ଜୀବନ ଦୋ’ଛକିରେ ମୟୂରଭଞ୍ଜର ମାଙ୍କିଡ଼ିଆ ଜନଜାତି

କପ୍ତିପଦା: ସର୍ବଗ୍ରାସୀ ବାତ୍ୟା ୟସ କ୍ଷେତବାଡ଼ି ସବୁ ଉଜାତି ଦେଲା। ବିଗାଡ଼ି ଦେଲା ଜୀବନ ଯାତ୍ରାର ଗତି। ବନ୍ଦ ହୋଇଗଲା ଜୀବନ ଜିଇବାର ଆଧାର, ବହୁ ଲୋକଙ୍କର ନିତିଦିନିଆ ବୃତ୍ତି। ଗୋଟିଏ ପଟେ ଜୀବନ, ଅନ୍ୟ ପଟେ ଜୀବିକା। ୟସ ପାଇଁ ଜୀବନ ଆଉ ଜୀବିକାର ସଂଘର୍ଷ ଭିତରେ ଚାପି ହୋଇଯାଇଛି ମୟୂରଭଞ୍ଜ ଜିଲାର ଆଦିମ ଅଧିବାସୀ ମାଙ୍କିଡ଼ିଆଙ୍କର ଜୀବନ। ବାତ୍ୟାରେ ଭାଙ୍ଗି ଯାଇଥିବା ବାସଗୃହ ସଜାଡ଼ିବାକୁ ଆରମ୍ଭ କରିବା ବେଳେ ଜୀବିକା ବନ୍ଦ। ଶିଆଳି ଦଉଡ଼ି ତଥା ଜଙ୍ଗଲକୁ ଭରସା କରି ବଞ୍ଚୁଥିବା ଏହି ଜନଜାତିର ଲୋକ ବନ ବିଭାଗର କଟକଣା ପରେ ପ୍ଲାଷ୍ଟିକ ଆଳୁ ବୁରାରୁ ସୂତା ଖୋଲି ଦଉଡ଼ି ପ୍ରସ୍ତୁତି କରିବା କାର୍ଯ୍ୟକୁ ଆପଣେଇଥିଲେ। ଏବେ କିନ୍ତୁ ସବୁ ବନ୍ଦ। ସେମାନେ ଏବେ ଅତ୍ୟନ୍ତ ଦୟନୀୟ ଭାବରେ ଜୀବନ ବିତାଉଛନ୍ତି। ଏଭଳି ଏକ ଘଡ଼ିସନ୍ଧି ସମୟରେ ସେମାନଙ୍କୁ ସରକାରୀ ସହାୟତା ପ୍ରଦାନ ଅପରିହାର୍ଯ୍ୟ ହୋଇପଡ଼ିଛି।

ମାଙ୍କିଡ଼ିଆ ହେଉଛି ଏକ ଆଦିମ ସଂପ୍ରଦାୟ ତଥା ସର୍ବପୁରାତନ ଜନଜାତି। କିଛି ବର୍ଷ ପୂର୍ବରୁ ପୁରୁଷ ପୁରୁଷ ଧରି ଶିଆଳି ଲତା ଥିଲା ମାଙ୍କିଡ଼ିଆଙ୍କର ଜୀବନ। ଶିଆଳି ଗଛର ପତ୍ର ଅଧିକ ଶାଗୁଆ ହେଲେ ସେମାନଙ୍କ ଓଠରେ ହସ ଫୁଟୁଥିଲା। ସେମାନେ ବଣର ମାୟାରେ ବାୟା ହେଉଥିଲେ। ଜଙ୍ଗଲର ଜାତିଜାତିକା ଫଳ, କନ୍ଦ, ମହୁ ଆଉ ଶିଆଳି ଲତା ତଥା ପତ୍ରରୁ ତିଆରି କରୁଥିବା ଘରକରଣା ଜିନିଷ ଗାଁକୁ ଗାଁ ଭାର ଆଉ ମୁଣ୍ଡରେ ବୋହି ବିକୁଥିଲେ। ସେଥିରୁ ମିଳୁଥିବା ପଇସାରେ ନିଜର ଗୁଜୁରାଣ ମେଣ୍ଟାଉଥିଲେ। ସେମାନଙ୍କର ନିଜସ୍ୱ ଭାଷା, ସଂସ୍କୃତି, ପରମ୍ପରା ତଥା ସାମାଜିକ ବିଧିବ୍ୟବସ୍ଥା ଅନ୍ୟମାନଙ୍କଠାରୁ ଭିନ୍ନ। ସେମାନଙ୍କର ଯାଯାବର ଜୀବନ। ସେମାନେ ନିର୍ଦ୍ଦିଷ୍ଟ ଭାବେ ଗୋଟିଏ ସ୍ଥାନରେ ବାସ କରନ୍ତି ନାହିଁ। ଶାଳପତ୍ରରେ ତିଆରି ଅସ୍ଥାୟୀ ପଲାଟିଏ କରି ରହିଥାନ୍ତି। ନିକଟ ଜଙ୍ଗଲରୁ ଶିଆଳି ଲତା କମି ଆସିଲେ ସେହି ସ୍ଥାନ ଛାଡ଼ି ଅନ୍ୟ ସ୍ଥାନକୁ ପଳାଇଯା’ନ୍ତି। ମାତ୍ର ଶିଆଳି ଲତା ହାତୀମାନଙ୍କ ଖାଦ୍ୟ ବୋଲି ସରକାରଙ୍କ ଘୋଷଣା ତଥା ଏହାକୁ କାଟିବା ଉପରେ କଟକଣା ମାଙ୍କିଡ଼ିଆଙ୍କ ଦାନାପାଣି ଉପରେ ଶକ୍ତ ପ୍ରହାର କଲା। ଫଳରେ ସେମାନଙ୍କର ଜୀବନ ଜୀବିକାର ରୂପ ବଦଳିଗଲା।

