ଆମ୍ବ ଯୋଗାଇଛି ଆହାର

କୋରାପୁଟ : କରୋନା କଟକଣା ଓ ତାଲା ବନ୍ଦ ପରିସ୍ଥିତିରେ ସମସ୍ତେ ଜୀବନ ଜୀବିକା ସହ ଜୁଝୁଥିବାବେଳେ ପଲ୍ଲୀ ଅଞ୍ଚଳର ଆଦିବାସୀଙ୍କୁ ଆମ୍ବ ଯୋଗାଇଛି ଆହାର। ଯେଉଁ ଜମିରେ ପନିପରିବା ଚାଷ କରି ସେମାନେ ଚିନ୍ତା ବ୍ୟକ୍ତ କରୁଥିଲେ ଏବେ ସେହି ଜମିରେ ଆମ୍ବ ଚାଷ ସେମାନଙ୍କୁ ଉତ୍ପାଦିତ ଦ୍ରବ୍ୟର ମୂଲ୍ୟ ଦେବା ସହ ଶ୍ରମର ମୂଲ୍ୟ ସାଙ୍ଗକୁ ଆହାର ଯୋଗାଇପାରୁଛି। କୋରାପୁଟ ଜିଲାର ପ୍ରାୟ ୭ରୁ ୯ଟି ବ୍ଲକରେ ଏହିଭଳି ଚାଷୀ ଉପକୃତ ହେଉଛନ୍ତି।

ସୂଚନା ଅନୁଯାୟୀ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପକ୍ଷରୁ ଏଫଏଡିପି ଯୋଜନାରେ ୱାଡି ପ୍ରକଳ୍ପ ଅଧିନରେ ଲକ୍ଷ୍ମୀପୁର ବ୍ଲକର ଖଜୁରିପୁଟର ୩୮ଜଣ ଚାଷୀ ୩୮ ଏକର ଜମିରେ ଆମ୍ବ ବଗିଚା କରି ଲାଭାନ୍ୱିତ ହୋଇପାରିଛନ୍ତି। ଏଥିପାଇଁ ସ୍ୱେଚ୍ଛାସେବୀ ସଙ୍ଗଠନ ସିୱାଇଏସଡି ସେମାନଙ୍କୁ ପ୍ରୋତ୍ସାହନ ଯୋଗାଇଆସୁଛି। ଆଇଟିଡିଏ ପକ୍ଷରୁ ସେମାନଙ୍କୁ ଆମ୍ବ ଚାରୋ, ସବୁଜ ନେଟ, ମାଟି ହାଣ୍ଡି ଆଦି ଯୋଗାଇ ଦିଆଯାଉଥିବାବେଳେ ଜୈବିକ ଖତ ପାଇଁ ପ୍ରୋତ୍ସାହନ ଦିଆଯାଉଛି। ଗୁରୁତ୍ୱପୂର୍ଣ୍ଣ କଥା ସେମାନେ ପୂର୍ବରୁ କେବଳ ପନିପରିବା ଚାଷ କରୁଥିବାବେଳେ ଏବେ ସେହି ଜମିରେ ଆମ୍ବ ବଗିଚା କରିବା ସହ ପନିପରିବା ଚାଷ କରି ବେଶ କିଛି ରୋଜଗାର କରିପାରୁଛନ୍ତି, ଯାହା ସେମାନଙ୍କ ଆର୍ଥିକ ବିକାଶରେ ସହାୟକ ହୋଇପାରିଛି। ୨୦୧୫ ମସିହାରେ ଲକ୍ଷ୍ମୀପୁର ବ୍ଲକ ଗୌଡ଼ଗୁଡ଼ା ପଞ୍ଚାୟତର ଖଜୁରିପୁଟ ଗାଁରେ ୩୮ଜଣ ଚାଷୀ ୩୮ଏକର ଜଙ୍ଗଲ ଜମି ଓ କିଛି ପଟ୍ଟା ଜମିରେ ଆମ୍ବ ବଗିଚା କରିଥିଲେ। ଏଥିପାଇଁ ସେମାନଙ୍କୁ ମନରେଗା ଯୋଜନାରେ ଶ୍ରମ ଦିବସ ସୃଷ୍ଟି କରାଯାଇ ଶ୍ରମର ମୂଲ୍ୟ ମଧ୍ୟ ପ୍ରଦାନ କରାଯାଇଥିଲା। ଏବେ ତାଲା ବନ୍ଦ ସମୟରେ ସମସ୍ତେ ଚିନ୍ତିତ ଥିବାବେଳେ ସେମାନେ ଆମ୍ବ କିଲୋ ପିଛା ୬୦ଟଙ୍କାରେ ବିକ୍ରି କରି ୭/୮ହଜାର ଟଙ୍କା ରୋଜଗାର କରିପାରିଛନ୍ତି। ଖଜୁରୀପୁଟର ଚାଷୀ ହଳଧର ଜାନୀ କହନ୍ତି ୨୦୧୫-୧୬ ପୂର୍ବରୁ ଯେଉଁ ଜମିରେ ପରିବା ଚାଷ କରି ଆମେ କିଛି ପାଇପାରୁ ନ ଥିଲୁ ଆଜି ସେହି ଜମିର ଆମ୍ବ ଚାଷ ଆମକୁ ଆହାର ଯୋଗାଇଛି। ଆମ୍ବ ସାଙ୍ଗକୁ ଆମେ ଟମାଟୋ, ଲଙ୍କା, ବିନ୍ସ, ଅଲୋଡ଼ି, ଖମ୍ବ ଆଳୁ, ଭେଣ୍ଡି ଆଦି ସବୁଜ ପନିପରିବା ଚାଷ କରି ସେଥିରୁ ମଧ୍ୟ ଲାଭବାନ ହୋଇପାରୁଛୁ। ସମ୍ପୂର୍ଣ୍ଣ ଜୈବିକ ପଦ୍ଧତିରେ ଚାଷ ହେଉଥିବାବେଳେ ଆମ ଜମିରେ ଖଟିବା ପାଇଁ ଆମକୁ ଶ୍ରମର ମୂଲ୍ୟ ମଧ୍ୟ ମିଳୁଛି ଆଉ କାହିଁକି ଦାଦନ ଖଟିବାକୁ ଯିବୁ ବୋଲି ହଳଧର କହନ୍ତି। ଖଜୁରୀପୁଟ ଭଳି କୁସୁମଗୁଡ଼ା ପଞ୍ଚାୟତର କୁରୁମୁଲି, ତୟାପୁଟ ପଞ୍ଚାୟତର ଉସୁକାଭଟା, ରାଇସିଲ ଓ ସୋରିଷପଦର ଆଦି ଗାଁରେ କିଛି ଚାଷୀ ଏହି ଯୋଜନାରେ ମଧ୍ୟ ଉପକୃତ ହୋଇପାରିଛନ୍ତି। ସେହିଭଳି ଜିଲାର ନାରାୟଣପାଟଣା, ବନ୍ଧୁଗାଁ, ଦଶମନ୍ତପୁର ସମେତ ଆଜିକା ତାରିଖରେ ନନ୍ଦପୁର, ସେମିଳିଗୁଡ଼ା, ଲମତାପୁଟ ଭଳି ବ୍ଲକର ୫୦ରୁ ଊର୍ଦ୍ଧ୍ବ ପଞ୍ଚାୟତରେ ବହୁ ଚାଷୀ ଏଭଳି ଆମ୍ବ ବଗିଚା କରି ବେଶ ଉପକୃତ ହୋଇପାରିଛନ୍ତି।

Comments are closed.