ମାଙ୍ଗାଲୁରୁ ବିମାନବନ୍ଦରରେ ବୋମା ରଖିଥିବା ବ୍ୟକ୍ତିର ଆତ୍ମସମର୍ପଣ

ବେଙ୍ଗାଲୁରୁ : କର୍ଣ୍ଣାଟକର ମାଙ୍ଗାଲୁରୁ ଆନ୍ତର୍ଜାତିକ ବିମାନବନ୍ଦରରେ ସୋମବାର, ୨୦ତାରିଖରେ ବୋମା ରଖିଥିବା ସନ୍ଦିଗ୍ଧ ବ୍ୟକ୍ତି ବୁଧବାର ହାଲସୁରୁ ପୁଲିସ ନିକଟରେ ଆତ୍ମସମର୍ପଣ କରିଛି। ସମ୍ପୃକ୍ତ ବ୍ୟକ୍ତିର ନାମ ଆଦିତ୍ୟ ରାଓ (୩୬) ଓ ତାର ଘର ମଣିପାଲ ବୋଲି ବେଙ୍ଗାଲୁରୁ କମିସନରେଟ ପୁଲିସ କହିଛି। ବିମାନବନ୍ଦରରୁ ବୋମା ଥିବା ବ୍ୟାଗ୍ ଠାବ ହେବା ପରେ ପୁଲିସ ସିସିଟିଭି ଚିତ୍ର ଉଦ୍ଧାର ପୂର୍ବକ ଜଣେ ସନ୍ଦିଗ୍ଧ ବ୍ୟକ୍ତି ଓ ସେ ଆସିଥିବା ଅଟୋରିକ୍ସାର ଫଟୋ ଜାରି କରିଥିଲା; ତେବେ ଆଦିତ୍ୟ ରାଓ ନିଜକୁ ସେହି ବ୍ୟକ୍ତି ବୋଲି ଦାବି କରିବା ସହ ଇଆଇଡି ଭର୍ତ୍ତି ବ୍ୟାଗ୍‌ ରଖିଥିବା ସ୍ବୀକାର କରିବା ପରେ ଏହାର ସତ୍ୟତା ନେଇ ଅନୁସନ୍ଧାନ ଚଳାଇଛି। ରାଓ ଇଞ୍ଜିନିୟରିଂ ପରେ ଏମ୍‌ବିଏ ଶିକ୍ଷା ସମାପ୍ତ କରିଥିବା ପୁଲିସକୁ କହିଛି। ୨୦୧୨ରେ ସେ ଚାକିରି ପାଇଁ ବେଙ୍ଗାଲୁରୁ ଆସିଥିଲା। ପ୍ରଥମେ ଏକ ଘରୋଇ ବ୍ୟାଙ୍କରେ ଚାକିରି କରିଥିଲା; କିନ୍ତୁ ପରେ ଛାଡ଼ି ଦେଇଥିଲା। ଏହା ପରେ ମାଙ୍ଗାଲୁରୁ ଆସି ସୁରକ୍ଷାକର୍ମୀ ଭାବେ ଏବଂ ଉଡ଼ୁପିଠାରେ ଏକ ମଠରେ ରୋଷେୟା ଭାବେ କିଛି କାଳ ଚାକିରି କରିଥିଲା। ପୁନର୍ବାର ବେଙ୍ଗାଲୁରୁ ଫେରି ଏକ ବୀମା କମ୍ପାନୀରେ ଯୋଗ ଦେଇଥିଲା। ଏହି ସମୟରେ ବେଙ୍ଗାଲୁରୁ ବିମାନବନ୍ଦରରେ ସେ ଆବେଦନ କରିଥିବା ଚାକିରି ନ ପାଇବା କାରଣରୁ ଉତ୍ତ୍ୟକ୍ତ ହୋଇ ଏଭଳି କାର୍ଯ୍ୟ କରିଥିବା ପୁଲିସକୁ କହିଛି।

Comments are closed.