ମୟୂରଭଞ୍ଜ ଜିଲା, କପ୍ତିପଦା ବ୍ଲକରେ ବାସ କରୁଥିବା ମାଙ୍କିଡ଼ିଆଙ୍କ ସ୍ଥିତି ଦିନକୁ ଦିନ ଦୟନୀୟ ହେବାରେ ଲାଗିଛି। ବ୍ଲକର ବାଲିପୋଷି, ଦାମାସାହି ମାଙ୍କିଡ଼ିଆ କଲୋନୀରେ ୧୨୦ ମୂଳ ପରିବାର ବାସ କରୁଥିବାବେଳେ ପୁନର୍ବସତି ଥଇଥାନ ଯୋଜନାରେ କିଛି ପରିବାର ଜେଏସ ଜାମୁଡିହା ପଞ୍ଚାୟତର ଉଠାଣିସାହିକୁ ସ୍ଥାନାନ୍ତରିତ ହୋଇଥିଲେ। ଦାମାସାହି ଓ ଉଠାଣିସାହିର ଅନେକ ପରିବାର ଆଜି ବି ଭୂମିହୀନ ହୋଇ ରହିଛନ୍ତି। କିଛି ହିତାଧିକାରୀଙ୍କୁ ୪ ଡେସମିଲ ଜମି ମିଳି ନ ଥିବାରୁ ସେମାନେ ବିଭିନ୍ନ ସରକାରୀ ଯୋଜନାର ସୁଫଳ ପାଇ ପାରୁନାହାନ୍ତି। ଦାମାସାହିର ନରେନ୍ଦ୍ର ମାଙ୍କିଡ଼ିଆ, ଲମ୍ବୁ ମାଙ୍କିଡ଼ିଆ, କୁଚା ମାଙ୍କିଡ଼ିଆ, ନରେନ୍ଦ୍ର ମାଙ୍କିଡ଼ିଆ, କନ୍ଦା ମାଙ୍କିଡ଼ିଆ, ରେଣ୍ଟ।। ମାଙ୍କିଡ଼ିଆ, ଲାକୁ ମାଙ୍କିଡ଼ିଆ, ଗୋବିନ୍ଦ ମାଙ୍କିଡ଼ିଆ, ବାସୁ ମାଙ୍କିଡ଼ିଆ, ଚନ୍ଦନ ମାଙ୍କିଡ଼ିଆ, ମୁନା ମାଙ୍କିଡ଼ିଆ ଇନ୍ଦିରା ଆବାସ ପାଇଥିଲେ ହେଁ ତାହା ସଂପୂର୍ଣ୍ଣ ହୋଇ ନ ପାରିବାରୁ ଅଧା ତିଆରି ଘର ଭାଙ୍ଗିଯାଇ ମାଟିରେ ମିଶିବାକୁ ବସିଲାଣି। ପୂର୍ବରୁ ବାଲିପୋଷି ଗାଁରେ ୯୦ ଜଣ ମାଙ୍କିଡ଼ିଆ ବାସ କରୁଥିଲେ। ମାତ୍ର ସାବାତ, ମୁନ୍‍ସୀ, ଶିବ, ରେଣ୍ଟା ଓ ସନ୍ତୋଷ ମାଙ୍କିଡ଼ିଆଙ୍କ ପରିବାର ଗାଁ ଛାଡ଼ିଦେଲେଣି। ଏବେ ସେମାନଙ୍କ ସଂଖ୍ୟା ୭୦। ଗାଁର ୭ଟି ପରିବାର ଜମିପଟ୍ଟା ପାଇପାରିନାହାନ୍ତି।

