ମନୀଷ ହତ୍ୟାକାଣ୍ଡ ମାମଲା, ବାର୍‌ ଚଳାଉଥିବା କନଷ୍ଟେବଳ ଓ ମାଲିକ ଗିରଫ

ଭୁବନେଶ୍ବର/ଖଣ୍ଡଗିରି: ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁତ୍ର ମନୀଷ ଅନୁରାଗ ଦାସଙ୍କ ହତ୍ୟାକାଣ୍ଡ ଘଟଣାର ଖୋଳତାଡ଼ କରୁଥିବା କମିସନରେଟ୍‌ ପୁଲିସକୁ ଦିନକୁ ଦିନ ନୂତନ ତଥ୍ୟ ମିଳିବାରେ ଲାଗିଛି। ମନୀଷଙ୍କ ହତ୍ୟାକାଣ୍ଡର ସୂତ୍ରପାତ ହୋଇଥିବା ପାତ୍ରପଡ଼ାସ୍ଥିତ ସାଉଥ୍‌ ସିଟି ବାରକୁ ଶୁକ୍ରବାର ଅପରାହ୍ଣରେ ବିଧିବଦ୍ଧ ଭାବେ ଜଉମୁଦ ଦେଇ ପୁଲିସ ବନ୍ଦ କରିଛି। କରୋନା କଟକଣାକୁ ଉଲ୍ଲଘଂନ କରି ବିଳମ୍ବିତ ରାତି ପର୍ଯ୍ୟନ୍ତ ବିନା ଅନୁମତି ପତ୍ରରେ ବେଆଇନ୍ ଭାବେ ବାର୍‌ ଚାଲୁଥିଲା। ରାଜଧାନୀରେ ବେଆଇନ୍ ଭାବେ ନିୟମ ଉଲ୍ଲଘଂନ କରି ବାର ଚଳାଉଥିବା ଏହାର ମାଲିକ ପ୍ରଦ୍ୟୁମ୍ନ ଜେନା ଓ ଏହାକୁ ଲିଜ୍‌ ସୂତ୍ରରେ ନେଇ ଚଳାଉଥିବା କନଷ୍ଟେବଳ ପ୍ରସନ୍ନ ବେହେରାଙ୍କୁ ତମାଣ୍ଡୋ ଥାନା ପୁଲିସ ଗିରଫ କରିଛି। ଥାନା ଅଧିକାରୀ ପ୍ରମୋଦ ପଟ୍ଟନାୟକଙ୍କୁ ଉପାୟୁକ୍ତଙ୍କ କାର୍ଯ୍ୟାଳୟକୁୂ ବଦଳି କରାଯାଇଛି। ସେମାନଙ୍କୁ ଶୁକ୍ରବାର ଅପରାହ୍ଣରେ ଥାନାକୁ ଡକାଯାଇଥିଲା। ହାଜର ହେବା ପରେ ସେମାନଙ୍କୁ ଦିନ ତମାମ ଜେରା କରାଯାଇଥିଲା।

ମନୀଷ ହତ୍ୟାକାଣ୍ଡ ଘଟଣା ପରେ ସାଉଥ୍‌ସିଟି ବାର୍‌ କରୋନା କଟକଣା ଉଲ୍ଲଘଂନ କରି ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲୁଥିବା ଜଣାପଡିଥିଲା। ମନୀଷଙ୍କ ହତ୍ୟାକାଣ୍ଡ ଦିନ ଅର୍ଥାତ ଗତ ୧୦ ତାରିଖରେ ଉକ୍ତ ବାର୍‌କୁ ପୁଲିସ ବନ୍ଦ କରିଥିଲା। କଟକଣା ଉଲ୍ଲଘଂନ କରି ବିଳମ୍ବିତ ରାତି ପର୍ଯ୍ୟନ୍ତ ଏହି ବାର୍‌ ଚାଲୁଥିବାରୁ ଏହାକୁ ନେଇ ଭୁବନେଶ୍ବର ଉପାୟୁକ୍ତ ତଦନ୍ତ କରିବା ଲାଗି ଜଣେ ଅତିରିକ୍ତ ଉପାୟୁକ୍ତଙ୍କୁ ଦାୟିତ୍ବ ଦେଇଥିଲେ। ଅତିରିକ୍ତ ଉପାୟୁକ୍ତଙ୍କ ବିବରଣୀ ପାଇବା ପରେ ଉପାୟୁକ୍ତ ଡ. ଉମାଶଙ୍କର ଦାସ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଶୁକ୍ରବାର ଅପରାହ୍ଣରେ ବାର୍‌ ଉପରେ ଜଣେ ଅତିରିକ୍ତ ଉପାୟୁକ୍ତଙ୍କ ତତ୍ତ୍ବାବଧାନରେ ଏକ ପୁଲିସ ଦଳ ଚଢ଼ଉ କରିଥିଲା। ୩ ଘଣ୍ଟା ଧରି ବାର୍‌କୁ ତନ୍ନତନ୍ନ କରି ଯାଞ୍ଚ କରାଯିବା ପରେ ବହୁ ପରିମାଣର ବିଦେଶୀ ମଦ ଜବତ କରାଯାଇଥିଲା। ବାର୍‌ରେ ସଙ୍ଗୀତ ଓ ନୃତ୍ୟ ପରିବେଷଣ ଲାଗି ବ୍ୟବହୃତ ବାଦ୍ୟଯନ୍ତ୍ରକୁ ଜବତ କରାଯାଇଛି। ତମାଣ୍ଡୋ ଥାନା ଅଧୀନ ପାତ୍ରପଡାରେ ବେଆଇନ୍ ଭାବେ ବାର୍‌ ଚାଲୁଥିବାରୁ ଥାନା ଅଧିକାରୀ ପ୍ରମୋଦ ପଟ୍ଟନାୟକଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ତାଙ୍କୁ ତୁରନ୍ତ ଥାନାରୁ ଅପସରଣ କରି ଉପାୟୁକ୍ତଙ୍କ କାର୍ଯ୍ୟାଳୟକୁ ବଦଳି କରାଯାଇଛି।

Comments are closed.