ଆମ୍ବ ବିକ୍ରି ପ୍ରଭାବିତ

ଭାରତୀୟ ଫଳ ବଜାରରେ ଆମ୍ବର ଚାହିଦା ଖୁବ୍ ଅଧିକ। କେତୋଟି ଫୁଡ୍ ଷ୍ଟୋର୍‌​‌ରେ ବାରମାସୀ ଆମ୍ବ ମିଳିଥାଏ, ହେଲେ ଲୋକଙ୍କ ମତରେ ଖରାଦିନିଆ ଆମ୍ବର ସୁଆଦ ସବୁଠୁ ଅଲଗା। ଏଥରକ ଆମ୍ବ ବିକ୍ରି ପ୍ରଭାବିତ ହୋଇଥିବାର ବ୍ୟବସାୟୀଙ୍କ ମତ। ଦିଲ୍ଲୀ ଓ କଲକତା ବଜାରରେ ଲକ୍ଷାଧିକ ଟଙ୍କାର ଆମ୍ବ ବ୍ୟବସାୟ ହେଉଥିବାବେଳେ ଚଳିତଥର ଏଠାରେ ଲୋକଙ୍କ ଆଗ୍ରହ ଆମ୍ବ କିଣାରେ ନାହିଁ। କରୋନା ଭାଇରସ୍‌ ପ୍ରକୋପରେ ଲୋକେ ଫଳ କିଣିବାକୁ ଭୟ କରୁଛନ୍ତି। ଏହି କାରଣରୁ ଆମ୍ବ ବିକ୍ରି ମଧ୍ୟ ପ୍ରଭାବିତ ହେଲା। ଖାଦ୍ୟ ବିଶେଷଜ୍ଞଙ୍କ ମତରେ ବର୍ଷକୁ ଥରୁଟିଏ ବଜାରକୁ ଆସୁଥିବା ଏଇ ଫଳକୁ କିଣି ଭଲଭାବେ ଧୋଇ ଖାଇବା ଉଚିତ। ଗ୍ରୀଷ୍ମଦିନିଆ ଆମ୍ବରେ ପ୍ରଚୁର ପରିମାଣରେ ପୋଷକତତ୍ତ୍ବ ଭରି ରହିଥାଏ।
– ଲୋକପ୍ରିୟ ଖାଦ୍ୟ ବିଶେଷଜ୍ଞ ରୁଜୁତା ଦିୱେକରଙ୍କ ମତରେ କଞ୍ଚା ଆମ୍ବକୁ ରାନ୍ଧି ଖାଇପାରିବେ। ଆମ୍ବରେ ମହଜୁଦ୍ ଥିବା ଭିଟାମିନ୍ ସି ଶରୀରର ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସହାୟକ ହୋଇଥାଏ।
– ଆମ୍ବ ଖାଇ ଓଜନକୁ ମଧ୍ୟ ନିୟନ୍ତ୍ରଣ କରିହେବ। ତେବେ ଆପଣ ଗୋଟିଏ ଦିନରେ ୩-୪ଟି ଆମ୍ବ ଖାଇଲେ ପେଟ ରୋଗ ହେବାର ଭୟ ଥାଏ। ଦ୍ବିପହର ଭୋଜନରେ ଆମ୍ବ ଖାଇପାରିବେ, ଏଇ ସମୟରେ ଆମ୍ବ ସହଜରେ ହଜମ ହୋଇଥାଏ।
– ମ୍ୟାଗ୍ନେସିୟମ୍, ପୋଟାସିୟମ୍ ଓ ଆଣ୍ଟିଅକ୍ସିଡାଣ୍ଟ ଭରପୂର ଆମ୍ବ ଖାଇଲେ ଶରୀରର କୋଲେଷ୍ଟରଲ୍ ସ୍ତର ନିୟନ୍ତ୍ରଣ ହେଉଥିବାର ଅନୁଧ୍ୟାନରୁ ଜଣାପଡ଼ିଛି। ଅଧିକ ପରିମାଣରେ ନ ଖାଇ ବରଂ ଅଳ୍ପ ଆମ୍ବ ଖାଇ ସୁସ୍ଥ ଜୀବନ ଅତିବାହିତ କରିପାରିବେ।
– ଭିଟାମିନ୍ ଏ ଭରପୂର ଆମ୍ବ ଖାଇଲେ ଆଖିର ଜ୍ୟୋତି ବୃଦ୍ଧି ପାଏ। ଆପଣ ଘରକୁ ଯେ କୌଣସି ଫଳ, ପନିପରିବା ଆଣୁଛନ୍ତି, ସେସବୁକୁ ଭଲଭାବେ ଧୋଇ, ପୋଛି ଫ୍ରିଜ୍‌‌ରେ ରଖିପାରିବେ।

Comments are closed.