ଖେଳନା ହେଉ ସୃଜନଶୀଳତାର ମାଧ୍ୟମ, ଦେଶ ହେଉ ଆତ୍ମନିର୍ଭର – ପ୍ରଧାନମନ୍ତ୍ରୀ

ଷ୍ଟାର୍ଟଅପ୍‍ ଗୁଡିକୁ ପ୍ରଧାନମନ୍ତ୍ରୀଙ୍କ ‘ଟିମ୍‍ ଅପ୍‍ ଫର୍‍ ଟଏଜ୍‍’ ଆହ୍ୱାନ

କରୋନା ମହାମାରୀ ସମୟରେ ଛୋଟ ପିଲାମାନଙ୍କ ସମୟ କେମିତି କଟୁଥିବ ସେ ନେଇ ପ୍ରଧାନମନ୍ତ୍ରୀ ମୋଦୀ ମନ କି ବାତରେ କହିଛନ୍ତି। ପ୍ରଧାନମନ୍ତ୍ରୀ ଗାନ୍ଧୀନଗରର ଶିଶୁ ବିଶ୍ୱବିଦ୍ୟାଳୟ ସମଗ୍ର ବିଶ୍ୱରେ ଏକ ଅଭିନବ ପ୍ରୟୋଗ ବୋଲି କହିବା ସହ ଭାରତ ସରକାରଙ୍କ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟ, ଶିକ୍ଷା ମନ୍ତ୍ରଣାଳୟ, ସୂକ୍ଷ୍ମ-ଲଘୁ ଏବଂ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ ସହ ମିଶି – ପିଲାମାନଙ୍କ ପାଇଁ କ’ଣ କରାଯାଇପାରିବ, ସେ ସମ୍ପର୍କରେ କହିଛନ୍ତି।

ସେ ଭାରତୀୟ ଖେଳଣା ସମ୍ପର୍କରେ କହିଛନ୍ତି ଯେ ଖେଳଣା ଏକପ୍ରକାର ଚଂଚଳତା ବୃଦ୍ଧି କରିଥାଏ ଓ ଆମ ଆକାଂକ୍ଷାକୁ ମଧ୍ୟ ନୂତନ ଦିଗ ପ୍ରଦାନ କରିଥାଏ। ଖେଳଣା କେବଳ ମନୋରଞ୍ଜନ କରିନଥାଏ, ଏସବୁ ମନକୁ ସୃଜନଶୀଳ କରିଥାଏ ଆଉ ମନକୁ ନୂତନ ଲକ୍ଷ୍ୟ ବି ପ୍ରଦାନ କରିଥାଏ। ଗୁରୁଦେବ ରବୀନ୍ଦ୍ରନାଥ ଠାକୁର ଖେଳଣା ସମ୍ପର୍କରେ କହିଥିଲେ ଯେ, ଅଧାଗଢ଼ା ଖେଳଣା ହିଁ ସର୍ବୋତ୍କୃଷ୍ଟ ଖେଳଣା। ଏମିତି ଖେଳଣା, ଯାହା ଅଧାଗଢ଼ା ହୋଇଥିବ, ଆଉ ପିଲାମାନେ ମିଶି ଖେଳୁଖେଳୁ ଏହାକୁ ସମ୍ପୂର୍ଣ୍ଣ ଭାବେ ଗଢ଼ିଦେବେ। ଗୁରୁଦେବ ଠାକୁର କହିଥିଲେ ଯେ, ସେ ଯେତେବେଳେ ଛୋଟ ଥିଲେ, ସେତେବେଳେ ଘରେ ଉପଲବ୍ଧ ଜିନିଷଗୁଡ଼ିକରେ ହିଁ ନିଜ କଳ୍ପନା ଶକ୍ତିରେ ସାଙ୍ଗମାନଙ୍କ ସହ ମିଶି ନିଜ ଖେଳଣା ଓ ଖେଳ ତିଆରି କରୁଥିଲେ। କିନ୍ତୁ ଦିନେ ଶୈଶବର ସେହି ଆନନ୍ଦଦାୟକ ମୁହୂର୍ତରେ ବଡ଼ ଲୋକଙ୍କ ହସ୍ତକ୍ଷେପ ଘଟିଲା। ଘଟଣା ଏହାଥିଲା ଯେ, ତାଙ୍କର ଜଣେ ସାଙ୍ଗ ଗୋଟିଏ ବଡ଼ ଓ ସୁନ୍ଦର ଦେଖାଯାଉଥିବା ବିଦେଶୀ ଖେଳଣା ନେଇଆସିଲା। ଖେଳଣାର ଆକର୍ଷଣ ଯୋଗୁଁ ସବୁ ପିଲାଙ୍କ ମନ ଖେଳ ଉପରୁ ହଟିଯାଇ ସେହି ଖେଳଣା ଉପରକୁ ଗଲା। ଖେଳ ଅପେକ୍ଷା ଖେଳଣାଟି ସମସ୍ତଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଗଲା। କାଲି ଯାଏଁ ଯେଉଁ ସାଙ୍ଗଟି ସମସ୍ତଙ୍କ ସାଙ୍ଗରେ ମିଶି ଖେଳୁଥିଲା, ସମସ୍ତଙ୍କ ସାଙ୍ଗରେ ମିଶୁଥିଲା, ଏବେ ସେ ସମସ୍ତଙ୍କଠାରୁ ଦୂରେଇଗଲା। କହିବାକୁ ଗଲେ ଅନ୍ୟ ସାଙ୍ଗମାନଙ୍କ ପ୍ରତି ତା’ ମନରେ ଭେଦଭାବର ଭାବନା ସୃଷ୍ଟି ହେଲା। ସେହି ଦାମିକା ଖେଳନାରେ ନା କିଛି କରିବାକୁ ଥିଲା, ନା କିଛି ସେଥିରେ ଶିଖିବାର ଥିଲା। ଅର୍ଥାତ, ଗୋଟିଏ ଆକର୍ଷଣୀୟ ଖେଳଣା ଗୋଟିଏ ଉତ୍କୃଷ୍ଟ ପିଲାଟିର ପ୍ରତିଭାକୁ ଦମନ କଲା, ଲୁଚାଇ ଦେଲା, ପ୍ରତିହତ କରିଦେଲା। ଏହି ଖେଳଣାଟି ଅବଶ୍ୟ ଧନ, ସମ୍ପତି, ବଡ଼ପଣିଆ ଦେଖାଇପାରିଲା, କିନ୍ତୁ ସେହି ପିଲାଟିର ସୃଜନଶୀଳତାର ବୃଦ୍ଧି ପାଇଁ ଏହା ପ୍ରତିବନ୍ଧକ ସାଜିଲା। ଖେଳଣାଟି ଆସିଲା ସିନା, କିନ୍ତୁ ଖେଳ ସରିଗଲା ଏବଂ ପିଲାର ଉନ୍ନତି ମଧ୍ୟ କେଉଁଠି ହଜିଗଲା।

ପ୍ରଧାନମନ୍ତ୍ରୀ କହିଛନ୍ତି, ଗୁରୁଦେବ କହୁଥିଲେ ଯେ ଖେଳଣା ଏମିତି ହେବା ଦରକାର, ଯାହା ପିଲାଙ୍କ ଶୈଶବକୁ ବାହାରକୁ ଆଣିପାରିବ, ସେମାନଙ୍କ ସୃଜନଶୀଳତାର ବିକାଶ ଘଟାଇପାରିବ। ପିଲାମାନଙ୍କ ଜୀବନର ଭିନ୍ନ ଭିନ୍ନ ଦିଗ ଉପରେ ଖେଳଣାଗୁଡ଼ିକର ଯେଉଁ ପ୍ରଭାବ ପଡ଼ିଥାଏ, ତାହା ଉପରେ ଜାତୀୟ ଶିକ୍ଷା ନୀତିରେ ମଧ୍ୟ ଦୃଷ୍ଟି ଦିଆଯାଇଛି। ଖେଳୁ ଖେଳୁ ଶିଖିବା, ଖେଳଣା ଗଢ଼ା ଶିଖିବା, ଖେଳଣା ତିଆରି ହେଉଥିବା ଜାଗା ପରିଦର୍ଶନ କରିବା, ଏ ସବୁକୁ ପାଠ୍ୟକ୍ରମରେ ସାମିଲ କରାଯାଇଛି।

