: ସାମନ୍ତ ଚନ୍ଦ୍ରଶେଖର କଲେଜରୁ ବିଏ ପାସ
– ୧୯୫୬-୫୭: ମଧୁସୂଦନ ଲ କଲେଜ ଛାତ୍ର ସଂସଦର ସଭାପତି ନିର୍ବାଚିତ
– ୧୯୫୭: ଐତିହାସିକ ସୀମା ଆନ୍ଦୋଳନରେ ଅଂଶଗ୍ରହଣ, ନେତୃତ୍ୱ, ଇଣ୍ଡୋନେସିଆର ବାଦୁଂଠାରେ ଅନୁଷ୍ଠିତ ଏସିଆ-ଆଫ୍ରିକା ଛାତ୍ର ସମ୍ମିଳନୀରେ ଭାରତୀୟ ଛାତ୍ର ସମାଜର ପ୍ରତିନିଧି ଭାବେ ଯୋଗଦାନ
– ୧୯୫୯: ରେଭେନସା କଲେଜରୁ ଇଂରାଜୀ ଭାଷା ସାହିତ୍ୟରେ ସ୍ନାତକୋତ୍ତର ପାସ। କଟକର ଖ୍ରୀଷ୍ଟ କଲେଜରେ ଇଂରାଜୀ ବିଭାଗରେ ଅଧ୍ୟାପକ ଭାବେ ଯୋଗଦାନ। କୁଜଙ୍ଗର ବିଶିଷ୍ଟ ଜମିଦାର ତଥା ପ୍ରଖ୍ୟାତ ସ୍ୱାଧୀନତା ସଂଗ୍ରାମୀ ନାରାୟଣ ବୀରବର ସାମନ୍ତ ଓ ରତ୍ନମାଳୀ ଜେମାଙ୍କ ଜ୍ୟେଷ୍ଠ କନ୍ୟା ପ୍ରତିଜ୍ଞା ଦେବୀଙ୍କ ସହ ବିବାହ। କଟକରେ ଯୁଗରୂପା ପ୍ରେସ ପ୍ରତିଷ୍ଠା ଓ ଦିଗନ୍ତର ପୁନଃ ପ୍ରକାଶନ
– ୧୯୬୩: ପଣ୍ଡିଚେରୀର ଶ୍ରୀ ଅରବିନ୍ଦ ଆନ୍ତର୍ଜାତିକ ଶିକ୍ଷାକେନ୍ଦ୍ରରେ ଅଧ୍ୟାପକ ଭାବେ ଯୋଗଦାନ
– ୧୯୬୫: ‘ଆରଣ୍ୟକ’ ଗଳ୍ପ ସଂକଳନ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର
– ୧୯୭୨: ‘କଥା ଓ କାହାଣୀ’ ଗଳ୍ପ ସଂକଳନ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର
– ୧୯୮୦; ଧୂମ୍ରାଭ ଦିଗନ୍ତ ଓ ଅନ୍ୟାନ୍ୟ କାହାଣୀ’ ପାଇଁ ଶାରଳା ପୁରସ୍କାର
– ୧୯୮୦-୮୧: ସିଙ୍ଗାପୁର ସରକାରଙ୍କ ଶିକ୍ଷା ବିଭାଗର ଅବୈତନିକ ପରାମର୍ଶଦାତା ରୂପେ ନିଯୁକ୍ତ
– ୧୯୮୩-୮୯: ଦ ହିନ୍ଦୁସ୍ତାନ ଟାଇମସରେ ଦ ବେନିଅନ ଟ୍ରି ନାମରେ ସାପ୍ତାହିକ ସ୍ତମ୍ଭ ରଚନା
– ୧୯୮୫-୮୯: ବିଖ୍ୟାତ ଇଂରାଜୀ ମାସିକ ସାହିତ୍ୟ ସଂସ୍କୃତି ପତ୍ରିକା, ‘ଦ ହେରିଟେଜ’ର ସଂପାଦନା
– ୧୯୮୯: ‘କେତେ ଦିଗନ୍ତ’ ରମ୍ୟ ରଚନା ପାଇଁ ଦ୍ୱିତୀୟ ଥର ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର
– ୧୯୯୪: ଗଙ୍ଗାଧର ରଥ ଫାଉଣ୍ଡେସନ ପକ୍ଷରୁ ପ୍ରଥମ ସାହିତ୍ୟ ଭାରତୀ ପୁରସ୍କାର ଲାଭ
– ୨୦୦୧: ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ।
– ‘ଅମୃତ ଫଳ’ ଉପନ୍ୟାସ ପାଇଁ କେକେ ବିରଳା ଫାଉଣ୍ଡେସନ ପକ୍ଷରୁ ସରସ୍ୱତୀ ସମ୍ମାନ(ପୁରସ୍କାର) ଲାଭ।
– ଉତ୍କଳ ସାହିତ୍ୟ ସମାଜ ପକ୍ଷରୁ ‘ଉତ୍କଳ ରତ୍ନ’ ଉପାଧିରେ ଭୂଷିତ
– ୨୦୨୦: ପଦ୍ମଭୂଷଣ ସମ୍ମାନ
– ୨୦୨୦:ସତ୍ୟବାଦୀ ସାରସ୍ବତ ସମ୍ମାନ-୨୦୨୦
– ପରଲୋକ:ଏପ୍ରିଲ ୨୭, ୨୦୨୧

