କାକଟପୁର ମାଆ ମଙ୍ଗଳା

0

ଆବିର୍ଭାବ– ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକମାନଙ୍କ ମତରେ ରାଜର୍ଷି ଇନ୍ଦ୍ରଦ୍ୟୁମ୍ନ ଶ୍ରୀକ୍ଷେତ୍ରରେ ବୈକୁଣ୍ଠାଧିପତିଙ୍କୁ ବସାଇ ପୂଜନ କରିବା ନିମନ୍ତେ ଗୁରୁ ମହର୍ଷି ମାର୍କଣ୍ଡେୟଙ୍କ ପରାମର୍ଶକ୍ରମେ ବ୍ରହ୍ମାଙ୍କୁ ବରଣ କରି ବିଷ୍ଣୁଯଜ୍ଞର ଆୟୋଜନ କରିଥିଲେ। ଯଜ୍ଞାଗ୍ନିରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ସ୍ୱରୂପ ଦର୍ଶନରେ ସେହି ସ୍ୱରୂପ ପ୍ରାପ୍ତି ଅର୍ଥେ ପବିତ୍ର ଚକ୍ରବନରେ କଠୋର ତପସ୍ୟାରେ ମଗ୍ନ ରହିଲେ। ରାଜର୍ଷି ଇନ୍ଦ୍ରଦ୍ୟୁମ୍ନଙ୍କ ତପସ୍ୟାରେ ପ୍ରୀତ ହୋଇ ମା’ ସର୍ବମଙ୍ଗଳା ଏକ ସଦ୍ୟ ପ୍ରସ୍ଫୁଟିତ ପଦ୍ମ ଉପରେ ଆବିର୍ଭୂତା ହୋଇ ଇନ୍ଦ୍ରଙ୍କୁ ଦର୍ଶନ ଦେଲେ। ଠିକ୍‍ ସେହିପରି ବଣିକ ସିଦେ୍ଧଶ୍ୱରଙ୍କୁ ମା’ ବିପଦ ସମୟରେ ପଦ୍ମପୁଷ୍ପ ଉପରେ ଆବିର୍ଭୂତା ହୋଇ ଦର୍ଶନ ଦେଇ ବିପଦମୁକ୍ତ କରାଇଥିଲେ ବୋଲି କିମ୍ବଦନ୍ତୀ ରହିଛି।
ମୂଳ ମନ୍ତ୍ର–
ଓଁ ଉତ୍ତିଷ୍ଠ ପୁରୁଷୀଂ କିଂ ସ୍ୱପିସି ଭୟମେ ସମୁପସ୍ଥିତଂ ଯଦି ଶକ୍ୟଂ ଅଶକ୍ୟମ୍ ହୁଂ ଦୁଂ ଦୁର୍ଗେ ଭଗବତୀ ସମୟ ସ୍ୱାହା।
ଧ୍ୟାନଂ–
ହସ୍ତେ ପୁଷ୍ପ କଳ୍ପଦଳଂ ଗୃହୀତ୍ୱା ଦୁର୍ଗା ଧ୍ୟାୟେତେ
ଶ୍ୟାମଙ୍ଗୀ ଶଶିଶେଖରଂ ନିଜକରୈର୍ଦାନଂ ଚ ରକ୍ତୋତ୍ପଳଂ
ରତ୍ନାଢ଼୍ୟ କଳସଂ ପରଂ ଭୟହରଂ ସଂ ବିଭ୍ରତାଂ ଶାଶ୍ୱତୀମ୍‍
ମୁକ୍ତାହାରଲସ ତ୍ପୟୋଧର ଲତାଂ ନେତ୍ର ତ୍ରୟୋଲ୍ଲାସିନୀମ
ଆବାଲ୍ୟ ସୁର ପୂଜିତାଂ ହରବଧୂଂ ରକ୍ତାରବିନ୍ଦ ସ୍ଥିତାମ୍‍।