ସେ କହିଛନ୍ତି ଯେ ଆମ ଦେଶରେ ସ୍ଥାନୀୟ ଖେଳଣାର ଗୋଟିଏ ସମୃଦ୍ଧ ପରମ୍ପରା ରହିଛି। ଅନେକ ପ୍ରତିଭାଶାଳୀ ଏବଂ ଦକ୍ଷ କାରିଗର ଅଛନ୍ତି, ଯେଉଁମାନେ ଭଲ ଖେଳଣା ତିଆରି କରିବାରେ ସିଦ୍ଧହସ୍ତ। ଭାରତର କିଛି କ୍ଷେତ୍ର ଟୟ୍‍ କ୍ଲଷ୍ଟର ଅର୍ଥାତ ଖେଳଣା ତିଆରି କେନ୍ଦ୍ର ରୂପେ ବିକଶିତ ହେବାରେ ଲାଗିଛନ୍ତି। ଯେମିତିକି, କର୍ଣ୍ଣାଟକ ରାମନଗରମ୍‍ର ଚନ୍ନାପାଟଣା, ଆନ୍ଧ୍ରପ୍ରଦେଶ କୃଷ୍ଣା ଜିଲ୍ଲାର କୋଣ୍ଡାପଲ୍ଲୀ, ତାମିଲନାଡ଼ୁର ତାଂଜୋର, ଆସାମର ଧୁବ୍‍ରୀ, ଉତରପ୍ରଦେଶର ବାରାଣସୀ। ଏମିତି ଅନେକ ଜାଗା ରହିଛି। ଏକଥା ଜାଣି ଆପଣ ଆଶ୍ଚର୍ଯ୍ୟାନ୍ୱିତ ହେବେ ଯେ, ବିଶ୍ୱର ଖେଳଣା ବଜାରରେ ୭ ଲକ୍ଷ କୋଟି ଟଙ୍କାରୁ ଅଧିକର କାରବାର ହୁଏ। ୭ ଲକ୍ଷ କୋଟିର ଏତେ ବଡ଼ କାରବାର, ଅଥଚ ଭାରତର ଅଂଶ ଏଥିରେ ବହୁତ କମ ରହିଛି। ଏବେ ଆପଣ ଚିନ୍ତା କରନ୍ତୁ ତ, ଯେଉଁ ଦେଶର ଗୋଟିଏ ସମୃଦ୍ଧ ପରମ୍ପରା ରହିଛି, ଯେଉଁଠି ଏତେ ସବୁ ବିବିଧତା ଭରି ରହିଛି, ଯୁବଶକ୍ତି ରହିଛି, ଖେଳଣା ବଜାରରେ ତାର ଅଂଶ ଏତେ କମ ହେବା କ’ଣ ଆମକୁ ଶୋଭା ପାଇବ?

