ମଣିପୁର ମିଥ୍ୟା ଗୁଳିବିନିମୟ ମାମଲା: ସିବିଆଇ ନିର୍ଦେଶକଙ୍କୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା

0

ନୂଆଦିଲ୍ଲୀ : ମଣିପୁରରେ ବିଭିନ୍ନ ସମୟରେ ହୋଇଥିବା ୨୦ରୁ ଅଧିକ ମିଥ୍ୟା ଗୁଳିବିନିମୟ ମାମଲାରୁ ୨ଟିର ତଦନ୍ତ ଶେଷ ହୋଇଛି। ସିବିଆଇ ଏହି ଦୁଇଟିର ତଦନ୍ତ ଶେଷ କରି ଅଭିଯୋଗ ଫର୍ଦ ଦାଖଲ କରିଛି। ଅଭିଯୋଗ ଫର୍ଦ ଦାଖଲ ସତ୍ତ୍ବେ ସିବିଆଇ ଏହି ଦୁଇ ମାମଲାରେ କାହାରିକୁ ଗିରଫ କରି ନାହିଁ। ଏହାକୁ ନେଇ ସୁପ୍ରିମକୋର୍ଟ ସିବିଆଇକୁ ଭର୍ତ୍ସନା କରିଛନ୍ତି। ସୋମବାର ଅଦାଲତରେ ଏହି ପ୍ରସଙ୍ଗର ଶୁଣାଣି ସମୟରେ ସିବିଆଇ ନିର୍ଦେଶକ ଆଲୋକ କୁମାର ବର୍ମା ଉପସ୍ଥିତ ଥିଲେ। ତେଣୁ ସୁପ୍ରିମକୋର୍ଟ ସିଧା ସଳଖ ଶ୍ରୀ ବର୍ମାଙ୍କୁ ଭର୍ତ୍ସନା କରିଥିଲେ। ବିଚାରପତି ଏମ୍‍ ବି ଲୋକୁର ଓ ବିଚାରପତି ୟୁୟୁ ଲଳିତଙ୍କୁ ନେଇ ଗଠିତ ପୀଠ କହିଥିଲେ ଯେ ହତ୍ୟାକାରୀମାନେ ଯଦି ଅବାଧ ବିଚରଣ କରିବେ ତେବେ ସମାଜର ଅବସ୍ଥା କଣ ହେବ? ଏହି ଦୁଇ ମାମଲାରେ ୧୪ଜଣଙ୍କ ବିରୋଧରେ ହତ୍ୟା, ଫୌଜଦାରୀ ଷଡଯନ୍ତ୍ର ଓ ପ୍ରମାଣ ନଷ୍ଟ କରିବା ଭଳି ଅଭିଯୋଗ ଆରୋପ କରାଯାଇଛି।
ସେହିପରି ୧୯୮୫ରୁ ୨୦୦୧ ମଧ୍ୟରେ ସେନା, ଆସାମ ରାଇଫଲ୍ସ ଓ ମଣିପୁର ପୁଲିସ ଦ୍ୱାରା ମଣିପୁରରେ ହୋଇଥିବା ଏକ୍ସଟ୍ରା ଜୁଡିସିଆଲ କିଲିଙ୍ଗ୍‍ ଉପରେ ଚୂଡାନ୍ତ ରିପୋର୍ଟ ଦେବାରେ ସିବିଆଇ ବିଫଳ ହୋଇଥିବାରୁ ସୁପ୍ରିମକୋର୍ଟ ଭର୍ତ୍ସନା କରିଛନ୍ତି। ରିପୋର୍ଟ ଦେବାରେ କଣ ଅସୁବିଧା ରହିଛି ତାହା ଜଣାଇବାକୁ ସୁପ୍ରିମକୋର୍ଟ ଶ୍ରୀ ବର୍ମାଙ୍କୁ କହିଥିଲେ। ବିଚାରପତି ଶ୍ରୀ ବର୍ମାଙ୍କୁ କହିଥିଲେ ତୁମେ ତୁମ ଅଫିସରଙ୍କ ସହିତ ବସି ଆଲୋଚନା କର। କାରଣ ତୁମେ ଲୋକଙ୍କ ଜୀବନ ସହିତ ଖେଳୁଛ। ମାମଲାର ତଦନ୍ତକୁ କିପରି ତ୍ୱରାନ୍ୱିତ କରାଯାଇପାରିବ ତାହା ଜଣାଇବାକୁ ସିବିଆଇକୁ କହିଥିଲେ। ଏହା ପୂର୍ବରୁ ସିବିଆଇ ନିର୍ଦେଶକ କହିଥିଲେ ଯେ ମଣିପୁରରେ ୨୦ରୁ ଅଧିକ ମିଥ୍ୟା ଗୁଳିବିନିମୟ ମାମଲା ରହିଛି। ଏହି ସବୁ ମାମଲାର ତଦନ୍ତ ଡିସେମ୍ବର ସୁଦ୍ଧା ଶେଷ କରାଯିବ। ତେବେ ମଣିପୁରରେ ୧୫୨୮ରୁ ଅଧିକ ମିଥ୍ୟା ଗୁଳିବିନିମୟ ମାମଲା ଘଟିଛି। ଏହାର ତଦନ୍ତ ପାଇଁ ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି।

Leave A Reply