ସ୍ଥାୟୀ ନିଯୁକ୍ତି ଅପେକ୍ଷାରେ ମନଜିତ୍‍ ସିଂହ

0

ଚଣ୍ଡିଗଡ଼ : ଚଳିିତ ଏସୀୟ କ୍ରୀଡ଼ାରେ ପୁରୁଷ ୮୦୦ ମିଟର ଦୌଡ଼ରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ଭାରତୀୟ ଧାବକ ମନ୍‍ଜିତ ସିଂହ। ଏସୀୟ କ୍ରୀଡ଼ା ପୂର୍ବରୁ ମନଜିତ୍‍ଙ୍କ ନିକଟରେ ସ୍ଥାୟୀ ଚାକିରି ନ ଥିବାରୁ ସେ ଚାଷ ଜମିରେ କାମ କରିବା ସହ ଗୋରୁ ଗାଈଙ୍କ ଦେଖାଶୁଣା କରିଥାନ୍ତି ବୋଲି ବହୁତ କମ୍‍ ଲୋକ ଜାଣିଥିବେ। ହରିୟାଣାର ଉଜହାନା ଗ୍ରାମର ବାସିନ୍ଦା ମନଜିତ୍‍ଙ୍କ ବାପା ରଣଧୀର ସିଂହ ସାମ୍ବାଦିକଙ୍କ ସହ ଆଲୋଚନା କାଳରେ କହିଥିଲେ ମନଜିତ୍‍ଙ୍କ ନିକଟରେ ସ୍ଥାୟୀ ଚାକିରି ନାହିଁ। ଏସୀୟ କ୍ରୀଡ଼ା ପୂର୍ବରୁ ସେ ଓନ୍‍ଜିସିରେ ଚୁକ୍ତିଭିତ୍ତିକ ନିଯୁକ୍ତି ପାଇଥିଲେ। ସେ ପାଟିଆଲାରେ ରହି ଅଭ୍ୟାସ କରୁଥିଲେ। ମନଜିତ୍‍ ଯେତେବେଳେ ଘରକୁ ଆସନ୍ତି ସେ ପରିବାର ସଦସ୍ୟଙ୍କ ସହମିଶି ଚାଷ କରିବା ସହ ଗୋରୁଗାଈ ଦେଖାଶୁଣା କରିଥାନ୍ତି।
ଜାତୀୟ ସ୍ତରରେ ମନଜିତ୍‍ ବହୁବାର ପଦକ ଜିତିଥିଲେ ମଧ୍ୟ ରାଜ୍ୟ ସରକାର ତାଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ କରିନଥିବା ରଣଧୀର କହିଛନ୍ତି। ସ୍ଥାୟୀ ଚାକିରି ଦେବାକୁ ମନଜିତ୍‍ ବହୁବାର ରାଜ୍ୟ ସରକାରଙ୍କ ନିକଟରେ ଆବେଦନ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ରଣଧୀର କହିଛନ୍ତି। ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତିଥିବାରୁ ରାଜ୍ୟ ସରକାର ତାଙ୍କୁ ସ୍ଥାୟୀ ନିଯୁକ୍ତି ଦେବେ ବୋଲି ରଣବୀର ଆଶାବ୍ୟକ୍ତ କରିଛନ୍ତି। ଅନ୍ୟପକ୍ଷରେ ମନଜିତ୍‍ଙ୍କ ୪ ମାସର ସନ୍ତାନ ଥିଲେ ମଧ୍ୟ ସେ ଅଧିକାଂଶ ସମୟ ବାହାରେ ରହୁଥିବାରୁ ପରିବାରକୁ ସମୟ ଦେଇ ପାରୁନଥିବା କହିଛନ୍ତି ତାଙ୍କ ପତ୍ନୀ କିରଣ।
ମନଜିତ୍‍ଙ୍କ ପିତା ରଣଧୀର ସଟ୍‍ପୁଟ୍‍ରେ ରାଜ୍ୟକୁ ପ୍ରତିନିଧିତ୍ୱ କରିଛନ୍ତି। ବାପାଙ୍କୁ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ ପଦକ ଜିତିବା ଦେଖି ମନଜିତ୍‍ କ୍ରୀଡ଼ାରେ କ୍ୟାରିୟର ଗଢ଼ିବାକୁ ଆଗ୍ରହ ପ୍ରକାଶ କରିଥିଲେ। ମନଜିତ୍‍ ଛୋଟବେଳୁ ଦୌଡ଼ିବାକୁ ବହୁତ ପସନ୍ଦ କରୁଥିଲେ। ସକାଳ ଓ ସନ୍ଧ୍ୟାରେ ସେ ଗାଁର ବିଭିନ୍ନ ଚାଷଜମିରେ ଅବିଶ୍ରାନ୍ତ ଭାବେ ଦୌଡୁଥିବା ରଣଧୀର ସୂଚନା ଦେଇଛନ୍ତି। ଏପରିକି ମନଜିତ୍‍ ଜିନ୍ଦ ସହରକୁ ଦୌଡ଼ି ଦୌଡ଼ି ଯାଇ ଘର ପାଇଁ ସଉଦା କିଣିବାକୁ ପସନ୍ଦ କରୁଥିଲେ ବୋଲି ରଣଧୀର କହିଛନ୍ତି। ମନଜିତ୍‍ଙ୍କ ଭଳି ପ୍ରତିଭାବାନ୍‍ ଖେଳାଳିଙ୍କୁ ରାଜ୍ୟ ସରକାର ତୁରନ୍ତ ସ୍ଥାୟୀ ନିଯୁକ୍ତି ପ୍ରଦାନ କରିବା ଉଚିତ୍‍ ବୋଲି ରଣଧୀର କହିଛନ୍ତି।

Leave A Reply