ବନ୍ଧୁତାରେ ବିଷ: ମନୀଷ ଅନୁରାଗ ହତ୍ୟା ମାମଲାରେ ୩ ବନ୍ଧୁ ଗିରଫ

ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗ ମୃତ୍ୟୁ ମାମଲାରେ କମିସନରେଟ ପୁଲିସକୁ ବଡ ସଫଳତା ମିଳିଛି। ଏହି ମୃତ୍ୟୁ ମାମଲାରେ କେଉଁମାନେ ସମ୍ପୃକ୍ତ, କେଉଁ ପରିସ୍ଥିତିରେ ମୃତ୍ୟୁ ଘଟିଛି, ପାଣିରେ ପଡିବା ପୂର୍ବରୁ କିମ୍ବା ପରେ ମୃତ୍ୟୁ ହୋଇଛି ଓ ଅଭିଯୁକ୍ତମାନେ କିଏ, ଏଭଳି କେତୋଟି ପ୍ରଶ୍ନକୁ ନେଇ କମିସନରେଟ ପୁଲିସ ଦିନରାତି ଏକ କରିଥିବା ବେଳେ ଏହି ଘଟଣାର ତଦନ୍ତ ପାଇଁ ଗଠିତ ସ୍ୱତନ୍ତ୍ର ଟିମ ଘଟଣାର ଖିଅ ଖୋଜି ପାଇବାରେ ସମର୍ଥ ହୋଇଛି। ଏହି ଘଟଣାରେ ସମ୍ପୃକ୍ତି ଥିବା ୩ ଜଣ ମୃତ୍ୟୁଞ୍ଜୟ ମିଶ୍ର ଓରଫ ମୁନ୍ନା, ଦିନେଶ ମହାପାତ୍ର ଓରଫ ଲିଟୁ ଓ ଅମ୍ରିତ ବିଶ୍ୱାଳଙ୍କୁ ଆଜି କମିସନରେଟ୍ ପୁଲିସ ଗିରଫ କରିଛି। ଡିସିପି ଉମାଶଙ୍କର ଦାଶ ଏକ ସାମ୍ବାଦିକ ସମ୍ମିଳନୀରେ ଏ ଘଟଣା ସମ୍ପର୍କରେ ସମ୍ପୂର୍ଣ୍ଣ ସୂଚନା ଦେବା ସହ ହତ୍ୟାକାଣ୍ଡ କିଭଳି ଘଟିଥିଲା, ତାହା ବିଷୟରେ ସୂଚନା ଦେଇଛନ୍ତି।

ଡିସିପି ଦାଶ କହିଛନ୍ତି, ମନୀଷ ଅନୁରାଗ ନିଜ ବନ୍ଧୁ କୁହାଯାଉଥିବା ଅମ୍ରିତ, ଦିନେଶ ଓ ମୃତ୍ୟୁଞ୍ଜୟଙ୍କ ସହ ହୋଟେଲକୁ ଯାଇଥିଲେ। ହୋଟେଲ ଭିତରେ ମଦ୍ୟପାନ ଓ ଖାଇବା ପରେ ଅର୍ଥ ପୈଠ କରିବାକୁ ନେଇ ସେମାନଙ୍କ ମଧ୍ୟରେ ଝଗଡା ହୋଇଥିଲା। ପରେ ମନୀଷ ନିଜ ବାପାଙ୍କ ଠାରୁ ଅର୍ଥ ଆଣି ପୈଠ କରିଥିଲେ କିନ୍ତୁ ହୋଟେଲ ବାହାରକୁ ଆସିବା ପରେ ସମ୍ପୃକ୍ତ ୩ ବନ୍ଧୁ ମନୀଷଙ୍କ ଉପରେ ଆକ୍ରମଣ କରିଥିଲେ ଯେଉଁଥିରେ ମନୀଷଙ୍କ ମୃତ୍ୟୁ ହୋଇଥିବା କୁହାଯାଇଛି। ପରେ ପ୍ରମାଣ ନଷ୍ଟ ଉଦ୍ଦେଶ୍ୟରେ ମନୀଷଙ୍କ ମୃତଦେହକୁ ନିକଟସ୍ଥ ପୋଖରୀରେ ଫିଙ୍ଗିଦେଇ ଚାଲିଯାଇଥିଲେ।

ଆଜି ଅମ୍ରିତ ବିଶ୍ବାଳ, ଦିନେଶ ମହାପାତ୍ର ଓ ମୃତ୍ୟୁଞ୍ଜୟ ମିଶ୍ରଙ୍କୁ କୋର୍ଟ ଚାଲାଣ କରାଯିବ ଏବଂ ପୁଲିସ ରିମାଣ୍ଡରେ ଆଣି ସିନ୍ ରିକ୍ରିଏଟ୍ କରିବ ବୋଲି ଡିସିପି କହିଛନ୍ତି। ଅଭିଯକ୍ତମାନଙ୍କ ବିରୋଧରେ ଆଇପିସିର ଧାରା ୩୬୪(ଏ), ୩୦୨, ୨୦୧ ଓ ୩୪ରେ ମାମଲା ରୁଜ୍ଜୁ କରାଯାଇଛି। ଅନ୍ୟପକ୍ଷରେ ଶବ ବ୍ୟବଚ୍ଛେଦର ପ୍ରାଥମିକ ରିପୋର୍ଟରେ ଶ୍ୱାସରୁଦ୍ଧ ହୋଇ ତାଙ୍କର ମୃତ୍ୟୁ ହୋଇଥିବା ନେଇ ସ୍ପଷ୍ଟ ହୋଇଛି। ଏସଂପର୍କରେ ଏମ୍ସ ପିଆରଓ ପ୍ରଭାସ ତ୍ରିପାଠୀ ସୂଚନା ଦେଇଛନ୍ତି।

Comments are closed.