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଖେଳଣା ଉଦ୍ୟୋଗର ଏକ ବିଶାଳ କ୍ଷେତ୍ର ରହିଛି। ଗୃହ ଉଦ୍ୟୋଗ ହେଉ, କ୍ଷୁଦ୍ର ଏବଂ ଲଘୁ ଉଦ୍ୟୋଗ ହେଉ, ଏମ.ଏସ.ଏମ.ଇ ହେଉ, ଏହାସହିତ ବଡ଼ ଉଦ୍ୟୋଗ ଏବଂ ବ୍ୟକ୍ତିଗତ ଉଦ୍ୟମୀ ମଧ୍ୟ ଏହାର ପରିସରଭୁକ୍ତ। ଏହାର ଉନ୍ନତି ପାଇଁ ସାରା ଦେଶକୁ ମିଶି ପରିଶ୍ରମ କରିବାକୁ ହେବ। ଏଇ ଯେମିତି, ଆନ୍ଧ୍ରପ୍ରଦେଶର ବିଶାଖାପଟ୍ଟନମ୍‍ର ଶ୍ରୀମାନ ସି.ବି. ରାଜୁ। ଏକଦା ତାଙ୍କ ଗାଁର ଏତି-କୋପକ୍କା ଖେଳଣା ଖୁବ ଚାଲୁଥିଲା। ଏହାର ବିଶେଷତ୍ୱ ଏହାଥିଲା ଯେ, ଏହା କାଠରେ ତିଆରି ହେଉଥିଲା। ଆଉ ଅନ୍ୟ ଏକ ବିଶେଷତ୍ୱ ଥିଲା ଯେ ଏଥିରେ କୌଣସି ପ୍ରକାର କୋଣ ବା ଧାର ରହୁ ନଥିଲା। ସବୁଆଡ଼ୁ ଏହା ଗୋଲାକାର ଥିଲା। ତେଣୁ ଛୋଟ ପିଲାଙ୍କୁ ଏହାଦ୍ୱାରା କୌଣସି ପ୍ରକାର ଶାରୀରିକ କ୍ଷତି ହେବାର ସମ୍ଭାବନା ରହୁ ନ ଥିଲା। ସି.ବି. ରାଜୁ ଏତି-କୋପ୍ପକା ଖେଳଣା ପାଇଁ ନିଜ ଗାଁର କାରିଗରମାନଙ୍କ ସହ ମିଶି ଗୋଟିଏ ନୂଆ ଅଭିଯାନ ଆରମ୍ଭ କରିଛନ୍ତି। ଉନ୍ନତ ମାନର ଏତି-କୋପ୍ପକା ଖେଳଣା ତିଆରି କରି ସି.ବି. ରାଜୁ ନିଜ ଅଂଚଳର ବିଲୁପ୍ତ ଗୌରବକୁ ଫେରାଇ ଆଣିଛନ୍ତି। ଖେଳଣା ଦ୍ୱାରା ଆମେ ଦୁଇଟି କାମ କରିପାରିବା – ଆମ ଗୌରବପୂର୍ଣ୍ଣ ଅତୀତକୁ ନିଜ ଜୀବନକୁ ଫେରାଇ ଆଣିପାରିବା ଏବଂ ନିଜ ପାଇଁ ସୁନେଲି ଭବିଷ୍ୟତଟିଏ ମଧ୍ୟ ଗଢ଼ିପାରିବା।

ଷ୍ଟାର୍ଟ-ଅପ୍‍ ଉଦ୍ୟୋଗୀମାନଙ୍କୁ ମୋଦୀ କହିଛନ୍ତି, ଟିମ୍‍ ଅପ୍‍ ଫର୍‍ ଟଏଜ୍‍ … ଆସନ୍ତୁ ମିଳିମିଶି ଖେଳଣା ତିଆରି କରିବା। ଏବେ ଆମେ ସମସ୍ତେ ଲୋକାଲ୍‍ ଖେଳଣା ପାଇଁ ଭୋକାଲ୍‍ ହେବାର ସମୟ ଆସିଛି। ଆସନ୍ତୁ, ଆମେ ଆମର ଯୁବବନ୍ଧୁମାନଙ୍କ ପାଇଁ କିଛି ନୂତନ ଧରଣର, ଉନ୍ନତ ମାନର ଖେଳଣା ତିଆରି କରିବା। ଖେଳଣା ଏମିତି ହେଉ ଯାହାଦ୍ୱାରା ଶୈଶବ ଫୁଟିଉଠୁ, ହସିଉଠୁ। ଆମେ ଏଭଳି ଖେଳଣା ତିଆରି କରିବା ଯାହା ପରିବେଶ ଅନୁକୂଳ ମଧ୍ୟ ହୋଇଥିବ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଜି ଯେତେବେଳେ ଆମେ ଦେଶକୁ ଆତ୍ମନିର୍ଭର କରିବାକୁ ଚେଷ୍ଟା କରୁଛୁ, ସେତେବେଳେ ଆମକୁ ସମ୍ପୂର୍ଣ୍ଣ ଆତ୍ମବିଶ୍ୱାସର ସହ ଆଗକୁ ବଢ଼ିବାକୁ ହେବ, ପ୍ରତ୍ୟେକ କ୍ଷେତ୍ରରେ ଦେଶକୁ ଆତ୍ମନିର୍ଭର କରିବାକୁ ହେବ। ଅସହଯୋଗ ଆନ୍ଦୋଳନ ରୂପେ ଯେଉଁ ବୀଜବପନ ହୋଇଥିଲା, ତାହାକୁ ଏବେ ଆତ୍ମନିର୍ଭର ଭାରତର ବଟବୃକ୍ଷରେ ପରିଣତ କରିବା ଆମ ସମସ୍ତଙ୍କ ଦାୟିତ୍ୱ ହେବ ଉଚିତ।

Comments
Loading...