ନେହେରୁ ମେମୋରିୟଲକୁ ନେଇ ମନମୋହନଙ୍କ ମୋଦୀଙ୍କୁ ଚିଠି

0

ନୂଆଦିଲ୍ଲୀ: ରାଜନୈତିକ ସ୍ତରରେ ପୂର୍ବରୁ ସରକାର ଓ ବିରୋଧୀଙ୍କ ମଧ୍ୟରେ ଯେଉଁ ସମ୍ପର୍କ ଥିଲା ଏବେ ତାହା ବ୍ୟାପକ ମାତ୍ରାରେ ବଦଳି ଯାଇଛି। ପୂର୍ବରୁ ଗ୍ରାମ ସହରରେ ରାଜନୀତି ପକ୍ଷପାତିତାକୁ ନେଇ କର୍ମୀଙ୍କ ମଧ୍ୟରେ ଆକ୍ରମଣ, ହିଂସାକାଣ୍ଡର ନଜିର ରହିଥିଲେ ମଧ୍ୟ ଏହାର ପ୍ରଭାବ ନେତୃମଣ୍ଡଳୀରେ ଦୃଶ୍ୟମାନ ହେଉ ନଥିଲା। ଏପରିକି ସଂସଦ ମଧ୍ୟରେ ପରସ୍ପର ବିରୋଧାଭାସର ଆରୋପ ପ୍ରତ୍ୟାରୋପ ପରେ ନେତା ମନ୍ତ୍ରୀଙ୍କୁ ସଂସଦର କ୍ୟାଣ୍ଟିନରେ ଏକତ୍ର ବସି ହସ ଖୁସୀରେ ଆଲୋଚନାରେ ମାତିଥିବାର ଦୃଶ୍ୟ ଦେଖିବାକୁ ମିଳୁଥିଲା।
ସମୟ ବଦଳିବା ସହ ଦେଶର ରାଜନୀତିରେ ପରିବର୍ତ୍ତନ ଉଗ୍ର ରୂପ ଧାରଣ କରିଛି। ଜାତିଆଣ ରାଜନୀତି କେବଳ କାଗଜ ପତ୍ରରେ ସୀମିତ ନରହି ରାଜରାସ୍ତାକୁ ଓହ୍ଲାଇଛି। ନିଜ ଦାବି ପୂରଣ କରିବାକୁ ହେଲେ ନିଦ୍ଦିଷ୍ଟ ବର୍ଗଙ୍କୁ ଭୋଟ ବ୍ୟାଙ୍କରେ ପରିଣତ ହେବାକୁ ପଡ଼ିବ ଏକଥା ବେଶ୍‍ ବୁଝିଛନ୍ତି ଦେଶର ଜନତା। ତେଣୁ ଜାତି ଏବେ ଉପଜାତିରେ ପରିଣତ ହୋଇ ଦାବି ହାସଲ କରିବାକୁ ନିଜକୁ ରାଜନୈତିକ ସମର୍ଥନ ପାଇଁ ପ୍ରସ୍ତୁତ ହେଉଥିବା ଦୃଶ୍ୟମାନ ହେଉଛି। ଜାଠ ଆନ୍ଦୋଳନ, ଗୁଜ୍ଜର ଆନ୍ଦୋଳନ ଏହାର ଜ୍ୱଳନ୍ତ ଉଦାହରଣ।
ରାଜନୀତିର ଏଭଳି ସମୟରେ ପ୍ରାକ୍ତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ପ୍ରଧାନମନ୍ତ୍ରୀଙ୍କୁ ଏକ ଚିଠି ଲେଖିଛନ୍ତି। ତିନମୂର୍ତ୍ତି ଭବନ ଭିତରେ ଦେଶର ସମସ୍ତ ପ୍ରଧାନମନ୍ତ୍ରୀଙ୍କୁ ନେଇ ଏକ ସଂଗ୍ରହାଳୟ ନିର୍ମାଣ କରିବାକୁ ମୋଦୀ ସରକାର ନିଷ୍ପତ୍ତି ନେଇଛନ୍ତି। ଏଭଳି ହେଲେ ତିନି ମୂର୍ତ୍ତି ଭବନ ମଧ୍ୟରେ ଅବସ୍ଥିତ ନେହେରୁ ମେମୋରିଆଲ,ମ୍ୟୁଜିୟମ ଓ ଲାଇବ୍ରେରୀର ନାମ ଓ କାୟା ଉଭୟ ବଦଳିଯିବ। ମେମୋରିଆଲ, ମ୍ୟୁଜିୟମ ଓ ଲାଇବ୍ରେରୀରେ ନେହେରୁଙ୍କ ସମେତ ଦେଶର ସମସ୍ତ ପ୍ରଧାନମନ୍ତ୍ରୀଙ୍କୁ ସ୍ଥାନ ମିଳିବ। ଏହାକୁ ମନମୋହନ ସିଂହ ଚିଠିରେ ବିରୋଧ କରିଛନ୍ତି। ନେହେରୁ ଦେଶର ଜଣେ ବଡ଼ ନେତା ଥିଲେ। ତାଙ୍କ ସ୍କୃତିରେ ଗଠିତ ସଂସ୍ଥାନକୁ ନବଦଳାଇବାକୁ ପ୍ରାକ୍ତନ ପ୍ରଧାନମନ୍ତ୍ରୀ ଅନୁରୋଧ କରିଛନ୍ତି। ତେବେ ବିଜେପିର ଏଜେଣ୍ଡାରେ କେବଳ ନେହେରୁ କାହିଁକି, ଦେଶର ସମସ୍ତ ପ୍ରଧାନମନ୍ତ୍ରୀଙ୍କୁ ଏଠାରେ ଏକ ସଂଗ୍ରହାଳୟ ଗଠନ କରି ସେମାନଙ୍କ ସମ୍ପର୍କିତ ତଥ୍ୟକୁ ସଂରକ୍ଷିତ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏଭଳି କ୍ଷେତ୍ରରେ ଦିଲ୍ଲୀରେ ନେହେରୁ ଓ ଗାନ୍ଧି ପରିବାରିକ ନେତୃତ୍ୱଙ୍କ ନାମରେ ଥିବା ଏକାଧିକ ଭବନ, ଲାଇାବ୍ରେରୀ ଖୁବ୍‍ ଶୀଘ୍ର ବଦଳି ଯିବ ଏଥିରେ ସନ୍ଦେହ ନାହିଁ।

Leave A Reply