କିଛି ସୃଜନ ସମ୍ଭାର
କବିତା ସଙ୍କଳନ
ଶତାବ୍ଦୀର ଆର୍ତ୍ତନାଦ (୧୯୪୯), ବିପ୍ଳବୀ ଫକୀର ମୋହନ (୧୯୫୦), ପଦଧ୍ୱନି (୧୯୫୪), ନନ୍ଦାବତୀର ମାଝୀ (୧୯୫୭), ଉପନିବେଶ (୧୯୬୬), ତୁମ ଗାଁ ଓ ଅନ୍ୟାନ୍ୟ କବିତା (୧୯୯୨)

ଗଳ୍ପ ସଙ୍କଳନ
ସମୁଦ୍ରର କ୍ଷୁଧା(୧୯୫୨), ଜୀବନର ସ୍ୱାଦ(୧୯୫୩), ବିଷକନ୍ୟାର କାହାଣୀ(୧୯୫୪), ଆରଣ୍ୟକ(୧୯୬୧), ଶେଷ ବସନ୍ତର ଚିଠି(୧୯୬୫), ମନୋଜ ଦାସଙ୍କ କଥା ଓ କାହାଣୀ(୧୯୭୧), ଲକ୍ଷ୍ମୀର ଅଭିସାର(୧୯୭୪), ଆବୁ ପୁରୁଷ ଓ ଅନ୍ୟାନ୍ୟ କାହାଣୀ(୧୯୭୫), ଧୂମ୍ରାଭ ଦିଗନ୍ତ ଓ ଅନ୍ୟାନ୍ୟ କାହାଣୀ(୧୯୭୭), ମନୋଜ ପଞ୍ଚବିଂଶତି(୧୯୮୩), ଭିନ୍ନ ମଣିଷ ଓ ଅନ୍ୟାନ୍ୟ କାହାଣୀ(୧୯୮୭), ଚତୁର୍ଥ ବନ୍ଧୁ ଓ ଅନ୍ୟାନ୍ୟ କାହାଣୀ(୧୯୯୦), ଅବୋଲକରା କାହାଣୀ(୧୯୯୧), ମନୋଜ ଦାସଙ୍କ ଗଳ୍ପ(୧୯୯୨)

ଉପନ୍ୟାସ
ବୁଲଡୋଜର୍ସ(୧୯୮୯), ପ୍ରଭଞ୍ଜନ(୧୯୯୨), ଗୋଧୂଳିର ବାଘ(୧୯୯୫), ଅମୃତ ଫଳ(୧୯୯୬), ଆକାଶର ଇସାରା(୧୯୯୭), ତନ୍ଦ୍ରାଲୋକର ପ୍ରହରୀ(୨୦୦୦)

ଭ୍ରମଣ କାହାଣୀ
ଇନ୍ଦୋନେସିଆ ଅନୁଭୂତି(୧୯୫୭), ଦୂର ଦୂରାନ୍ତର(୧୯୭୩), ଅନ୍ତରଙ୍ଗ ଭାରତ, ପ୍ରଥମ ଭାଗ(୧୯୯୨), ଦ୍ୱିତୀୟ ଭାଗ(୧୯୯୬)

