ଶିଳାନ୍ୟାସ ହେଲା ବିଜିମରା ଆଦର୍ଶ ମଣ୍ଡି, ଉପକୃତ ହେବେ ୧ ହଜାରରୁ ଅଧିକ ଚାଷୀ

କଲମପୁର : ବହୁ ପ୍ରତିକ୍ଷାର ଅନ୍ତ ଘଟିଛି, ଅଞ୍ଚଳର ଚାଷୀଙ୍କ ଦାବି କ୍ରମେ ଆଜି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ କଳାହାଣ୍ଡି ଜିଲ୍ଲା କଲମପୁର ବ୍ଳକ ବିଜିମରା ମିନି ଷ୍ଟାଡିୟମରେ ପାର୍ଶ୍ଵରେ ଆଦର୍ଶ ମଣ୍ଡିର ଶିଳାନ୍ୟାସ ହୋଇଛି । ଏହା ଦ୍ଵାରା ବିଜିମରା ଓ ଦୁଲୁକିବନ୍ଧ ଅଞ୍ଚଳର ୧ହଜାରରୁ ଅଧିକ ଚାଷୀ ଉପକୃତ ହେବେ। ଶିଳାନ୍ୟାସ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ ବିଧାୟକ ମଉଷଧି ବାଗ ଯୋଗ ଦେଇଥିବା ବେଳେ ସମ୍ମାନୀୟ ଅତିଥି ରୂପେ ପୂର୍ବତନ ମନ୍ତ୍ରୀ ତଥା ଜିଲ୍ଲା ବିଜେଡି ସଭାପତି ପୁଷ୍ପେନ୍ଦ୍ର ସିଂଦେଓ, ମୁଖୀଗୁଡା ନିୟନ୍ତ୍ରିତ ବଜାର କମିଟି ଉପ ସଭାପତି ଜିତେନ୍ଦ୍ର ନାରାୟଣ ସିଂଦେଓ, ଧର୍ମଗଡ ଉପ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ, ବିଜିମରା ସରପଞ୍ଚ ଦୁହିତା ମାଝୀ, ସମିତି ସଭ୍ୟା ସୁମୁଦିନି ପୁଝାରି ମଞ୍ଚାସିନ ଥିଲେ। କାର୍ଯ୍ୟକ୍ରମରେ ଅଞ୍ଚଳରେ ଯୁବ ସମାଜସେବୀ ତଥା ଚାଷୀ ସଂଜୀବ କୁମାର ପଣ୍ଡା, ଗଣେଶ ପଣ୍ଡା, ବିଶ୍ୱଜିତ ନାଗ, ଯୁଧିଷ୍ଠିର ମାଝୀ ଭଳି ଶତାଧିକ ଚାଷୀ ଉପସ୍ଥିତ ଥିଲେ । ଯାହାଫଳରେ ଅଞ୍ଚଳରେ ଚାଷୀ ମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ମଣ୍ଡିଟିଏ ନଥିବାରୁ ଏହି ଅଞ୍ଚଳରେ ଚାଷୀ ଉଭୟ ରବି ଓ ଖରିଫ ଋତୁରେ ଧାନ ବିକ୍ରି କରିବା ପାଇଁ ନାନା ପ୍ରକାର ସମସ୍ୟାର ସାମ୍ନା କରୁଥିଲେ। ଅଳ୍ପ ବର୍ଷରେ ଚାଷୀଙ୍କ ଧାନ ଭିଜୁଥିବା ବେଳେ ଖୋଲା ଆକାଶ ତଳେ ବର୍ଷା, ଖରା ଓ ଶୀତରେ ପଡି ରହୁଥିଲେ ଚାଷୀ। କିନ୍ତୁ ଏହି ସମସ୍ୟାର ଶୀଘ୍ର ସମାଧାନ ହେବା ପାଇଁ ଯାଉଛି । ୨କୋଟି ୩୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେବାକୁ ଯାଉଛି ଆଦର୍ଶ ମଣ୍ଡି। ପ୍ରାୟ ତିନି ଏକର ଜମିରେ ଏହା ଅତ୍ୟାଧୁନିକ ଶୈଳୀରେ ନିର୍ମାଣ ହେଉଥିବା ବେଳେ ପାଚେରୀ, ପାନୀୟ ଜଳ, ଆଲୋକୀକରଣ ଓ ଧାନକୁ ସୁରକ୍ଷିତ ରଖିବା ଭଳି ଅନେକ ବ୍ୟବସ୍ଥା। ଆସନ୍ତା ରବି ଋତୁରେ ଧାନ ଏଠି କ୍ରୟ କରାଯିବାର ଲକ୍ଷ୍ୟ ରହିଛି । ଏହି ମଣ୍ଡି ପ୍ରତିଷ୍ଠା ହେବା ଫଳରେ ବିଜିମରା ସାପ୍ତାହିକ ବଜାର ହେବା ସହ ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟ ହୋଇପାରିବ ବୋଲି ଅଞ୍ଚଳରେ ମତ ପ୍ରକାଶ ପାଇଛି। ତେବେ ଆଗାମୀ ଦିନରେ ଚାଷୀ ମାନଙ୍କ ସମସ୍ୟା ଦୂର ହେବ ବୋଲି ଆଶା କରାଯାଉଛି।

Comments are closed.