ମଙ୍ଗଳାଯୋଡିରେ ବିରଳ ଲିୟୁସିଷ୍ଟିକ କମନ୍ ମୁରହେନ୍ ପକ୍ଷୀ, ଠାବ କଲେ ବାର୍ଡ ଗାଇଡ ମଧୁ ବେହେରା

ମଙ୍ଗଳାଯୋଡ଼ି: ମଙ୍ଗଳାଯୋଡିରେ ଠାବ ହୋଇଛି ବିରଳ ରଙ୍ଗର କମନ୍ ମୁରହେନ୍ ପକ୍ଷୀ। ପକ୍ଷୀମାନଙ୍କର ସ୍ୱର୍ଗ ଭାବରେ ବିଖ୍ୟାତ ମଙ୍ଗଳାଯୋଡି ରେ ଏହି ବିରଳ ପକ୍ଷୀ କୁ ଠାବ କରିଛନ୍ତି ମଙ୍ଗଳାଯୋଡି କଞ୍ଜରଭେସନ ଟ୍ରଷ୍ଟ ର ଟ୍ରଷ୍ଟି ତଥା ପ୍ରସିଦ୍ଧ ବାର୍ଡ ଗାଇଡ ମଧୁ ବେହେରା। ଆଜି ସକାଳେ ସବୁଦିନିଆ ଡଙ୍ଗାରେ ପକ୍ଷୀମାନଙ୍କୁ ପର୍ଯ୍ୟବେକ୍ଷଣ କରିବା ସମୟରେ ଏହି ବିରଳ କଳା-ଧଳା ରଙ୍ଗର କମନ୍ ମୁରହେନ୍ ପକ୍ଷୀ ଦେଖି ତାହାର ଫଟୋ ଏବଂ ଭିଡିଓ ଉଠେଇ ଖୋର୍ଦ୍ଧା ଜିଲ୍ଲାର ପୂର୍ବତନ ଅବୈତନିକ ବନ୍ୟପ୍ରାଣୀ ତତ୍ୱାବଧାରକ ଶୁଭେନ୍ଦୁ ମଲ୍ଲିକଙ୍କ ନିକଟକୁ ପଠେଇଥିଲେ।

ଶୁଭେନ୍ଦୁ ଏହି ପକ୍ଷୀଟିକୁ ପାର୍ସିଆଲ ଲିୟୁସିଷ୍ଟିକ କମନ୍ ମୁରହେନ୍ ବୋଲି ଚିହ୍ନଟ କରିଥିଲେ। ଏହାର ଜୁଲୋଜିକାଲ୍ ନାମ ଗାଲିନୁଲା କ୍ଲୋରୋପସ୍ (Gallinula chloropus)। ଏକ ସାଧାରଣ ରଙ୍ଗର କମନ୍ ମୁରହେନ୍ ଦେଖିବାକୁ କଳା ରଙ୍ଗର ହୋଇଥାଏ, ଲାଞ୍ଜ ତଳେ ବଡ଼ ଧଳା ଅଣ୍ଡାକାର ପ୍ୟାଚ୍ ଏବଂ ଦୁଇ ପାର୍ଶ୍ବରେ ଧଳା ଧାଡି ଦେଖାଯାଏ। କିନ୍ତୁ, ଏହି ଲିୟୁସିଷ୍ଟିକ କମନ୍ ମୁରହେନ୍ ପକ୍ଷୀର ମୁଣ୍ଡ, ବେକ, ଓ ଡେଣାର ଶେଷ ଭାଗ ସାଧାରଣ ପକ୍ଷୀଙ୍କ ପରି କଳା ରଙ୍ଗ ହୋଇଥିବା ବେଳେ, ପୂରା ଶରୀରର ଅଧାରୁ ଅଧିକ ଭାଗ ତୋଫା ଧଳା ରଙ୍ଗର ହୋଇଛି। ତେବେ ସାଧାରଣ ପକ୍ଷୀଙ୍କ ଏହାର ଲାଲ୍ ଥଣ୍ଟ ରେ ହଳଦିଆ ମୁନ ରହିଛି।


କମନ୍ ମୁରହେନ୍ ପକ୍ଷୀଙ୍କ ମଧ୍ୟରେ ଲିୟୁସିଜିମ ମ୍ୟୁଟେସନ ଘଟଣା ଓଡ଼ିଶାରେ ପ୍ରଥମ ଘଟଣା ହୋଇଥିବା ବେଳେ ଭାରତରେ ଏହା ଦ୍ବିତୀୟ ଘଟଣା। ଏହା ପୂର୍ବରୁ 2017 ରେ କେରଳର ଥିରୁଭାନନ୍ତପୁରମ ଜିଲ୍ଲାର ଭେଲାୟାନି-ପୁଞ୍ଚାକରୀ ଆର୍ଦ୍ରଭୂମିରେ ଏକ ଲିୟୁସିଷ୍ଟିକ କମନ୍ ମୁରହେନ୍ ଦେଖିବାକୁ ମିଳିଥିଲା, ହେଲେ ସେତେବେଳେ ପକ୍ଷୀଟିର ଫଟୋ ଭଲ ଭାବରେ ଉଠାଯାଇ ପରିନଥିଲା; କିନ୍ତୁ ମଧୁ ଏହି ବିରଳ ପକ୍ଷୀର ସ୍ପଷ୍ଟ ଏବଂ ସୁନ୍ଦର ଫଟୋ ଏବଂ ଭିଡିଓ ଉଠେଇବାରେ ସକ୍ଷମ ହୋଇଛନ୍ତି। ଉଲ୍ଲେଖଯୋଗ୍ୟ, ମଧୁ ବେହେରା 2020 ମସିହାରେ ମଧ୍ୟ ଏଇଭଳି ଏକ ବିରଳ ଲିୟୁସିଷ୍ଟିକ ନର୍ଦନ୍ ଶୋଭେଲର ପକ୍ଷୀ ଏବଂ ଏକ ସମ୍ପୂର୍ଣ ଧଳା ଶରୀର ଥିବା ଗ୍ରେ ହେଡେଡ ସ୍ବାମ୍ପ ହେନ ପକ୍ଷୀ ପ୍ରଥମ କରି ଠାବ କରିଥିଲେ। ସାଧାରଣ ଭାବେ ଖରା ଦିନେ ମଙ୍ଗଳାଯୋଡିରେ ଖରା ଦିନେ ଟୁରିଷ୍ଟ ମାନଙ୍କ ସଂଖ୍ୟା କମୁଥିବା ବେଳେ, ଖାସ ଏହି ଲିୟୁସିଷ୍ଟିକ କମନ୍ ମୁରହେନ୍ ପକ୍ଷୀ ର ଫଟୋ ଉଠେଇବା ପାଇଁ ପକ୍ଷୀ ପ୍ରେମୀଙ୍କର ଭିଡ ଜମିବ ବୋଲି ମଧୁ ବେହେରା ଆଶା ବ୍ୟକ୍ତ କରିଛନ୍ତି।

Comments are closed.