ପ୍ରବନ୍ଧ ଓ ରମ୍ୟ ରଚନା
କେତେ ଦିଗନ୍ତ, ପ୍ରଥମ ଭାଗ, ଦ୍ନିତୀୟ ଭାଗ-୧୯୮. ବିପୁଳା ଚ ପୃଥ୍ୱୀ(୧୯୯୪), ଭାରତର ଐତିହ୍ୟ: ଶତେକ ପ୍ରଶ୍ନର ଉତ୍ତର(୧୯୯୮), ସନ୍ଧାନ ଓ ସଙ୍କେତ(୧୯୯୯), ଅରଣ୍ୟ ଉଲ୍ଲାସ(୧୯୯୯)

ସ୍ମୃତିକଥା
ସମୁଦ୍ର କୂଳର ଏକ ଗ୍ରାମ(୧୯୯୬)

ଶିଶୁ ସାହିତ୍ୟ
ଆଲୋକ ଓ ଆନନ୍ଦର କାହାଣୀ(୧୯୭୦), ଅମର ସାହିତ୍ୟ(୧୯୭୩), କନକ ଉପତ୍ୟକାର କାହାଣୀ(୧୯୯୪)

ସଂକ୍ଷିପ୍ତ ଜୀବନ
ମହାଯୋଗୀ ଶ୍ରୀ ଅରବିନ୍ଦ

‘ଓଡ଼ିଆ ସାହିତ୍ୟ ଜଗତ ପାଇଁ ଅପୂରଣୀୟ କ୍ଷତି’
ଭୁବନେଶ୍ବର: ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ସାହିତ୍ୟିକ ପଦ୍ମବିଭୂଷଣ ମନୋଜ ଦାସଙ୍କ ବିୟୋଗ ଓଡ଼ିଆ ତଥା ଭାରତୀୟ ସାହିତ୍ୟ ଜଗତ ପାଇଁ ଅପୂରଣୀୟ କ୍ଷତି ବୋଲି ବିଭିନ୍ନ ମହଲରେ ମତପ୍ରକାଶ ପାଇଛି।
ବୈଜୟନ୍ତ ପଣ୍ଡା, ବିଜେପି ରାଷ୍ଟ୍ରୀୟ ଉପସଭାପତି: ଇଂରାଜୀ ଏବଂ ଓଡ଼ିଆ ସାହିତ୍ୟ ପାଇଁ ସ୍ବର୍ଗତ ଦାସଙ୍କ ଅବଦାନ ସବୁଦିନେ ମନେରହିବ। ସେ ଅନେକ କାଳଜୟୀ ଓଡ଼ିଆ କ୍ଷୁଦ୍ରଗଳ୍ପ ଓ ଉପନ୍ୟାସର ସ୍ରଷ୍ଟା ଥିଲେ। ତାଙ୍କ ବିୟୋଗରେ ସାହିତ୍ୟ ଜଗତରେ ଏକ ଯୁଗର ଅବସାନ ଘଟିଲା।
ନରସିଂହ ମିଶ୍ର, କଂଗ୍ରେସ ବିଧାୟକ ଦଳ ନେତା: ବିଶିଷ୍ଟ ସାହିତ୍ୟିକ ପଦ୍ମଭୂଷଣ ମନୋଜ ଦାସଙ୍କ ବିୟୋଗରେ ଅତ୍ୟନ୍ତ ମର୍ମାହତ ବୋଲି କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀ ମିଶ୍ର ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି। ସେ କହିଛନ୍ତି ଯେ ସ୍ବର୍ଗତ ଦାସ ଜଣେ ଉଚ୍ଚକୋଟୀର ଲେଖକ ଓ ସାହିତ୍ୟିକ ଭାବେ ବେଶ୍ ସୁନାମ ଅର୍ଜନ କରିଥିଲେ। ଓଡ଼ିଆ ସାହିତ୍ୟ ଜଗତ ପ୍ରତି ତାଙ୍କର ବିଶେଷ ଅବଦାନ ରହିଛି।
ନିରଞ୍ଜନ ପଟ୍ଟନାୟକ, ପିସିସି ସଭାପତି: ବିଶିଷ୍ଟ ସାହିତ୍ୟିକ, ଉତ୍କଳ ଜନନୀର ସୁଯୋଗ୍ୟ ସନ୍ତାନ ପଦ୍ମଭୂଷଣ ମନୋଜ ଦାସଙ୍କ ବିୟୋଗ ରାଜ୍ୟ ପାଇଁ ଅପୂରଣୀୟ କ୍ଷତି ଆଣି ଦେଇଛି ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ପଟ୍ଟନାୟକ କହିଛନ୍ତି। ସେ କହିଛନ୍ତି ଯେ କରୋନା ମହାମାରୀ ସମୟରେ ରାଜ୍ୟ ଲଢ଼ୁଥିବାବେଳେ ଶ୍ରୀ ଦାସଙ୍କ ବିୟୋଗ ଖବର ସମସ୍ତଙ୍କୁ ମର୍ମାହତ କରିଛି।
ରଘୁନନ୍ଦନ ଦାସ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ: ସ୍ବର୍ଗତ ଦାସ ଜଣେ ଉଚ୍ଚକୋଟୀର ଲେଖକ ଭାବେ ଦେଶ ବିଦେଶରେ ସୁନାମ ଅର୍ଜନ କରିଥିଲେ। ଏହି ଯଶସ୍ବୀ ଲେଖକ ତାଙ୍କର ସାହିତ୍ୟ କୃତି ପାଇଁ ଚିରକାଳ ସ୍ମରଣୀୟ ରହିବେ ବୋଲି ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି।
ମନୋରଞ୍ଜନ ପାଣିଗ୍ରାହୀ, ସଂସ୍କୃତି ବିଭାଗ ପୂର୍ବତନ ସଚିବ: ପ୍ରଫେସର ଦାସ କେବଳ ଜଣେ ସାହିତ୍ୟିକ ଥିଲେ ତାହା ନୁହେଁ ଧୂରୀଣ ବକ୍ତା, ଦାର୍ଶନିକ ଓ ଆଧ୍ୟାତ୍ମିକ ବ୍ୟକ୍ତିତ୍ବ ଥିଲେ। ସଂସ୍କୃତି ବିଭାଗରେ କାର୍ଯ୍ୟ କରୁଥିବାବେଳେ ତାଙ୍କ ସହିତ ଅନେକ ଥର ଦେଖାହୋଇଛି ଏବଂ ପୁସ୍ତକ ମେଳାରେ ଯୋଗଦେଇ ସେ ଓଡ଼ିଆ ଓ ଇଂରାଜୀ ସାହିତ୍ୟ ବିଷୟରେ ଆଲୋଚନା କରିଛନ୍ତି। ତାଙ୍କ ଅମର ଆତ୍ମାର ସଦ୍ଗତି କାମନା କରୁଛି।

