ମନୀଷ ହତ୍ୟା ଘଟଣାର ଶୀଘ୍ର ରହସ୍ୟ ଉନ୍ମୋଚନ ହେବ : ପୁଲିସ ଆୟୁକ୍ତ

ବାର୍‌ରେ ହୋଇଥିଲା ଷଡ଼ଯନ୍ତ୍ର

ଖଣ୍ଡଗିରି : ‘ନିର୍ଭୟ’ ପବ୍ଲିକେସନ୍‌ ଲିମିଟେଡ଼ର ପରିଚାଳନା ନିର୍ଦେଶକ ତଥା ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁତ୍ର ମନୀଷ ଅନୁରାଗ ଓରଫ ଗୁଡୁଙ୍କ ହତ୍ୟା ଘଟଣାକୁ ୨୪ ଘଣ୍ଟା ବିତିଯାଇଥିଲା ବେଳେ ପୁଲିସ ତଦନ୍ତକୁ ଜୋରଦାର କରିଛି। ଏହି ଘଟଣାରେ ପୁଲିସ ୫ଜଣ ଯୁବକଙ୍କୁ ଜେରା କରିଥିବାବେଳେ ସମ୍ପୃକ୍ତ ବାର୍‌ର ୱେଟରଙ୍କୁ ଜେରା କରୁଛି। ମନୀଷଙ୍କୁ ହତ୍ୟା ପରେ ଦୁର୍ବୃତ୍ତମାନେ ପୋଖରୀରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। ତମାଣ୍ଡୋ ଥାନା ଅଧୀନରେ ଥିବା ସାଉଥସିଟି ହୋଟେଲ ଆଣ୍ଡ ବାର୍‌ରେ ମନୀଷଙ୍କୁ ହତ୍ୟା ଲାଗି ଷଡ଼ଯନ୍ତ୍ର କରାଯାଇଥିବା ନେଇ ଅଭିଯୋଗ ହୋଇଛି। ଭୋର୍‌ ସାଢ଼େ ୪ଟା ପର୍ଯ୍ୟନ୍ତ ବାର୍‌ ଚାଲିଥିବା ପୁଲିସ ପ୍ରମାଣ ପାଇବା ପରେ ସୋମବାର ବାର୍‌କୁ ବନ୍ଦ କରାଯାଇଛି । ଏହି ସମୟରେ ପୁଲିସ କମ୍ପ୍ୟୁଟର, ହାର୍ଡଡିସ୍କ, ସିପିୟୁ, ଚିତ୍ରୋତ୍ତୋଳନକା ଯନ୍ତ୍ର ସହ ବହୁ ଗୁରୁତ୍ୱପୂର୍ଣ୍ଣ ଜିନିଷପତ୍ର ଜବତ କରିଛି। ବାର୍‌କୁ ଅନିର୍ଦିଷ୍ଟ କାଳ ପାଇଁ ବନ୍ଦ କରିବା ଲାଗି ଚିଠି ଲେଖାଯାଇଛି । ମନୀଷଙ୍କ ବ୍ୟବଚ୍ଛେଦ ବିବରଣୀ ଆସିବା ପରେ ମୃତ୍ୟୁର କାରଣ ସମ୍ପର୍କରେ ଜଣାପଡ଼ିବ।
ସୂଚନାଯୋଗ୍ୟ, ଶନିବାର ରାତିରେ ମନୀଷ ସାଙ୍ଗଙ୍କ ସହ ଇନ୍‌ଫୋସିଟି ଅଞ୍ଚଳରୁ ପାତ୍ରପଡ଼ାକୁ ଯାଇଥିଲେ। ରାତି ପ୍ରାୟ ୪ଟା ବେଳେ ପାତ୍ରପଡ଼ାରେ ଥିବା ସାଉଥ ସିଟି ହୋଟେଲ ଆଣ୍ଡ ବାର୍‌କୁ ଯାଇଥିଲେ। ସେଠାରେ କ’ଣ ଘଟିଥିଲା ଓ ସେଠାରୁ ଫେରିବା ପରେ ସେ ପାତ୍ରପଡ଼ା ଗାଁ ପୋଖରୀକୁ କାହିଁକି ଯାଇଥିଲେ, ସେ ନେଇ ପୁଲିସ ତନାଘନା କରୁଛି। ପୁଲିସ ହୋଟେଲକୁ ବନ୍ଦ କରି ଚିତ୍ର ଉତ୍ତୋଳନ ଯନ୍ତ୍ର ଯାଞ୍ଚ କରୁଛି। ମନୀଷଙ୍କ ସହିତ ଥିବା ଦୁଇ ସାଙ୍ଗ କୁଆଡ଼େ ଗଲେ ସେ ନେଇ ପୁଲିସ ଖୋଳତାଡ଼ ଆରମ୍ଭ କରିଛି। ସେହିପରି ଅନୁରାଗଙ୍କ ମୋବାଇଲ ଫୋନ୍‌ କଲ୍‌ ଯାଞ୍ଚ କରାଯାଉଛି। ସେ ଘଟଣା ଦିନ କାହାକୁ ଫୋନ୍‌ କରିଥିଲେ କିମ୍ବା ତାଙ୍କୁ କିଏ ଫୋନ୍‌ କରିଥିଲା, ସେ ନେଇ ପୁଲିସ ତଦନ୍ତ କରୁଛି। ଏଥିସହିତ ତାଙ୍କ ସହିତ କେଉଁମାନେ ଥିଲେ ତାହା ଜାଣିବା ପାଇଁ ସହରରେ ଲାଗିଥିବା ଚିତ୍ର ଉତ୍ତୋଳନ ଯନ୍ତ୍ର ଯାଞ୍ଚ କରାଯାଉଛି। ଏଥିସହିତ ପାରିପାର୍ଶ୍ବିକ ସ୍ଥିତି ଓ ତାଙ୍କ ସହ ମିଳାମିଶା କରୁଥିବା ଲୋକଙ୍କୁ ମଧ୍ୟ ପୁଲିସ ପଚରାଉଚରା କରୁଛି। ବିଶେଷକରି ପୁଲିସ ଘଟଣାର ରହସ୍ୟ ଜାଣିବାକୁ ଡାଏଟମ୍‌ ଟେଷ୍ଟ କରିବାକୁ ନମୁନା ପଠାଇଛି। ମୃତଦେହ ଉଦ୍ଧାର ହୋଇଥିବା ପୋଖରୀର ପାଣି ଓ ମୃତକଙ୍କ ଶରୀରର କିଛି ଅଂଶ ପରୀକ୍ଷାଗାରକୁ ପଠାଯାଇଛି। ଏଥିରୁ ସ୍ପଷ୍ଟ ଜଣାପଡ଼ିବ ଯେ, ପାଣିରେ ବୁଡ଼ିବା ଫଳରେ ତାଙ୍କର ମୃତ୍ୟୁ ଘଟିଛି ନା ମୃତ୍ୟୁ ପରେ ପାଣିରେ ବୁଡ଼ିଛନ୍ତି। ସେହିପରି ଭିସେରା ମଧ୍ୟ ପରୀକ୍ଷା ପାଇଁ ପଠାଯାଇଛି। ସେ କେଉଁମାନଙ୍କ ସହିତ ମିଳିମିଶା କରୁଥିଲେ, କାହା ସହିତ ଶତ୍ରୁତା ଥିବା ଆଦି ତଥ୍ୟ ଜାଣିବା ଲାଗି କମିସନରେଟ ପୁଲିସ ତାଙ୍କ ସମ୍ପର୍କୀୟଙ୍କ ସହଯୋଗ ଲୋଡ଼ିଛି। ତେବେ ଖୁବ୍‌ଶୀଘ୍ର ଘଟଣାର ରହସ୍ୟ ଖୋଲିବ ବୋଲି ପୁଲିସ ଆୟୁକ୍ତ ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି।
ପୁଅକୁ ହତ୍ୟା କରାଯାଇଛି- ବାପା
‘ଭୋଜି କରିବାକୁ ଡାକି ନେଇ ସାଙ୍ଗମାନେ ତାକୁ ମାରି ଦେଇଛନ୍ତି। ଭଗବାନ ଏପରି ସନ୍ତାନ ବିୟୋଗ ଦୁଃଖ ଆଉ କାହାକୁ ନ ଦିଅନ୍ତୁ।’ ପୁଅର ମୃତ୍ୟୁ ପରେ ଆଜି ‘ନିର୍ଭୟ’ ଗୁମର କଥା ଜରିଆରେ ଭିଡିଓ ରିଲିଜ୍ କରି ନିଜ ମନର କୋହ ବଖାଣିଛନ୍ତି ମନୀଷଙ୍କ ବାପା ବରିଷ୍ଠ ସାମ୍ବାଦିକ ନବୀନ ଦାସ। ସେ କହିଛନ୍ତି େଯ ରବିବାର ଭୋର୍‌ ୪ଟା ୧୧ରେ ତା’ର ଶେଷ ଫୋନ୍ ପାଇଥିଲି। ତାକୁ କିଏ ମାରଧର କରୁଥିବା ମତେ ସେ କହୁଥିଲା। ଏହାପରେ ପୁଅର ମୃତ୍ୟୁ ଖବର ପାଇଲି। ମାସକ ପରେ ତା’ର ବାହାଘର େହବାର ଥିଲା। ହେଲେ ନିୟତିରେ କିଛି ଅଲଗା ଲେଖାଥିଲା ବୋଲି କୋହଭରା କଣ୍ଠରେ କହିଛନ୍ତି ନବୀନ।

Comments are closed.