କରତାରପୁର କରିଡର ଉଦ୍‌ଘାଟନ ପାଇଁ ପାକ୍‌ ନିମନ୍ତ୍ରଣକୁ ମନମୋହନଙ୍କ ପ୍ରତ୍ୟାଖ୍ୟାନ

ନୂଆଦିଲ୍ଲୀ: କରତାରପୁର କରିଡରର ଉଦ୍‌ଘାଟନ ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ମନମୋହନ ସିଂହଙ୍କୁ ନିମନ୍ତ୍ରଣ କରିବା ପାଇଁ ଇମ୍ରାନ୍‌ ଖାଁଙ୍କ ନେତୃତ୍ବ ପାକିସ୍ତାନ ସରକାର ନିଷ୍ପତ୍ତି ନେଇଥିବା ବୈଦେଶିକ ମନ୍ତ୍ରୀ ଶାହା ମହମ୍ମଦ କ୍ୟୁରେସୀ କହିଛନ୍ତି। ମନମୋହନ ଶିଖ ସଂପ୍ରଦାୟର; ତେଣୁ ତାଙ୍କୁ ଆମେ ନିମନ୍ତ୍ରଣ କରୁଛୁ ବୋଲି କ୍ୟୁରେସୀ ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି। ତେବେ ପାକିସ୍ତାନର ଏପରି ନିମନ୍ତ୍ରଣକୁ ମନମୋହନ ପ୍ରତ୍ୟାଖ୍ୟାନ କରିଥିବା ଜଣାଯାଇଛି। କଂଗ୍ରେସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ପାକିସ୍ତାନର ଏପରି ନିମନ୍ତ୍ରଣକୁ ମନମୋହନ କେବେହେଲେ ଗ୍ରହଣ କରିବେ ନାହିଁ। ନଭେମ୍ବର ୯ ଗୁରୁ ନାନକ ଦେବଙ୍କ ୫୫୦ ତମ ଜୟନ୍ତୀରେ କରତାରପୁର କରିଡରର ଉଦ୍‌ଘାଟନ ହେବ। ଉଲ୍ଲେଖଯୋଗ୍ୟ, ଉଭୟ ଭାରତ ଓ ପାକିସ୍ତାନ ସରକାର ମିଳିତ ଭାବେ ଏହି କରତାରପୁର କରିଡରକୁ ନିର୍ମାଣ କରିଛନ୍ତି। ପାକିସ୍ତାନର କରତାରପୁରରେ ଅବସ୍ଥିତ ଗୁରୁ ନାନକ ଦେବଙ୍କ ଶେଷ ଆଶ୍ରୟ ସ୍ଥଳ ସହ ଭାରତର ପଞ୍ଜାବ ରାଜ୍ୟର ଗୁରୁଦାସପୁର ଜିଲାରେ ରହିଥିବା ଡେରା ବାବା ନାନକଙ୍କ ଗୁରୁଦ୍ୱାରକୁ ଯୋଡ଼ିବା ଲକ୍ଷ୍ୟରେ ଏହି କରିଡରର ନିର୍ମାଣ କରାଯାଇଛି।

Comments are closed.