ପାର୍ବଣ ପୂଜାବିଧି– କାକଟପୁର ବାସିନୀ ମା’ ମଙ୍ଗଳାଙ୍କ ଶାରଦୀୟ ପାର୍ବଣ ପୂଜା ଷୋଡ଼ଶ ଉପଚାର ବିଧିରେ ପାଳିତ ହୋଇଥାଏ। ପବିତ୍ର ରାଧାଷ୍ଟମୀଠାରୁ ଶୟନରତା ମା’ ମୂଳାଷ୍ଟମୀରେ ଜାଗ୍ରତା ହୋଇ ଆଶ୍ରିତଙ୍କୁ ମହିଷରୂପୀ ରାକ୍ଷସଙ୍କ କବଳରୁ ରକ୍ଷା କରିବାର ବ୍ୟବସ୍ଥା କରନ୍ତି। ମା’ ସର୍ବମଙ୍ଗଳାଙ୍କ ପାର୍ବଣ ପୂଜା ପରିଚାଳନା ପାଇଁ ଉଦ୍ଦିଷ୍ଟ ସେବକ ଶ୍ରୀବିଗ୍ରହ ସମ୍ମୁଖରେ ବିଧିବିଧାନ ସହ ପୂଜା ପୂର୍ଣ୍ଣାଙ୍ଗ କରିବାକୁ ସଙ୍କଳ୍ପ କରନ୍ତି। ଏହି ସଙ୍କଳ୍ପିତ ସେବକଙ୍କ ଦ୍ୱାରା ୧୦୦୮ କୁମ୍ଭ ବରଣ କରାଯାଇ ସେହି ଦିବ୍ୟଜଳରେ ଶ୍ରୀବିଗ୍ରହଙ୍କୁ ସ୍ନାନ ମାଜଣା କରାଯାଏ। ପାର୍ବଣ ସମୟରେ ମା’ଙ୍କର ଷୋଡ଼ଶ ପୂଜାବିଧି ପରିଚାଳିତ ହୋଇଥାଏ। ମୂଳାଷ୍ଟମୀଠାରୁ ମହାଳୟା ଅମାବାସ୍ୟା ପର୍ଯ୍ୟନ୍ତ ଗୁପ୍ତପୂଜାରେ ସନ୍ତୁଷ୍ଟ ହୋଇ ପ୍ରତିପଦାଠାରୁ ଚତୁର୍ଥୀ ପର୍ଯ୍ୟନ୍ତ ନକ୍ଷତ୍ର ମଣ୍ଡିତା ହୋଇ ମା’ ଦୁଷ୍ଟଦାନବଙ୍କ ଗତିବିଧି ଲକ୍ଷ୍ୟ କରନ୍ତି। ପଞ୍ଚମୀ ଦିନ ମା’ ତୀରକମାଣ ଭୂଷିତା ହୋଇ ପାଶ୍ୱର୍ ଅନୁଚରଙ୍କ ଗହଣରେ ପ୍ରତ୍ୟକ୍ଷ ସଂଗ୍ରାମ ପାଇଁ ବାହାରି ପଡ଼ନ୍ତି। ଶ୍ରୀଜଗନ୍ନାଥଙ୍କ ରଘୁନନ୍ଦନ ବେଶ ପରି ମା’ ସର୍ବମଙ୍ଗଳାଙ୍କ ଏହି ବେଶକୁ ରଘୁନାଥବେଶର ମାନ୍ୟତା ମିଳିଛି। ତପଃ ଷଷ୍ଠୀ ଦିନ ମା’ଙ୍କୁ ମହାକାତ୍ୟାୟନୀ ବା ଖଡ଼୍‍ଗ ଖର୍ପରଧାରିଣୀ ବେଶରେ ଭୂଷିତା କରାଯାଇ ଗୁପ୍ତପୂଜା ପରିଚାଳିତ ହୋଇଥାଏ। ମହାସପ୍ତମୀ ପୂଜାର ବିଶେଷ ମହତ୍ତ୍ୱ ଏହି କ୍ଷେତ୍ରରେ ଦେଖାଯାଏ। ଏହିଦିନ ଅହୋରାତ୍ର ଲକ୍ଷାଧିକ ଭକ୍ତ ମା’ ସର୍ବମଙ୍ଗଳାଙ୍କ ବିଶ୍ୱପ୍ରସିଦ୍ଧ ସିଂହବାହିନୀ ରୂପ ଦର୍ଶନ ପାଇଁ ପୀଠସ୍ଥଳୀକୁ ଆସିଥାଆନ୍ତି। ପରଦିନ ପ୍ରଭାତରୁ ମହାଷ୍ଟମୀ ପୂଜାର ବ୍ୟବସ୍ଥା କରାଯାଇ ମହିଷମର୍ଦିନୀ ବେଶରେ ଶ୍ରୀଅଙ୍ଗକୁ ସଜାଇ ଦିଆଯାଏ। ମହାନବମୀରେ ଶାନ୍ତି ବା ବିଶ୍ରାମ ବେଶ ସମାପ୍ତି ପରେ ବିଜୟାଦଶମୀ ଉତ୍ସବ ପାଳିତ ହୋଇଥାଏ। ଦଶମୀ ପ୍ରାତଃ ସମୟରୁ ଶ୍ରୀଅଙ୍ଗକୁ ଭବ୍ୟ ଶୃଙ୍ଗାର କରାଯାଇ ଭକ୍ତଙ୍କ ଦର୍ଶନ ନିମନ୍ତେ ମୁଖ୍ୟଦ୍ୱାର ଖୋଲିଦିଆଯାଏ। ସନ୍ଧ୍ୟା ଆଳତି ପରେ ମା’ଙ୍କ ଚଳନ୍ତିବିଗ୍ରହ କନକଦୁର୍ଗା ପ୍ରଭୁ ଚନ୍ଦ୍ରଶେଖରଙ୍କ ସହ ମଣିବିମାନ ଆରୂଢ଼ା ହୋଇ ଢୋଲ, ନିଶାଣ, ଶଙ୍ଖ, ମହୁରି ଆଦି ସକଳ ଧ୍ୱନି ମଧ୍ୟରେ ମନ୍ଦିରରୁ ବାହାରି ପ୍ରାଚୀତଟର ପ୍ରସିଦ୍ଧ ଶମ୍ଭୁପୀଠ ସମେଶ୍ୱର ମନ୍ଦିର ପ୍ରାଙ୍ଗଣକୁ ଗମନ କରନ୍ତି। ସେଠାରେ ଭବାନୀଶଙ୍କରଙ୍କୁ ରତ୍ନମଣ୍ଡପରେ ବସାଇ ବିଶେଷ ପୂଜାର୍ଚ୍ଚନା ବନ୍ଦାପନା ଆଳତି ଅର୍ପଣ ପରେ ପଣା ଲାଗି କରାଯାଇଥାଏ। ମା’ ସର୍ବମଙ୍ଗଳା ଆରାଧ୍ୟ ଶଙ୍କରଙ୍କୁ ଦୁଷ୍ଟ ଦାନବ ବିନାଶର କାରଣ ଅବଗତ କରାଇ ଭକ୍ତଙ୍କ ଗହଣରେ ପୁନଃ ବିମାନ ଆରୂଢ଼ାହୋଇ ମୂଳ ମନ୍ଦିରକୁ ଫେରିଆସନ୍ତି। ମା’ ଫେରିବା ପରେ ରାତ୍ରଧୂପ ବିଧି ପୂର୍ଣ୍ଣାଙ୍ଗ କରାଯାଇ ଶ୍ରୀଅଙ୍ଗକୁ ଭବ୍ୟ ଶୃଙ୍ଗାର କରାଯାଏ। ତତ୍‍ପରେ ମା’ଙ୍କ ତୃପ୍ତି ନିମନ୍ତେ ଶ୍ରୀଗୀତଗୋବିନ୍ଦ ସେବା ଅର୍ପଣ କରାଯାଏ। ଶ୍ରୀମନ୍ଦିର ପରି ମା’ ମଙ୍ଗଳାଙ୍କ ମନ୍ଦିରରେ ଶ୍ରୀଗୀତଗୋବିନ୍ଦ ସେବାକୁ ବିଶେଷ ଗୁରୁତ୍ୱ ଦିଆଯାଏ। ଏହା ମା’ ସର୍ବମଙ୍ଗଳାଙ୍କ ନିତ୍ୟସେବାର ଏକ ଅଙ୍ଗ, ଶ୍ରୀ ଜୟଦେବଙ୍କ ଜନ୍ମସ୍ଥଳୀ ପବିତ୍ର ପ୍ରାଚୀନଦୀ ତଟର ପ୍ରମୁଖ ପୀଠସ୍ଥଳୀ, ମଠ, ମନ୍ଦିର, ଗାଦିଘର, ଆଶ୍ରିତ ଭକ୍ତ ଗୃହରେ ମଧ୍ୟ ନିତ୍ୟ ନୈମିତିକ ଶ୍ରୀଗୀତଗୋବିନ୍ଦ ପାଠ ଶୁଣିବାକୁ ମିଳେ। ଏହିଠାରେ ସମାପ୍ତ ହୋଇଥାଏ ଅଭୟଦାୟିନୀ ମା’ ସର୍ବମଙ୍ଗଳାଙ୍କ ପ୍ରସିଦ୍ଧ ଶାରଦୀୟ ପାର୍ବଣ ପୂଜାବିଧି।
ମା’ଙ୍କୁ ପୂଜାକରି ଭକ୍ତ ମାଗେ ଦୁଃଖଦାରିଦ୍ର୍ୟ ଦୂରକରିବାକୁ ଓ ଅଭୟ ପ୍ରଦାନ କରିବାକୁ।

ସୌଜନ୍ୟ ସତ୍ୟବାଦୀ ଡ଼େସ୍କ

Comments
Loading...