ପେଟପାଟଣା ପାଇଁ ଏ ଜଙ୍ଗଲରୁ ସେ ଜଙ୍ଗଲକୁ ଘୂରିବୁଲୁଥିବା ମାଙ୍କିଡ଼ିଆମାନେ ସରକାରୀ କଟକଣାକୁ ସମ୍ମାନ ଜଣାଇ ବିକଳ୍ପ ରୋଜଗାରର ମାଧ୍ୟମ ଖୋଜି ବୁଲିଲେ। ଏମାନେ ବିଲବାଡ଼ିରେ ମୂଲ ଲାଗିବା କାର୍ଯ୍ୟ ଶିଖି ନ ଥିଲେ ମଧ୍ୟ ପେଟକୁ ମୁଠାଏ ଆହାର ପାଇଁ କମ୍‍ ମଜୁରୀରେ ଚାଷ କାମ କରିବାକୁ ଗଲେ। ଶାଳ ପତ୍ରରୁ ଖଲି ପ୍ରସ୍ତୁତିକୁ କିଛି ଲୋକ ରୋଜଗାରର ପନ୍ଥା ଭାବେ ଆପଣେଇଥିଲେ। ମାତ୍ର କାଗଜ, ଥର୍ମୋକୁଲ ଓ ପ୍ଲାଷ୍ଟିକର ଚାହିଦା ବୃଦ୍ଧି ପାଉଥିବାରୁ ଖଲିପତ୍ର, ଶିଆଳି ଦଉଡ଼ିର ଚାହିଦା କମିଯାଇଛି। ଫଳରେ ଏହାର ବ୍ୟାବସାୟିକ ମୂଲ୍ୟ ହ୍ରାସ ପାଉଥିବାରୁ ପ୍ରତି ମୁହୂର୍ତ୍ତରେ ସେମାନଙ୍କୁ ଜୀବନ ଜୀବିକା ପାଇଁ ସଂଘର୍ଷ କରିବାକୁ ପଡ଼ୁଛି। ଅଧିକାଂଶ ଦିନ ଭୋକ ଉପାସରେ ଦିନ କଟାନ୍ତି ଏହି ଜନଜାତିର ଲୋକ। ଏବେ ଏହି ଜନଜାତି ଲୋକଙ୍କର ସାହାଭରସା ପାଲଟିଛି ପ୍ଲାଷ୍ଟିକ ଆଳୁ ବୁରା।

ମାଙ୍କିଡ଼ିଆମାନେ ଏହି ଆଳୁ ବୁରା କିଣି ସେଥିରୁ ସୂତା ବାହାର କରିବା ସହ ପ୍ଲାଷ୍ଟିକ ଦଉଡ଼ି, ଶିକା, ପଘା ତିଆରି କରୁଛନ୍ତି। ତେବେ ବଜାରରେ ମେସିନ ଦଉଡ଼ି, ପଘା, ଶିକା ଯୋଗୁ ସେମାନଙ୍କ ଜିନିଷ ପ୍ରତି କାହାର ଆଗ୍ରହ ରହୁନି। ତେଣୁ ସେମାନେ କମ ଦରରେ ବିକିବାକୁ ବାଧ୍ୟ ହେଉଛନ୍ତି। ଗ୍ରାମର ବୃଦ୍ଧବୃଦ୍ଧା ଏବଂ ବିଧବାଙ୍କୁ ଏ ଯାଏ ଭତ୍ତା ମିଳି ନାହିଁ। ଯଦିଓ ତଳପଡ଼ିଆ ବିଦ୍ୟାଳୟରେ ପିଲାଙ୍କ ନାଁ ଗଡ଼ୁଛି, ବାପାମାଆନେ କାମକୁ ବାହାରିଗଲେ ସେମାନେ ଘର ଜଗୁଛନ୍ତି। ସ୍ୱଚ୍ଛ ଭାରତ ଯୋଜନାରେ ଗୋଟିଏ ବି ପାଇଖାନା ହୋଇନି ଏହି ଗାଁରେ। ଗାଁର ଏକମାତ୍ର ନଳକୂପରୁ ଗୁଣ୍ଡି ଏବଂ କାଦ ପାଣି ବାହାରୁଛି। ଅନ୍ୟ ପକ୍ଷରେ ନିଜର ସରଳତା, ତଥା ଅଜ୍ଞତା ପାଇଁ ମାଙ୍କିଡ଼ିଆମାନେ କିଛି ସ୍ୱାର୍ଥାନ୍ୱେଷୀ ବ୍ୟକ୍ତିଙ୍କ ଶୋଷଣର ଶିକାର ହେଉଛନ୍ତି। ତେବେ ସରକାର ତଥା ପ୍ରଶାସନ ଏହି ସଂପୂର୍ଣ୍ଣ ଅସହାୟ ସଂଖ୍ୟାଲଘୁ ଜନଜାତିର ଲୋକଙ୍କୁ ବଞ୍ଚିବାର ରାହା ଯୋଗାଇବାକୁ ସମସ୍ତ ସହାୟତା ପ୍ରଦାନ କରିବା ପାଇଁ ବହୁ ବୁଦ୍ଧିଜୀବୀ ନିବେଦନ କରିଛନ୍ତି।

Comments are closed.