ବିଭିନ୍ନ ମହଲରେ ଶୋକ
ବିଶିଷ୍ଟ ସାହିତ୍ୟିକ ମନୋଜ ଦାସଙ୍କ ବିୟୋଗରେ ଇସ୍ପାତ ଓ ଖଣିମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ, ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ପଣ୍ଡା, ମହିଳା ଓ ଶିଶୁବିକାଶ ମନ୍ତ୍ରୀ ଟୁକୁନି ସାହୁ, ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣକୁମାର ସାହୁ, ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା, ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା, ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ରାଜ୍ୟ ସରକାରଙ୍କ ଗଣମାଧ୍ୟମ ଉପଦେଷ୍ଟା ମାନସ ରଞ୍ଜନ ମଙ୍ଗରାଜ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କ ଆତ୍ମାର ସଦ୍ଗତି କାମନା କରିଛନ୍ତି।

ସେହିପରି ସମାଜବାଦୀ ପାର୍ଟିର ରାଜ୍ୟ ସଭାପତି ରବି ବେହେରା, ସିପିଆଇର ବରିଷ୍ଠ ନେତା ଦିବାକର ନାୟକ, ସିପିଆଇଏମର ସମ୍ପାଦକ ସୁରେଶ ପାଣିଗ୍ରାହୀ, ଜନଅଧିକାର ପାର୍ଟିର ମହାସଚିବ ଦେବାଶିଷ ମିଶ୍ର, ସିଟୁ ରାଜ୍ୟ କମିଟି, ଅଭିନେତା ପ୍ରକାଶ ମହାରଣା, ‘ଅ’ର ମୁଖ୍ୟ ସମ୍ପାଦକ ବିଜୟ କୁମାର ଦାସ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି।

Comments are closed.